ଡାକ୍ତରଖାନାରେ ଉନ୍ମତ୍ତକାଣ୍ଡ ଘଟଣା: ଏସ୍ପିଙ୍କ ହସ୍ତକ୍ଷେପ ପରେ ଦୁଇ ସୁରକ୍ଷାକର୍ମୀ ଗିରଫ
ଚଣ୍ଡିଖୋଲ: ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବା ରୋଗଣା ଭଉଣୀ ଓ ଭାଇକୁ ଗତକାଲି ନିସ୍ତୁକ ମାଡ଼ ମାରିଥିବା ୪ ସୁରକ୍ଷା କର୍ମୀଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଆଉ ଦୁଇଜଣ ଫେରାର ଅଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ଶୁଭେନ୍ଦୁ ପ୍ରଧାନ (୪୦) ଓ ହିମାଂଶୁ ଜେନା (୩୦) । ସେମାନଙ୍କ ନାମରେ ଥାନା କେସ୍ ନମ୍ବର ୨୪୧/୨୨ରେ ମାମଲା ରୁଜୁ କରାଯାଇ ଧାରା ୩୪୧/୨୯୪/୩୨୩/୫୦୬/୩୫୪ ଆଇପିସି ୩୪ ଧାରା ଲାଗୁ କରାଯାଇଛି । ଅନ୍ୟ ଦୁଇ ଅଭିଯୁକ୍ତ ପ୍ରଦୀପ୍ତ ନାଥ ଓ ନୃସିଂହ ରାଉତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନ ଉପରେ ଚଢଉ ଜାରି ରଖିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉକି ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର ତାପସ ରଞ୍ଜନ ସାହୁ ଗତକାଲି ତାଙ୍କ ଭଉଣୀର ଚିକିତ୍ସା ପାଇଁ ବଡ଼ଚଣା ମେଡିକାଲକୁ ଆସିଥିଲେ। ଧାଡ଼ିରେ ରୋଗୀମାନେ ଡାକ୍ତରଙ୍କ ପାଖକୁ ଯାଉଥିବା ବେଳେ ସୁରକ୍ଷାକର୍ମୀମାନେ ଡାକ୍ତରଙ୍କ ଧାଡ଼ି ବାହାର ଲୋକଙ୍କୁ ପଠାଇବାରୁ ତାପସ ବିରୋଧ କରିଥିଲେ। ଏହାକୁ ନେଇ ସୁରକ୍ଷାକର୍ମୀମାନେ ଡାକ୍ତରଖାନା ବାରଣ୍ଡାରେ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲେ। ତାପସଙ୍କ ଭଉଣୀ ମଧ୍ୟ ମାଡ଼ରୁ ବର୍ତ୍ତିନଥିଲେ । କେତେକ ପ୍ରଭାବଶାଳୀ ଲୋକ ଏଥିରେ ହସ୍ତକ୍ଷେପ ପରି ଘଟଣାକୁ ଚପାଇ ଦେବାକୁ ହୀନ ଉଦ୍ୟମ କରିଥିଲେ। ତାପସ ଭୟରେ ଏନେଇ ପୁଲିସ ଅଭିଯୋଗ କରିନଥିଲେ ।ଯାଜପୁର ଏସ୍ପି ରାହୁଲ ପିଆର ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜାଣି ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ବଡ଼ଚଣା ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି ଗଣ୍ଡଗୋଳରେ ସାମିଲ ଥିବା ସମସ୍ତ ସୁରକ୍ଷା କର୍ମୀଙ୍କୁ ସିକ୍ୟୁରିଟି ଏଜେନ୍ସି ଚାକିରିରୁ ବହିଷ୍କାର କରିଛି। ଫେରାର ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସୁଦୀପ ସାମଲ ଓ ବିଜେପି ଯୁବ ମୋର୍ଚ୍ଚା ଦାବି କରିଛି ।