୧୦ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି
କଟକ : ଏକ ଶିଶୁ କନ୍ୟାକୁ ଚୋରି କରି ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କଟକ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଏହି ମାମଲାରେ ଅଭିଯୁକ୍ତ କୁନି ମୁଣ୍ଡାକୁ ଗିରଫ କରିବା ସହ ଶିଶୁ କନ୍ୟାକୁ ଉଦ୍ଧାର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଜଗତସିଂହପୁର ବାଲିକୁଦା ଅଞ୍ଚଳର ରବୀନ୍ଦ୍ର କୁମାର ସାହୁ ତାଙ୍କ ପରିବାର ସହିତ ବାଲିଯାତ୍ରା ତଳ ପଡ଼ିଆରେ ଜରି ପାଲ ଟାଙ୍ଗି ଗଲା ଚାରି ଦିନ ହେବ ରହୁଛନ୍ତି। ଗଲା ୨୨ ତାରିଖ ଭୋର ପ୍ରାୟ ୫ଟା ବେଳେ ତାଙ୍କ ତିନି ବର୍ଷର ଝିଅ ନିଖୋଜ ହୋଇ ଯାଇଥିଲା। ଏ ସଂକ୍ରାନ୍ତରେ ସେ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଇଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରି କୁନି ମୁଣ୍ଡା ନିକଟରେ ପହଞ୍ଚିଥିଲା। ଗଡ଼ଗଡ଼ିଆ ମନ୍ଦିର ନିକଟରେ ରହୁଥିବା ମୟୂରଭଞ୍ଜ ଢିଙ୍କିକୋଟର କୁନି ଏହି ଶିଶୁଟିକୁ ଅପହରଣ କରି ନେଇଥିଲା। ତାକୁ ସେ ସଦର ଥାନା ଶ୍ରୀକୋରୁଆଁ ଅଞ୍ଚଳର ଜଣେ ଅଟୋ ଡ୍ରାଇଭର୍ ଦିବାକର ସାହାକୁ ୧୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲା। ପୁଲିସ କୁନିକୁ ଗିରଫ କରିବା ସହିତ ଦିବାକର ଘରେ ଚଢ଼ଉ କରି ଶିଶୁଟିକୁ ଉଦ୍ଧାର କରିଛି। କିନ୍ତୁ, ଦିବାକର ଏବେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୁଲିସ ତାକୁ ବି ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ଜଣାପଡ଼ିଛି।