ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇବେ
ପୁରୀ : ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନଭେମ୍ବର ୧୦ ତାରିଖରେ ପୁରୀ ଗସ୍ତରେ ଆସିବେ। ଏହି ଅବସରରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଗସ୍ତ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଗତକାଲି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଆମକୁ ରାଷ୍ଟ୍ରପତି ଭବନରୁ ଚିଠି ଆସିଛି। ୧୦ ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ପୁରୀ ଆସିବେ। ଏହିଅବସରରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରି ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତାକାଲି ଏ ଉପରେ ଛତିଶାନିଯୋଗ ବୈଠକ ଡକାଯାଇଛି। ରାଷ୍ଟ୍ରପତି ଯେଭଳି ଶୃଙ୍ଖଳିତ ଦର୍ଶନ କରି ଫେରିବେ, ସେ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବ। ସେହିଭଳି ଜିଲ୍ଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ବି ଏକ ସମୀକ୍ଷା ବୈଠକ ଆସନ୍ତାକାଲି ଡକାଯାଇଛି ବୋଲି ଶ୍ରୀ ବର୍ମା କହିଛନ୍ତି।
ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ବୈଦ୍ୟନାଥ ମହାପାତ୍ର କହିଛନ୍ତି, ୧୦ ତାରିଖରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆନନ୍ଦବଜାରରେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି। ସିଂହଦ୍ବାର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବି ସେ ପୁଷ୍ପମାଲ୍ୟ ଅର୍ପଣ କରିବେ। ପୂର୍ବରୁ ରାଷ୍ଟ୍ରପତି ୪ ଥର ଶ୍ରୀମନ୍ଦିର ଆସିଥିଲେ। କାଉନ୍ସିଲର ଥିବା ସମୟରେ ପ୍ରଥମଥର ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ଆସିଥିଲେ। ପରେ ବିଧାୟକ ହେବା ସମୟରେ ଦର୍ଶନ ପାଇଁ ଆସିଥିଲେ। ମନ୍ତ୍ରୀ ଓ ରାଜ୍ୟପାଳ ହେବା ପରେ ବି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ବୋଲି ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି।