ଷ୍ଟ୍ରୋକ୍ର ଶିକାର ହେଉଥିବା ୨୫% ବ୍ୟକ୍ତିଙ୍କ ବୟସ ୫୦ବର୍ଷରୁ କମ୍
ଭୁବନେଶ୍ୱର : ଦେଶରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକ୍ର ଶିକାର ହୋଇଥାନ୍ତି। ତହିଁରୁ ଏକ ଚତୁର୍ଥାଂଶ ଲୋକଙ୍କ ବୟସ ୫୦ବର୍ଷରୁ କମ୍। ଜଣେ ବ୍ୟକ୍ତିଙ୍କୁ ଯେ କୌଣସି ସ୍ଥାନରେ ଓ ବୟସରେ ଷ୍ଟ୍ରୋକ୍ ହୋଇପାରେ। ନିୟମିତ ବ୍ୟାୟାମ, ଠିକ୍ ଓଜନ ବଜାୟ ରଖିବା, ଧୂମପାନ ଓ ମଦ୍ୟପାନକୁ ଛାଡ଼ିବା ଷ୍ଟ୍ରୋକ୍ର ଆଶଙ୍କାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ପ୍ରାଥମିକ ନିରାକରଣ ସହିତ ଉପଯୁକ୍ତ ଚିକିତ୍ସା ଜରୁରି ବୋଲି ଇଣ୍ଡିଆନ୍ ଷ୍ଟ୍ରୋକ୍ ଆସୋସିଏସନ୍ ବା ଆଇଏସ୍ଏ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତବର୍ଷର ବିଶ୍ବ ଷ୍ଟ୍ରୋକ୍ ଦିବସର ବିଷୟବସ୍ତୁ ହେଉଛି ଷ୍ଟ୍ରୋକ୍ର ଲକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା, ଷ୍ଟ୍ରୋକ୍କୁ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ଭାବେ ଗ୍ରହଣ ଓ ଠିକ୍ ସମୟରେ ଗୁଣାତ୍ମକ ଚିକିତ୍ସା ଗ୍ରହଣ କରିବା। ଦେଶର ଅଧିକାଂଶ ରାଜ୍ୟରେ ୧୯-୨୪ ପ୍ରତିଶତ ପର୍ଯ୍ୟନ୍ତ ଷ୍ଟ୍ରୋକ୍ ସମସ୍ୟା ଦେଖା ଦେଇଥାଏ। ବିକଶିତ ରାଷ୍ଟ୍ର ତୁଳନାରେ ଦେଶରେ ଷ୍ଟ୍ରୋକ୍ ମୃତ୍ୟୁ ହାର ଅଧିକ ରହିଛି। ଉତ୍ତର-ପୂର୍ବାଞ୍ଚଳ ଓ ଉପକୂଳ ରାଜ୍ୟମାନଙ୍କରେ ମୃତ୍ୟୁହାର ୪୨ ପ୍ରତିଶତରୁ ଅଧିକ ରହିଛି। ଅଧିକ ଲୁଣ ସେବନ କରିବା ଏହାର ପ୍ରମୁଖ କାରଣ। ଉତ୍ତର-ପୂର୍ବାଞ୍ଚଳରେ ଲୋକମାନେ ଚା’ରେ ଲୁଣ ବ୍ୟବହାର କରିଥାନ୍ତି। ଉପକୂଳବର୍ତୀ ଅଞ୍ଚଳରେ ମଧ୍ୟ ଶୁଖୁଆର ବହୁଳ ବ୍ୟବହାର ହୋଇଥାଏ। ଏଥିରେ ପ୍ରଚୁର ଲୁଣ ଥିବାରୁ ଉଚ୍ଚ ରକ୍ତଚାପ ଆଶଙ୍କାକୁ ବଢ଼ାଇ ଦେଇଥାଏ। ଷ୍ଟ୍ରୋକ୍ର ଲକ୍ଷଣକୁ ଚିହ୍ନିବା ଓ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିବା ଜରୁରୀ। ଷ୍ଟ୍ରୋକ୍ ହେବାର ୪-୫ଘଣ୍ଟା ଭିତରେ ଚିକିତ୍ସା କରାଗଲେ ସୁଫଳ ମିଳିପାରିବ ବୋଲି ଆଇଏସ୍ଏର ଅଧ୍ୟକ୍ଷ ଡା.ଜୟରାଜ ପାଣ୍ଡିଆନ୍ ଓ ସଂପାଦକ ଡା.ଅରବିନ୍ଦ ଶର୍ମା କହିଛନ୍ତି।