ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ବ୍ୟବସ୍ଥାକୁ ହାଇକୋର୍ଟରେ ଚାଲେଞ୍ଜ; ସମସ୍ତ ମାମଲା ଖାରଜ, ସରକାରଙ୍କ ନିଷ୍ପତ୍ତି କାଏମ

କଟକ: ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ପ୍ରଦାନ ସଂପର୍କିତ ସରକାରୀ ନିଷ୍ପତିକୁ ଚାଲେଞ୍ଜ କରି ଦାୟର ମାମଲା ଗୁଡିକୁ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ଏ ସଂପର୍କିତ ସରକାରଙ୍କ ନିଷ୍ପତ୍ତି ହାଇକୋର୍ଟରେ କାଏମ ରହିଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ପ୍ରାୟ ୩୦ଟି ମାମଲାର ଏକତ୍ର ଶୁଣାଣି କରି ଗତ ଅଗଷ୍ଟ ୯ରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ଲଟେରି ବ୍ୟବସ୍ଥା ଅସାମ୍ବିଧାନିକ ଓ ବେଆଇନ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ବେଳେ ହାଇକୋର୍ଟ ଏହାକୁ ଗ୍ରହଣ କରି ନାହାନ୍ତି। ଅନ୍ୟପକ୍ଷରେ ଅବକାରୀ ରାଜସ୍ବକୁ ଦୃଷ୍ଟିରେ ରଖି ନିଲାମ, ଟେଣ୍ଡର, ଲଟେରି ବା ଅନ୍ୟ କେଉଁ ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରାଯିବ ସେ ନେଇ ସରକାର ନିଷ୍ପତ୍ତି ନେଇ ପାରିବେ। ଏହା ନୀତିଗତ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ କୌଣସି ଆଇନ ଉଲ୍ଲଂଘନ ହୋଇ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରି ଏ ସଂପର୍କିତ ସମସ୍ତ ଆବେଦନକୁ ଖାରଜ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ମଦ ଦୋକାନ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ସ୍ବଚ୍ଛତା ଓ ଅଧିକ ରାଜସ୍ବ ଆଦାୟ ପାଇଁ ଲଟେରି ବ୍ୟବସ୍ଥା ସପକ୍ଷରେ ସରକାର ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇଥିଲା। ଧାର୍ଯ୍ୟ ଲାଇସେନ୍ସ ଫି’ର ୨୦ ପ୍ରତିଶତ ବଢ଼ାଇ ଏହି ଲଟେରି କରାଯିବ। ୧୫ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ୧୦ ପ୍ରତିଶତ ବର୍ଦ୍ଧିତ ଦରରେ ନବୀକରଣ କରାଯାଉଥିବା ବେଳେ ସରକାର ଚଳିତ ବର୍ଷ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। ରାଜ୍ୟରେ ଥିବା ସମସ୍ତ ବିଦେଶୀ ଠିପି ବନ୍ଦ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ଲଟେରି ଜରିଆରେ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ହେବାକୁ ଥିବା ଏହି ଲଟେରି ବ୍ୟବସ୍ଥାରେ ପୁରୁଣା ବ୍ୟବସାୟୀଙ୍କ ସମେତ ନୂଆ ବେପାରୀଙ୍କୁ ମଧ୍ୟ ସୁଯୋଗ ମିଳିବ। ଏଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ। ଲଟେରିରେ ନାମ ଆସିଲେ ମଦ ଦୋକାନ ଲାଇସେନ୍ସ ମିଳିବ। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲାପାଳମାନେ ଲଟେରି କରି ନୂଆ ବ୍ୟବସାୟୀ ଚିହ୍ନଟ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏଥି ପାଇଁ ସରକାର ପୁରୁଣା ଅବକାରୀ ନୟମାବଳୀରେ ସଂଶୋଧନ କରିଥିଲେ। ଏ ନେଇ ୨୦୨୧, ଜାନୁଆରି ୭ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଲଟେରି ବ୍ୟବସ୍ଥା ସଂକ୍ରାନ୍ତରେ ଫେବ୍ରୁଆରି ୨୬ରେ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲା। କିନ୍ତୁ ଏପରି ଲଟେରି ବ୍ୟବସ୍ଥାକୁ କେତେକ ପୁରୁଣା ବ୍ୟବସାୟୀ ବିରୋଧ କରିଥିଲେ। ନିଲାମ ନ କରି ଲଟେରି ବ୍ୟବସ୍ଥା ଦ୍ବାରା ବ୍ୟାପକ ସମସ୍ୟା ସୃଷ୍ଟି ହେବ ବୋଲି କେତେକ ଅଭିଯୋଗ କରିଥିଲେ। ଲଟେରି ବ୍ୟବସ୍ଥା ପାଇଁ ନୟମାବଳୀରେ କରାଯାଇଥିବା ସଂଶୋଧନ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ।

ଲଟେରି ବ୍ୟବସ୍ଥା ନିୟମ ଅସାମ୍ବିଧାନିକ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏପରି ନିଷ୍ପତ୍ତିକୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ମାର୍ଚ୍ଚ ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଦର୍ଶାଯାଇଥିଲା ଯେ ୨୦୧୬ରେ ଭାରତର ସିଏଜିଙ୍କ ରିପୋର୍ଟରେ ମଦ ଦୋକାନ ଲାଇସେନ୍ସ ଲଟେରି ବ୍ୟବସ୍ଥାରେ ପ୍ରଦାନ ପାଇଁ ପରାମର୍ଶ ଦିଆଯାଇଥିଲା। ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ଲଟେରି ବ୍ୟବସ୍ଥା ସପକ୍ଷରେ ସିଏଜି କହିଥିଲେ। ଅନ୍ୟ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ଲଟେରି ବ୍ୟବସ୍ଥା ସଫଳତାର ସହିତ ଲାଗୁ କରାଯାଇଥିବା ବେଳେ ଅବକାରୀ ଆଇନ ଓ ନିୟମାବଳୀରେ ଆବଶ୍ୟକ ସଂଶୋଧନ କରି ରାଜ୍ୟ ସରକାର ଏହି ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଲଟେରି ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଆଇନ ସମ୍ମତ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର