ଆନନ୍ଦପୁର: ବଡ଼ ଭାଇର ମୃତ୍ୟୁ ଖବର ଶୁଣି ଟଳି ପଡ଼ିଲେ ସାନଭାଇ। ପରବର୍ତ୍ତୀ ସମୟରେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିବାବେଳେ ସାନଭାଇର ମୃତ୍ୟୁ ହୋଇ ଯାଇଥିଲା। ଏଭଳି ଘଟଣା ଘଟିଛି ଘସିପୁରା ବ୍ଳକ ଗୋହିରା ପଞ୍ଚାୟତର ଭୋଳନୁଆଗାଁ ଗ୍ରାମରେ। ମୃତ ସାନଭାଇ ହେଉଛନ୍ତି ରାହାସ ବିହାରୀ ଶତପଥୀ(୬୨)।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ରାହାସଙ୍କ ବଡ଼ଭାଇ ବିପିନ୍ ବିହାରୀ ଶତପଥୀଙ୍କର ଗତକାଲି ଅପରାହ୍ଣରେ ମୃତ୍ୟୁ ହୋଇଥିଲା। ଏହି ଖବର ପାଇବାପରେ ଘରେ ଥିବା ରାହାସ ଚେୟାରରେ ବସିଥିବାବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ମାନସିକ ଆଘାତ ପାଇ ତାଙ୍କର ବ୍ରେନ୍ ଷ୍ଟୋକ୍ ହୋଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳ ୮ଟାରେ କଟକର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା।
ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ଅମର ଶତପଥୀ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ମୃତଦେହ ଏଠାକୁ ଆସିବାପରେ ଗ୍ରାମ ଶ୍ମଶାନରେ ଶୋକାକୂଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ ନାରାୟଣ ମିଶ୍ର, ଅଭିମନ୍ୟୁ ଶତପଥୀ, ଶ୍ରୀହର୍ଷ ଶତପଥୀ, ସୁରେଶ କୁମାର ମିଶ୍ର, ଶ୍ରୀନୀବାସ ଶତପଥୀ, ଭାଗବତ ମିଶ୍ର, ଭରତ ମିଶ୍ର, ରଂଜନ ମିଶ୍ର, ପ୍ରହ୍ଲାଦ ସାହୁ, ସତ୍ୟାନନ୍ଦ ନାୟକ, କୁନା ମହାକୁଡ଼, ଶଙ୍କର ମହାକୁଡ଼, ଗଗନ ଶତପଥୀ, ଚିତ୍ତରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୁତ୍ର ଅମର ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ରାହାସ ଜଣେ ରୋଷେୟା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।