ଭୁବନେଶ୍ବର: ରାଜ୍ୟରେ ଏବେ ୩୪୫୩ ଟିକାକରଣ କେନ୍ଦ୍ରରେ ଟିକାକରଣ ଚାଲିଛି। ସେଥିରୁ ୧୧୯୧ଟି ଟୀକାକରଣ କେନ୍ଦ୍ରରେ ୧୫ରୁ ୧୮ବର୍ଷର କିଶୋରଙ୍କୁ ଟିକା ଦିଆଯାଉଛି। ଏ ବର୍ଗର ୩ ଲକ୍ଷ ୪୨ ହଜାର ୩୩୨ ଜଣଙ୍କୁ ଟିକା ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି, ଏହା ଭିତରେ ପ୍ରଥମ ଡୋଜ ୯୧ପ୍ରତିଶତ ଲୋକଙ୍କୁ ଦିଆଯାଇଛି। ସେଥିମଧ୍ୟରୁ ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇ ସାରିଛନ୍ତି। ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ ପ୍ରିକସନ ଡୋଜ। ସମ୍ମୁଖ ଯୋଦ୍ଧା, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ରିକସନ ଡୋଜ ଦିଆଯିବ। ଯିଏ ଯେଉଁ ଡୋଜ ନେଇଥିବ, ସିଏ ସେହି ଟିକା ନେବ। ଚାରିଆଡେ କରୋନା ବଢୁଛି। ସମସ୍ତଙ୍କୁ ପରାମର୍ଶ ସମସ୍ତେ କୋଭିଡ ନିୟମ ମାନି ଚାଲନ୍ତୁ।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୭୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୭୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୧୨୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୦୯ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।