ଟାଟା ଓପନ୍‌ ଜିତିଲେ ବୋପାନ୍ନା-ରାମକୁମାର

ପୁଣେ: ଭାରତୀୟ ତାରକା ଯୋଡ଼ି ରୋହନ ବୋପାନ୍ନା ଓ ରାମକୁମାର ରାମନାଥନ ଟାଟା ଓପନ୍‌ ମହରାଷ୍ଟ୍ର ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ରବିବାର ସ୍ଥାନୀୟ ବାଲେୱାଡି ଷ୍ଟାଡିୟମରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି ୬-୭ (୧୦-୧୨), ୬-୩, ୧୦-୬ ସେଟ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲିଆ ଯୋଡ଼ି ଲୁକେ ସାମିଲେ ଓ ଜନ୍‌-ପାଟ୍ରିକ ସ୍ମିଥ୍‌ଙ୍କୁ ପରାସ୍ତ କରିଥିଲେ। ଏହି ଯୋଡ଼ିଙ୍କୁ ଏହା ଦ୍ବିତୀୟ ଏଟିପି ମୁକୁଟ। ଏହା ବୋପାନ୍ନାଙ୍କ ୨୧ତମ ଏବଂ ପୁଣେରେ ଦ୍ବିତୀୟ। ପୂର୍ବରୁ ୨୦୧୯ରେ ଦିଭିଜ ସରଣଙ୍କ ସାଥୀ କରି ବୋପାନ୍ନା ଏଠାରେ ଟ୍ରଫି କରାୟତ୍ତ କରିଥିଲେ।
ପୁରୁଷ ଏକକ ଟ୍ରଫି ପର୍ତ୍ତୁଗାଲର ଜୋଆଓ ସୌସା ଜିତିଛନ୍ତି। ଫାଇନାଲ୍‌ରେ ସେ ୭-୬ (୧୧-୯), ୪-୬, ୬-୧ ସେଟ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଫିନ୍‌ଲାଣ୍ଡର ଇମିଲି ରୁସୁଭୁଓରିଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର