ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କଠାରୁ ୩ ଲକ୍ଷ ଠକେଇ
ସମ୍ବଲପୁର: ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଜଣେ ଡାକ୍ତର ଓ ତାଙ୍କ ପ୍ରେମିକା ସମ୍ବଲପୁରର ଜଣେ ଯୁବତୀଙ୍କ ଠାରୁ ୩.୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ଅପେକ୍ଷା ପରେ ଚାକିରି ନମିଳିବାରୁ ଯୁବତୀ ଜଣକ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ସେମାନେ ଟଙ୍କା ଫେରାଇବା ବଦଳରେ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଗାଳିଗୁଲଜ କରିଥିଲେ। ଏନେଇ ଯୁବତୀଜଣଙ୍କ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଯୁବତୀ ଜଣକ ଉତ୍ତରପ୍ରଦେଶରେ ପାଠ ପଢୁଥିବା ବେଳେ ତାଙ୍କ ସହପାଠୀ ଅଦିତି ନୁପୂରଙ୍କ ସହ ଚିହ୍ନା ହୋଇଥିଲା। କିଛି ଦିନ ପରେ ଅଦିତି ନିଜର ପୁରୁଷ ବନ୍ଧୁ ଡା. ଚନ୍ଦନ ସହ ଯୁବତୀଙ୍କୁ ଭେଟ କରାଇଥିଲା। ଯୁବତୀଙ୍କର ଚାକିରି ଆବଶ୍ୟକତା ଥିବା ଜାଣି ଡା. ଚନ୍ଦନ ଚାକିରି କରାଇ ଦେବି ବୋଲି କହିଥିଲେ। ଚାକିରି ପାଇବା ଆଶାରେ ଯୁବତୀଜଣଙ୍କ ୩ ଲକ୍ଷ ୨୫ ହଜାର ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ଚାକିରି ଦେବା କଥା ଉଠିଲେ ନାନା ପ୍ରକାର ବାହାନା କରୁଥିଲେ। ଦୀର୍ଘ ଦିନ ପରେ ଯୁବତୀ ଜଣକ ଚାକିରି ଦରକାର ନାହିଁ, ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ସେମାନେ ଗାଳିଗୁଲଜ କରିବା ସହ ଟଙ୍କା ମାଗିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।