ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଆଗତ କରିବେ । ୨୦୧୯ ମସିହାରେ ସାଧରଣ ନିର୍ବାଚନ ଥିବାରୁ ଏହା ହେବ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । କାରଣ ଆସନ୍ତା ବର୍ଷ ସରକାର ଏକ ଲେଖାନୁଦାନ ଆଗତ କରିବେ । ଫଳରେ ସାଧାରଣ ଜନତାଙ୍କୁ ଆକୃଷ୍ଟ କରିବାକୁ ସରକାର କେତେକ ସୁବିଧା ସୁଯୋଗର ଘୋଷଣା କରିପାରନ୍ତି । ଆୟକର ଛାଡସୀମା ବଢିବାର ସମ୍ଭାବନା ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷଜ୍ଞମାନଙ୍କ ମତରେ ସରକାର ସାମାଜିକ କ୍ଷେତ୍ର, ଗ୍ରାମୀଣ କ୍ଷେତ୍ର, କୃଷି କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ କେତେକ ଘୋଷଣା କରିପାରନ୍ତି । ପୁଣି ଟିକସ ରାଜସ୍ୱ ବଢାଇବା, ଅଧିକରୁ ଅଧିକ ଲୋକଙ୍କୁ ଟିକସ ପରିସର ମଧ୍ୟକୁ ଆଣିବା, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉନ୍ନତି ପାଇଁ ମଧ୍ୟ ସରକାର କେତେକ ବ୍ୟବସ୍ଥା କରିପାରନ୍ତି ।
ଦୁଇଦିନ ପୂର୍ବେ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୃଷି କ୍ଷେତ୍ରକୁ ନେଇ କେତେକ ଚିନ୍ତା ପ୍ରକଟ କରାଯାଇଥିଲା । ଦେଶର ଦୁଇ ତୃତୀୟାଂଶ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ଏହି କ୍ଷେତ୍ରର ଉନ୍ନତି ଦ୍ୱାରା ହିଁ ଦେଶର ସାମଗ୍ରୀକ ଅଭିବୃଦ୍ଧି ନିର୍ଭରଶୀଳ । ଏଣୁ ସରକାର କୃଷିର ଉନ୍ନତି ପାଇଁ ବିଶେଷ ଘୋଷଣା କରିପାରନ୍ତି । ସେହିପରି ବିମୁଦ୍ରାୟନ ଓ ଜିଏସଟି ଲାଗୁ ହେବାପରେ ଦେଶର ବ୍ୟବସାୟୀ ଗୋଷ୍ଠୀ ସରକାରଙ୍କ ଉପରେ ଟିକିଏ ଅସନ୍ତୁଷ୍ଟ ଅଛନ୍ତି । ଏଣୁ ଏମାନଙ୍କ ସୁବିଧା ପାଇଁ କେତେକ ଘୋଷଣା ଆଶା କରାଯାଉଛି । ଅନ୍ୟପକ୍ଷରେ ନିଯୁକ୍ତି ବୃଦ୍ଧି, ଆର୍ଥିକ ନିଅଣ୍ଟ ହ୍ରାସ, ବିଦେଶୀ ନିବେଶ ଆକୃଷ୍ଟ କରିବାକୁ ସରକାର ଉଦ୍ୟମ କରିପାରନ୍ତି ।