ନିରବତାର ସ୍ୱର

ଗତ କାଲି ସକାଳ ପ୍ରାୟ ସାଢ଼େ ଆଠଟାରେ, ଯେତେବେଳେ ଲତା ମଙ୍ଗେସକରଙ୍କ ତିରୋଧାନ ସ˚ପର୍କରେ ଏକ ଅତ୍ୟନ୍ତ ବିମର୍ଷକର ସମ୍ବାଦ ଆସି ପହଞ୍ଚିଲା, ସହସା କ୍ଷଣିକ ଲାଗି ପ୍ରସିଦ୍ଧ ସେହନାଇ ବାଦକ ବିସମିଲ୍ଲା ଖାଁଙ୍କ ଚେହେରା ମନ ଭିତରେ ଚମକି ଉଠିଲା। ୨୦୦୧ ମସିହାର କଥା। ସେହି ବର୍ଷ ଉଭୟ ଲତା ମଙ୍ଗେସକର ଏବ˚ ବିସମିଲ୍ଲା ଖାଁଙ୍କୁ ଭାରତୀୟ ସାଧାରଣତନ୍ତ୍ରର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତରତ୍ନ’ ଦ୍ବାରା ଭୂଷିତ କରାଯାଇଥାଏ। ଏହି ସମ୍ମାନ ପାଇବା ପରେ ପରେ ଏକ ମଧୁର ସକାଳେ ଗଙ୍ଗା କୂଳରେ ନିଜ ସେହନାଇ ତିନିଟିକୁ ପାଖରେ ରଖି ଏକ ଦଉଡ଼ିଆ ଖଟରେ ବସିଥିବା ବିସମିଲ୍ଲା ଖାଁଙ୍କୁ କୌଣସି ଜଣେ ସାମ୍ବାଦିକ ଲତା ମଙ୍ଗେସକରଙ୍କ ସମ୍ବନ୍ଧରେ କିଛି କହିବା ଲାଗି ଅନୁରୋଧ କରନ୍ତେ ତାଙ୍କ ମୁହଁରେ ସେହି ସ୍ବଭାବସୁଲଭ ନିଷ୍କପଟ ହସ ଚହଟାଇ ଓ ଚକ୍ଷୁ ଯୁଗଳରେ ଏକ ବୈଦ୍ୟୁତିକ ଚମକ ଆଣି ବିଶ୍ବର ସେହି ଅନ୍ୟତମ ମହାନତମ ସ˚ଗୀତଜ୍ଞ କହିଥିଲେ- ‘ହଜୁର, ସାରା ଜୀବନ ଟାକି ରହି ବିତିଗଲା, କୋଉ ଏକ କ୍ଷଣରେ ଲତାଙ୍କ ସ୍ବରରେ ଲିତାଏ ଶ୍ରୁତି ଖସିଯିବ; କିନ୍ତୁ ତାହା କସ୍ମିନ କାଳେ ହେଲା ନାହିଁ!’

ସେ ଏହା କହିବା ପରେ କୋଡ଼ିଏ ବର୍ଷ ବିତି ଗଲାଣି। ଏବ˚ ଆଜି ଲତାଙ୍କ କଣ୍ଠରୁ ଐନ୍ଦ୍ରଜାଲିକ ସ୍ବର ନିର୍ଗତ ହେବାର ସମସ୍ତ ସମ୍ଭାବନାର ଅନ୍ତ ଘଟିଯିବା ସହିତ ତାଙ୍କ ସ୍ବର ଛଅ ଦଶକରୁ ଅଧିକ କାଳ ଧରି ସେମିତି ‘ଶ୍ରୁତି ବିଚ୍ୟୁତ’ ନ ହୋଇ ରହିଯିବା ଏକ ଅନନୁକରଣୀୟ ଦୃଷ୍ଟାନ୍ତକୁ ମଧୢ ଜନ୍ମ ଦେଇଛି। କହିବା ଅନାବଶ୍ୟକ ଯେ ଯେତେବେଳେ ବି ସ୍ବରର ମାଧୁର୍ଯ୍ୟ ବିଷୟରେ ଆଲୋଚନା ହୋଇଥାଏ, ସେତିକି ବେଳେ କେବଳ ଲତା ମଙ୍ଗେସକର ହିଁ ତା’ର ଏକ ଐକାନ୍ତିକ ପ୍ରତୀକ ରୂପେ ଉଭା ହୁଅନ୍ତି।

କିନ୍ତୁ, ୧୯୪୨ ମସିହାରେ ପିତା ଦୀନାନାଥ ମଙ୍ଗେସକରଙ୍କ ନିଧନ ପରେ ଯେତେବେଳେ ୧୩ ବର୍ଷ ବୟସର କିଶୋରୀ ଲତା ନିଜ ପିତାଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ପାଇଥିବା ସ˚ଗୀତ ଶିକ୍ଷା ଏବ˚ ଈଶ୍ବରଙ୍କ ଠାରୁ ଆଶିଷ ସୂତ୍ରରେ ଲାଭ କରିଥିବା ସ˚ଗୀତ ବୋଧ ଏବ˚ ଅଦ୍ବିତୀୟ ଭାବେ ସୁଲଳିତ କଣ୍ଠ-ସ୍ବରକୁ ନେଇ ଜଣେ ଗାୟିକା ରୂପେ ଜୀବିକା ଅର୍ଜନ କରିବାକୁ ସିନେମା ଦୁନିଆରେ ପାଦ ଦେଲେ, ତାଙ୍କୁ ଏହି କାରଣରୁ ପ୍ରତ୍ୟାଖ୍ୟାତ ହେବାକୁ ପଡ଼ିଲା ଯେ ତାଙ୍କ ସ୍ବର ଅତ୍ୟନ୍ତ ପତଳା! କହିବା ଅନାବଶ୍ୟକ ଯେ ସେହି ସମୟରେ ସ˚ଗୀତ ଜଗତ୍‌ରେ ରାଜୁତି କରୁଥିବା ନୁରଜାହାଁ ବା ବେଗମ ଅଖତାର ବାଈ ବା ସୁରୈୟାଙ୍କ ଭଳି ଲୋକପ୍ରିୟ ଗାୟିକାମାନଙ୍କ ‘ମନ୍ଦ୍ର’ ମଧୁର କଣ୍ଠ ସ୍ବର ସ˚ଗୀତର ପରିବେଶକୁ ଭରି ରଖିିଥିଲା।

ସୁତରା˚, ଲତାଙ୍କ କଣ୍ଠ ନିସୃତ ‘ତାର ସପ୍ତକ’ର କୁହୁକ ତାନ ‘ପତଳା’ ରୂପେ ବିବେଚିତ ହେବାରେ ହୁଏ’ତ ବିଶେଷ ଅସ˚ଗତି ନ ଥିବ ବା ୧୯୪୨ର ‘କିଟି ହାସଲ’ ନାମଧାରୀ ସେହି ମରାଠୀ ସିନେମା ମୁକ୍ତିଲାଭ କଲା ପରେ ଲତା ମଙ୍ଗେସକର ଗାଇଥିବା ତାଙ୍କର ପ୍ରଥମ ଗୀତଟିକୁ ‘ଏଡିଟ୍‌’ କରି ସିନେମାରୁ ବାଦ୍‌ କରି ଦିଆଯାଇଥିବା ଘଟଣାରେ ମଧୢ ବିସ୍ମିତ ହେବାର କୌଣସି କାରଣ ନାହିଁ। କିନ୍ତୁ, ସେତେବେଳେ ଏହା ନିଶ୍ଚିତ ଭାବେ ତିନି ସାନ ଭଉଣୀ ଏବ˚ ଜଣେ ସାନ ଭାଇ ଏବ˚ ମା’ଙ୍କୁ ନେଇ ତାଙ୍କ ପରିବାରକୁ ଚଳାଇବାର ଚିନ୍ତା କିଶୋରୀ ଲତାଙ୍କୁ ଅତ୍ୟନ୍ତ ବିଚଳିତ କରିଥିବ, ଯାହା ତାଙ୍କୁ କେତେକ ସିନେମାରେ କିଛି ଅପା˚କ୍ତେୟ ଓ କ୍ଷୁଦ୍ର ଭୂମିକାରେ ଅଭିନୟ କରିବାକୁ ବାଧୢ କରିଥିବ। କିନ୍ତୁ ତା’ ପରେ ୧୯୪୮ ମସିହାରେ, ‘ମଜବୁର’ ଚଳଚ୍ଚିତ୍ରରେ ‘ଦିଲ୍‌ ମେରା ତୋଡ଼ା’ ଶୀର୍ଷକ ଗୀତ ଗାଇ ଲୋକପ୍ରିୟତା ହାସଲ କରିବା ଏବ˚ ସେହି ଠାରୁ ଆଉ କେବେ ବି ପଛକୁ ଫେରି ନ ଚାହିଁ ହିନ୍ଦୀ ସିନେମାର ମହିଳା କଣ୍ଠର ଗୀତ ଦୁନିଆକୁ ସ˚ପୂର୍ଣ୍ଣ ଅକ୍ତିଆର କରି ନିଜ ଜୀବଦ୍ଦଶାରେ ଜଣେ କିଂବଦନ୍ତିରେ ପରିଣତ ହୋଇଥିବା ଲତା ତାଙ୍କ ଦୀର୍ଘ ଯାତ୍ରାରେ ୩୦ ହଜାରରୁ ଅଧିକ ଗୀତ ଗାଇଥିଲେ ଏବ˚ ସ˚ଗୀତର ଲାଳିତ୍ୟରେ ଏକ ଅନନୁକରଣୀୟ ଉପମା ସ୍ଥାପନ କରିଥିଲେ।

ତାଙ୍କ କଣ୍ଠ ସ୍ବରର ଅବିଶ୍ବନୀୟ ମିଠା ପଣକୁ ନେଇ ଅନେକ କଥା ଲୋକକ୍ଷେତ୍ରରେ ଆଲୋଚିତ ହୋଇଥାଏ। ଶୁଣିବାକୁ ମିଳିଥାଏ ଯେ କୌଣସି ଏକ ଆମେରିକୀୟ କ˚ପାନି କୁଆଡ଼େ ତାଙ୍କ ଦେହାବସାନ ପରେ ତାଙ୍କ ‘ଭୋକାଲ କର୍ଡ‌୍‌’ ବା ‘ସ୍ବର ତନ୍ତ୍ରୀ’କୁ ନେଇ ଗବେଷଣା କରିବାକୁ ଆଗ୍ରହୀ, ଯଦ୍ଦ୍ବାରା ଏଭଳି ନୈସର୍ଗିକ ସ୍ବର-ମାଧୁରୀର ରହସ୍ୟ ଭେଦ କରାଯାଇପାରିବ। କହିବା ବାହୁଲ୍ୟ ଯେ ସେହି ପଟାନ୍ତରହୀନ ସ୍ବର ତାଙ୍କ ଦ୍ବାରା ବୋଲା ଯାଉଥିବା ପ୍ରତିଟି ଗୀତକୁ ଅମରତ୍ବ ପ୍ରଦାନ କରିଛି; ଭି ଶାନ୍ତରାମଙ୍କ ନିର୍ଦ୍ଦେଶିତ ‘ଦୋ ଆଖେଁ ବାରା ହାଥ୍‌’ ଚଳଚ୍ଚିତ୍ରର ‘ଏ ମାଲିକ ତେରେ ବନ୍ଦେ ହମ୍‌’ ଭଳି ଗୀତକୁ ସମଗ୍ର ଦେଶର ପ୍ରାର୍ଥନାରେ ପରିଣତ କରିଛି ବା ‘ୟେ ମେରେ ଵତନ୍‌ କି ଲୋଗୋଁ’ ଭଳି ଦେଶାତ୍ମବୋଧକ ଗୀତ ଦ୍ବାରା ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ତିତ ଜଵହରଲାଲ ନେହରୁଙ୍କ ଚକ୍ଷୁରୁ ଅଶ୍ରୁ ଝରାଇଛି। କହିବା ଅନାବଶ୍ୟକ ଯେ ୧୯୪୮ ମସିହାରୁ ଆରମ୍ଭ କରି ପରବର୍ତ୍ତୀ ଷାଠିଏ ବର୍ଷର ସମୟ ଖଣ୍ତରେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସବୁ ନାୟିକା, ପାର୍ଶ୍ବ ନାୟିକା ଏବ˚ ଶିଶୁ କଳାକାରଙ୍କ ଲାଗି ଲତା କଣ୍ଠ ଦାନ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ ଏବଂ ‘ଅରୁନ୍ଧତୀ’ର ଦୁଇଟି ଗୀତ ଯଥାକ୍ରମେ ‘ସେଇ ଚନୁା ଚୁନା ତାରାଫୁଲ’ ଏବଂ ‘ଆଜି ମୁଁ ଶ୍ରାବଣୀ’ ତାଙ୍କ କଣ୍ଠରେ ହିଁ ଅବିନଶ୍ବରତା ଲାଭ କରିଛି।

