ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଧର୍ମିଣୀ ଜୟନ୍ତୀ ପଟ୍ଟନାୟକ ଆଉ ନାହାନ୍ତି | ଗତକାଲି ତାଙ୍କର ପରଲୋକ ଘଟିଥିବାବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ଆଜି ତାଙ୍କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରୁଛନ୍ତି | ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ଅନ୍ୟ କଂଗ୍ରେସ ନେତାମାନେ ଶେଷଦର୍ଶନ କରିଛନ୍ତି | ଆଉ କିଛି ସମୟ ପରେ ମରଶରୀର କଂଗ୍ରେସ ଭବନକୁ ନିଆଯିବ ଓ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ | ସେଠାରୁ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ |
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉ କି ଯେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୯୦ବର୍ଷ ବୟସରେ ଫରେଷ୍ଟ ପାର୍କସ୍ଥିତ ବାସଭବନରେ ଗତକାଲି ରାତି ୮ଟା ୨୦ମିନିଟ୍ରେ ତାଙ୍କର ପରଲୋକ ହୋଇଯାଇଥିଲା। ମୃତ୍ୟୁ ବେଳେ ତାଙ୍କ ନିକଟରେ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ, ବୋହୂ ସସ୍ମିତା ପଟ୍ଟନାୟକ, ବଡ଼ ଝିଅ ସୁଦତ୍ତା ପଟ୍ଟନାୟକ, ଜ୍ବାଇଁ ସୌମ୍ୟ ରଂଜନ ପଟ୍ଟନାୟକ, ଝିଆରୀ ଗୀତା ବକ୍ସି, ନାତୁଣୀ ତନୟା ପଟ୍ଟନାୟକ, ନାତୁଣୀ ଜ୍ବାଇଁ ସତ୍ୟ ସ୍ମୃତି ମହାନ୍ତି, ନାତୁଣୀ ତମନ୍ନା ପଟ୍ଟନାୟକ ଓ ତନ୍ମୟୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମତୀ ପଟ୍ଟନାୟକଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ।