ଭବାନୀପାଟଣା : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏସ୍ପି ଅଫିସ୍ ଘେରାଉ କରାଯାଇଛି। ଘେରାଉ ସମୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ଓ ମହିଳା ମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ଭବାନୀପାଟଣା ରେଡକ୍ରସ କଲ୍ୟାଣ ମଣ୍ଡପଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଏହାପରେ କଳାହାଣ୍ଡି ଏସ୍ପି ଅଫିସ ନିକଟରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭାପରେ ମହିଳା କର୍ମୀମାନେ ପୁଲିସ ବ୍ୟାରିକେଡ୍ ଭାଙ୍ଗି ଏସ୍ପି ଅଫିସକୁ ଧସେଇ ପଶିବାବେଳେ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତିରେ ପୁଲିସ କର୍ମଚାରୀ ଓ ବିଜେପି କର୍ମୀ ଆହତ ହୋଇଥିବାବେଳେ ସାମ୍ବାଦିକମାନେ ମଧ୍ୟ ଏଥିରୁ ବର୍ତ୍ତି ପାରିନାହାନ୍ତି। ପୁଲିସ ପକ୍ଷରୁ ରାଜ୍ୟ ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୁପମା ନାୟକ, ଜିଲ୍ଲା ପରିଷଦ ସଭାପତି ନମିତାରାଣୀ ସାହୁ, ସଦର ବ୍ଲକ୍ ଅଧ୍ୟକ୍ଷା ସନ୍ତୋଷୀ ଦାସଙ୍କ ସମେତ ୨୫ରୁ ଊର୍ଦ୍ଧ୍ବ କର୍ମୀଙ୍କୁ ଟାଉନଥାନାରେ ଅଟକ ରଖାଯାଇଛି।