ବାଣୀ ଓ ସ˚ଗୀତର ଦେବୀ ମା’ ସରସ୍ବତୀଙ୍କ ପୂଜୋତ୍ସବ ପର ଦିନ ଲତା ମଙ୍ଗେସକରଙ୍କ ପରଲୋକ ଘଟିଲା। ଆଜୀବନ ଶୁଭ୍ର ବସ୍ତ୍ରରେ ପରିଦୃଷ୍ଟା ତାଙ୍କୁ ଧରାପୃଷ୍ଠରେ ବିଚରଣ କରୁଥିବା ଦେବୀ ସରସ୍ବତୀଙ୍କ ସହିତ ତୁଳନା କରାଯାଇଥାଏ। ସେ ଯେଉଁ ସମୟ ପର˚ପରାର ଗାୟିକା ଥିଲେ, ତାହା କେବଳ ଥିଲା ‘ଶ୍ରବଣ ଇନ୍ଦିୟ’ ଲାଗି ଉଦ୍ଦିଷ୍ଟ। ଏକ ସ˚ଭ୍ରମ ଓ ଶୃଙ୍ଖଳିତ ବାଦକ ଦଳ ଗହଣରେ ଗୋଟିଏ ସ୍ଥାନରେ ଦଣ୍ତାୟମାନା ଓ ସମଗ୍ର ଶରୀର ଶାଢ଼ି ଦ୍ବାରା ପରିବୃତା ଲତା ସ୍ବରର ଯାଦୁରେ ଇନ୍ଦ୍ରଜାଲ ସୃଷ୍ଟି କରି ସମବେତ ଦର୍ଶକମାନଙ୍କୁ ‘ଆତ୍ମ ବିସ୍ମୃତ ଶ୍ରୋତା’ରେ ପରିଣତ କରି ଦେଉଥିଲେ। ଆଜି ଯେଉଁ ତରୁଣ ଗାୟକ ବା ଗାୟିକାମାନେ ମଞ୍ଚାଲୋକର ଲୁଚକାଳି ଖେଳ ମଧୢରେ ଚମକପ୍ରଦ ନୃତ୍ୟ ସହିତ ସାରା ପେଣ୍ତାଲ ବୁଲି ବୁଲି ଗୀତ ଗାଇ ଶ୍ରୋତାଙ୍କମାନୁୁ ‘ଦର୍ଶକ’ରେ ମଧୢ ପରିଣତ କରି ସାରଛନ୍ତି, ସେମାନେ ହୁଏ’ତ ଲତାଙ୍କ ଭଳି ଏକ ଚମକହୀନ ପରିବେଶରେ ‘କିମିଆ’ ସୃଷ୍ଟିକୁ ଅତ୍ୟନ୍ତ ଦୁରୂହ ବ୍ୟାପାର ବୋଲି ମନେ କରିପାରନ୍ତି।

ସ୍ମରଣ କରାଯାଇପାରେ ଯେ ହିନ୍ଦୀ ସିନେମା ସ˚ଗୀତ କ୍ଷେତ୍ରରେ ଲତା ମଙ୍ଗେସକର(ସାନ ଭଉଣୀ ଆଶା ଭୋଁସଲେଙ୍କ ସହିତ)ଙ୍କ ଏକାଧିପତ୍ୟ ଏକ ବିରୋଧୀ ଗୋଷ୍ଠୀଙ୍କୁ ମଧୢ ସୃଷ୍ଟି କରିଥିଲା, ଯେଉଁମାନେ ଏକ ଲା˚ଛନା ଲଗାଇବାର ଚେଷ୍ଟା କରିଥିଲେ ଯେ ତାଙ୍କ ରାଜନୀତି କାରଣରୁ ଅନେକ ଗାୟିକା ହିନ୍ଦୀ ସିନେମା ମଧୢକୁ ପ୍ରବେଶ କରି ପାରି ନାହାନ୍ତି। ସାରା ଜୀବନ ଅବିବାହିତା ରହିଥିବା ଲତାଙ୍କ ସହିତ ଭୂପେନ ହାଜାରିକା ବା ରାଜ ସି˚ହ ଡୁଙ୍ଗୁରପୁରେଙ୍କ ସ˚ପର୍କକୁ ନେଇ କିଛି କାଳ ଗଣମାଧୢମଗୁଡ଼ିକରେ ମୃଦୁ ଗୁଂଜରଣ ପ୍ରକାଶ ପାଇଥିଲା। କିନ୍ତୁ, ଏ ବ୍ୟାପାରରେ ଲତା ମଙ୍ଗେସକର ଥିଲେ ସ˚ପୂର୍ଣ୍ଣ ଅବିଚଳିତ ଏବଂ ନିରବ। କହିବା ବାହୁଲ୍ୟ ଯେ ତାଙ୍କ ପରିଧାନ ଭଳି ତାଙ୍କ ପ୍ରତିଷ୍ଠା ଶେଷ ପର୍ଯ୍ୟନ୍ତ ରହିଥିଲା ରଜତ ଶୁଭ୍ର। ଏଭଳି ଆଲୋଚନା ବେଳେ ପ୍ରସିଦ୍ଧ ଗୀତିକାର ଏବ˚ ଚିତ୍ର ନାଟ୍ୟ ଲେଖକ ଜାଭେଦ ଅଖତର ଥରେ କହିଥିଲେ- ମାଇକେଲ ଏନ୍‌ଜେଲୋଙ୍କ ଭଳି ଲତା ମଙ୍ଗେସକରଙ୍କ ନାମ ହିଁ ଯଥେଷ୍ଟ। ଏହି ଉକ୍ତିରେ ସେ ଯାହା ଜଣାଇବାକୁ ଚାହିଁଥିଲେ, ତାହା ହେଲା ଲତା ମଙ୍ଗେସକର ଏଭଳି ଜଣେ କଳାକାର, ଯିଏ ତାଙ୍କ କଳା ଠାରୁ ମଧୢ ଉଚ୍ଚତର!

କିନ୍ତୁ ସ୍ବୟ˚ ଲତା ମଙ୍ଗେସକର ଏହି ବିଚାରର ପକ୍ଷପାତୀ ନ ଥିଲେ। ‘ଦ ହିନ୍ଦୁ’ ଖବରକାଗଜକୁ ପ୍ରଦାନ କରିଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ କେବେ ହେଲେ ନିଜ ଦ୍ବାରା ବୋଲା ଯାଇଥିବା ଗୀତଗୁଡ଼ିକ ଶୁଣନ୍ତି ନାହିଁ। କାରଣ ପ୍ରତିଟି ଗୀତରେ ସେ ନିଜର କିଛି ନା କିଛି ତ୍ରୁଟି ପାଆନ୍ତି, ସୁଯୋଗ ପାଇଲେ ଯାହାକୁ ସେ ପରିମାର୍ଜିତ କରି ପାରନ୍ତେ!

କୋଭିଡ୍‌ ମହାମାରୀ ଯେଉଁ କତିପୟ ଜ୍ୟୋତିଷ୍କଙ୍କୁ ଭାରତୀୟ ଆକାଶରୁ ଚିର ଦିନ ଲାଗି ଅନ୍ତର୍ହିତ କରିଦେଇଛି, ଲତା ମଙ୍ଗେସକର ସମ୍ଭବତଃ ଥିଲେ ସେମାନଙ୍କ ମଧୢରେ ଉଜ୍ଜ୍ବଳତମ। ତାଙ୍କ କଣ୍ଠରୁ ଆଉ ସ୍ବର ନିସୃତ ହେବ ନାହିଁ। କିନ୍ତୁ ତଦ୍ଦ୍ବାରା ଯେଉଁ ନିରବତା ସୃଷ୍ଟି ହେବ, ତହିଁରେ ଯଦି କୌଣସି ରସଗ୍ରାହୀ ଶ୍ରୋତା କାନ ଡେରି କିଛି ଶୁଣିବାକୁ ଚେଷ୍ଟା କରେ, ତେବେ ହୁଏ’ତ ତା’ ମଧୢରେ ତାକୁ ଶୁଭି ଯାଇପାରେ ଏକ ଅଦୃଶ୍ୟ ବେହେଲାର କରୁଣ ମୂର୍ଚ୍ଛନା!

ସମ୍ବନ୍ଧିତ ଖବର