ଇଷ୍ଟ୍‌ ବେଙ୍ଗଲକୁ ଆଜି ଭେଟିବ ଓଡ଼ିଶା

ଗୋଆ: ଓଡ଼ିଶା ଏଫ୍‌ସି ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା‌ର ସୋମବାର ମ୍ୟାଚ୍‌ରେ ଏସ୍‌ସି ଇଷ୍ଟ୍‌ ବେଙ୍ଗଲକୁ ଭେଟିବ। ଏହି ଭୁବନେଶ୍ବର ଭିତ୍ତିକ ଦଳ ନିଜ ଶେଷ ୩ ମ୍ୟାଚ୍‌ରେ ବିଜୟ ଶୂନ୍ୟ ରହିଛି। ତେବେ ତିଲକ ମୈଦାନରେ ଖେଳାଯିବାକୁ ଥିବା ଇ‌ଷ୍ଟ୍‌ ବେଙ୍ଗଲ ବିପକ୍ଷ ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିବା ଲାଗି ପ୍ରଶିକ୍ଷକ କିନୋ ଗାର୍ସିଆ ଦଳ ପଡ଼ିଆକୁ ଓହ୍ଲାଇବ। ସଂପ୍ରତି ଦଳ ୧୪ ମ୍ୟାଚ୍‌ ଖେଳି ୫ ବିଜୟ, ୩ ଅମୀମାଂସିତ ଓ ୬ ପରାଜୟରୁ ୧୮ ପଏଣ୍ଟ୍‌ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଚଳିତ ଆଇଏସ୍‌ଏଲ୍‌ରେ ଇଷ୍ଟ୍‌ ବେଙ୍ଗଲ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଓଡ଼ିଶା ଏଫ୍‌ସି ୬-୪ ଗୋଲ୍‌ରେ ଜିତିଥିଲା। ‌‌ତେଣୁ ଏହି ମ୍ୟାଚ୍‌ରେ ଓଡ଼ିଶା ଆଗରେ ରହିବାର ଆଶା ରହିଛି। ଅନ୍ୟପକ୍ଷ‌ରେ ଇଷ୍ଟ ବଙ୍ଗେ ୧୫ ମ୍ୟାଚ୍‌ ଖେଳି ୧ ବିଜୟ ଏବଂ ୭ ଲେଖାଏଁ ପରାଜୟ ଓ ଅମୀମାଂସିତରୁ ୧୦ ପଏଣ୍ଟ୍‌ ପାଇ ଟେବୁଲର ଦଶମ ସ୍ଥାନରେ ରହିଛି। କେବଳ ଏହି ଦଳ ଏଫ୍‌ସି ଗୋଆକୁ ପରାସ୍ତ କରିବାକୁ ସକ୍ଷମ ହୋଇଛି। ହେଲେ ଗତ ମ୍ୟାଚ୍‌ରେ ଚେନାୟିନ୍‌ ଏଫ୍‌ସି ବିପକ୍ଷରେ ଅମୀମାଂସିତ ରଖିଥିବାରୁ ଦଳର ମନୋବଳ ଦୃଢ଼ ରହିଛି।

ସମ୍ବନ୍ଧିତ ଖବର