ଶ୍ରୀମନ୍ଦିରରେ ଆଜି ଘଣାଲାଗି ନୀତି
ଶୁଦ୍ଧ ସୁଆରଙ୍କ ଘରୁ ବିଜେ କରିବ ଖଳିପ୍ରସାଦ, ମା’ ବିମଳାଙ୍କ କୂଅରୁ ଗଲା ଜଳ
ପୁରୀ : ଅଣସର ଘରେ ଗୋପନ ନୀତି ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ବି ସୂଚନା ଦେଇ ସାରିଛନ୍ତି ସେବକବୃନ୍ଦ। ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବି ନିବେଦନ କରିଛନ୍ତି। ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ଘଣାଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଶନିବାର ବିଳମ୍ବିତ ରାତିରୁ ଦଇତାପତି ସେବକମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି (ରବିବାର) ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନୀତିକାନ୍ତି ଚାଲିବ। ଅନ୍ୟପଟେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଖଳିପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଏଥିସହ ଖଡ଼ି ପ୍ରସାଦ ଲାଗି ନୀତି ବି ଅନୁଷ୍ଠିତ ହେବ। ଏହା ପରେ ଅସୁସ୍ଥ ମହାପ୍ରଭୁ ନବଯୌବନପ୍ରାପ୍ତି ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ବରିଷ୍ଠ ଶୁଦ୍ଧ ସୁଆର ସେବକ ଲୋକନାଥ ସୁଆର କହିଛନ୍ତି ଯେ ଆଜି ଶୁଦ୍ଧ ସୁଆର ସେବକଙ୍କ ଘରୁ ଦିବ୍ୟ ପ୍ରଲେପ ‘ଖଳିପ୍ରସାଦ’ ବିଜେ କରିବ। ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇବା ପରେ ଦୋଳମଣ୍ଡପସାହିରୁ ବିଜେ କାହାଳୀ ସହ ଶୋଭାଯାତ୍ରାରେ ଶୁଦ୍ଧ ସୁଆର ସେବକମାନେ ଶ୍ରୀମନ୍ଦିରକୁ ଖଳି ପ୍ରସାଦ ବିଜେ କରିବେ। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଖଳିପ୍ରସାଦ ବିଜେ ନୀତି ସମ୍ପନ୍ନ ହେବ। ପରମ୍ପରା ମୁତାବକ, ଆଜି ନିଶାର୍ଦ୍ଧରେ ଶ୍ରୀମନ୍ଦିରରେ ଘନ ଅନ୍ଧକାରରେ ବିରୂପ ବିସର୍ଜନ କରାଯିବ। ଏହାକୁ ଜଳସମାଧି ଦିଆଯିବ। ଘନ ଅନ୍ଧକାର ଭିତରେ ଶ୍ରୀମନ୍ଦିରରେ ଶୋଧ କାର୍ଯ୍ୟ ସମ୍ପନ୍ନ ହେବ। ତ୍ରୟୋଦଶୀ ତିଥିରେ ଖଳି ପ୍ରସାଦ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି। ଏଥିପାଇଁ ଶନିବାର ଦିନ ସଂଧ୍ୟାଧୂପ ପରେ ଖଳି ପ୍ରସାଦ ପ୍ରସ୍ତୁତ ପାଇଁ ମା’ ବିମଳାଙ୍କ କୂଅରୁ ଜଳ ନିଆଯାଇଛି। ଶୁଦ୍ଧ ସୁଆରମାନେ ଏହି ଜଳରେ ତିନି ଠାକୁରଙ୍କ ପାଇଁ ଖଳି ପ୍ରସାଦ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଘଣାଲାଗି ନୀତି ଶନିବାର ରାତିରୁ ଆରମ୍ଭ ହୋଇଛି। ଘଣାଲାଗି ନୀତି ଅନୁଯାୟୀ, ମହାପ୍ରଭୁଙ୍କଠାରେ ଲାଗିଥିବା ପୁରୁଣା ବାସୁଙ୍ଗାପାଟକୁ ଖୋଲାଯାଇ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ନିର୍ମାଣ ହୋଇଥିବା ନୂଆ ବାସୁଙ୍ଗାପାଟ ଲାଗି କରାଯିବ। ଏହା ପରେ ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବ। ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ିପ୍ରସାଦ ବିଜେ ହେବ। ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଏହି ଖଡି ପ୍ରସାଦ ଲାଗି ହେବ।