ନବଯୌବନ ବେଶରେ ମହାପ୍ରଭୁ

୬ ଘଣ୍ଟା ନୀତି ବିଳମ୍ବ, ମଧ୍ୟାହ୍ନରେ ଚକା ଅପସର ନୀତି
ସିଂହଦ୍ବାରରୁ ପତିତପାବନଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ : ଦେବସ୍ନାନ ପୂର୍ଣ୍ଣିମାଠାରୁ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଛନ୍ତି। ୧୫ ଦିନ ଧରି ନାନାଦି ଗୁପ୍ତସେବା ପରେ ନବଯୌବନ ବେଶରେ ଶ୍ରୀଜିଉ ଦର୍ଶନ ଦେଇଛନ୍ତି। ପ୍ରତିବର୍ଷ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମେ। କିନ୍ତୁ କୋଭିଡ୍‌ କଟକଣା ପାଇଁ ଆଜି ବିନା ଭକ୍ତରେ ମହାପ୍ରଭୁଙ୍କ ନବଯୌବନ ବେଶ ଓ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ନ ପାଇ ଭାବବିହ୍ବଳ ଭକ୍ତବୃନ୍ଦ ସିଂହଦ୍ବାରରୁ କାନ୍ଦି କାନ୍ଦି ଫେରିଛନ୍ତି। ପତିତପାବନଙ୍କୁ ନବଯୌବନ ବେଶରେ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି।

ଶୁକ୍ରବାର ପତିତପାବନଙ୍କୁ ଦର୍ଶନ ପାଇଁ ସିଂହଦ୍ବାରରେ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ନୀତିକାନ୍ତିରେ ଶୁକ୍ରବାର ଅହେତୁକ ବିଳମ୍ବ ହୋଇଛି। ପ୍ରାୟ ୬ ଘଣ୍ଟା ବିଳମ୍ବରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସକାଳ ୬ଟାରେ ଚକା ଅପସର ନୀତି ଥିବାବେଳେ ମଧ୍ୟାହ୍ନ ୧୨ଟା ୫ରେ ଏହି ନୀତି ଅନୁଷ୍ଠିତ ହୋଇଛି। ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ବି ବିଳମ୍ବ ହୋଇଛି। ସକାଳ ୮ଟାରୁ ନବଯୌବନ ଦର୍ଶନ ଥିବାବେଳେ ଆଜି ଅପରାହ୍ଣ ସାଢ଼େ ଗୋଟାଏରେ ନବଯୌବନ ଦର୍ଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷାର ଦିନକ ପରେ ଏଭଳି ନୀତି ବିଳମ୍ବ ଘଟଣା ସାଧାରଣରେ ସମାଲୋଚନାର ବିଷୟ ପାଲଟିଛି।

ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ଅସୁସ୍ଥ ଶ୍ରୀଅଙ୍ଗକୁ ସୁସ୍ଥ କରିବା ପାଇଁ ୧୫ ଦିନ ଧରି ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ, ଖଳି ବିଜେ, ଖଡ଼ି ପ୍ରସାଦ ବିଜେ ଆଦି ଗୁପ୍ତ ନୀତି ସମ୍ପନ୍ନ ହୋଇଥିଲା। ବନକଲାଗି ଜରିଆରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣରେ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ପରେ ଗତକାଲି ବିଳମ୍ବିତ ରାତିରେ ବନକଲାଗି ନୀତି ଆରମ୍ଭ ହୋଇଥିଲା। ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ବନକଲାଗି ନୀତି ସାରି ଦତ୍ତ ମହାପାତ୍ର ସେବକ ବାହାରିବା ପରେ ମଧ୍ୟାହ୍ନ ୧୨ଟା ୫ରେ ଚକା ଅପସର ନୀତି ଅନୁଷ୍ଠିତ ହୋଇଥିଲା। ୧୨ଟା ୨୦ରେ ଜୟ ବିଜୟ ଦ୍ବାର ଫିଟିବା ପରେ ସାଢ଼େ ୧୨ଟାରେ ମଙ୍ଗଳ ଆଳତି, ଅପରାହ୍ଣ ୧୨ଟା ୪୦ରେ ଅବକାଶ ପୂଜା ପରେ ମଇଲମ ହୋଇ ପଟଦିଅଁ(ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୧ଟା ୫ରେ ଅଣସର ତାଟି ଫିଟିଥିଲା। ଅଣସର ତାଟି ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଇଥିଲେ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ କୌଣସି ଭକ୍ତ ନଥିଲେ।

ମହାପ୍ରଭୁଙ୍କ ଦର୍ଶନ ନ ପାଇବାର ଅଭିମାନ ଭକ୍ତଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଅପରାହ୍ଣ ୧ଟା ୫୦ରେ ଦଇତାପତି ସର୍ବାଙ୍ଗ ନୀତି ଓ ଅପରାହ୍ଣ ୨ଟା ୧୫ରେ ନେତ୍ରୋତ୍ସବ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା। ପରେ ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ତଡ଼ପଲାଗି ନୀତି ସମ୍ପନ୍ନ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା।

ସମ୍ବନ୍ଧିତ ଖବର