ଧର୍ମଶାଳା : କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା ଆଜି ସଂଧ୍ୟାରେ ଧର୍ମଶାଳା ନିର୍ବାଚନ ମଣ୍ତଳୀର ଜାରକାଠାରେ ପହଞ୍ଚିଛି। ବ୍ଲକ୍ ସଭାପତି କିଶାନ ପଣ୍ତାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ପଦଯାତ୍ରାକୁ ସ୍ବାଗତ କରିବା ସହିତ ଜାରକା ସିନେମା ହଲ୍ ନିକଟରୁ ଧର୍ମଶାଳା ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ପଦଯାତ୍ରାରେ ଆସିଥିବା ପିସିସି ନେତୃମଣ୍ତଳୀ ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ଶୁଭେଛା ଜଣାଇଥିଲେ। ପରେ ଧର୍ମଶାଳା ପ୍ରେସ୍ କ୍ଲବ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ବିରୋଧରେ ବର୍ଷିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ମୋଦୀ ସରକାର ଯେଉଁ ସ୍ବପ୍ନ ଦେଖାଇ ସରକାରକୁ ଆସିଥିଲା, ତାହା ପୂରଣ କରିବାରେ ବିଫଳ ହୋଇଛି। ଦେଶରେ ୧୬ ଲକ୍ଷ ଗରିବ ଲୋକ ଗୋଟିଏ ଓଳି ଖାଇବାକୁ ପାଉନାହାନ୍ତି। ଚାଷୀ ଉତ୍ପାଦିତ ଫସଲର ସହାୟକ ମୂଲ୍ୟ ପାଉନାହିଁ। ଚାଷୀ ଆତ୍ମହତ୍ୟା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡି ୨୨ ବର୍ଷ ଧରି ଶାସନରେ ରହିଆସିଥିବା ବେଳେ ରାଜ୍ୟରେ ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ନାରୀ ନିର୍ଯାତନା, ବେକାରୀ ସମସ୍ୟା, ଦାଦନ ସମସ୍ୟା ଭଳି ଅନେକ ସମସ୍ୟା ଦିନକୁ ଦିନ ବଢ଼ିଚାଲିଛି। ବିଜେଡି ସରକାର ନିୟନ୍ତ୍ରଣରେ ଅମଲାତନ୍ତ୍ର ନାହିଁ। ରାମ୍କୋ ସିମେଣ୍ଟ କାରଖାନାର ପ୍ରଦୂଷଣରେ ଅଞ୍ଚଳବାସୀ ଅତିଷ୍ଠ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାହାର ଲୋକଙ୍କୁ ଚାକିରି ଦିଆଯାଉଛି। ବହୁବର୍ଷ ହେଲା କଂଗ୍ରେସ ଶାସନରୁ ଦୂରେଇ ରହିଥିଲେ ମଧ୍ୟ ଏବେବି କଂଗ୍ରେସ କର୍ମୀଙ୍କ ମନୋବଳ ଦୃଢ଼ ରହିଛି। ପଦଯାତ୍ରା ସମୟରେ ଗତକାଲି ଛତିଆ ନିକଟରେ ହୋଇଥିବା ମାରପିଟ୍ ଘଟଣା ସଂପର୍କରେ ଉତ୍ତର ରଖି ଶ୍ରୀ ପଟ୍ଟନାୟକ କଂଗ୍ରେସରେ ଗୋଷ୍ଠୀ ଥାଇପାରେ, ମାତ୍ର କନ୍ଦଳ ନାହିଁ ବୋଲି କହିଥିଲେ। ପିସିସିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସିର ପୂର୍ବତନ ସାଧାରଣ ସମ୍ପାଦକ ଡ. ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ ରାଉତ, ପୂର୍ବତନ ପିସିସି ସାଧାରଣ ସଂପାଦକ କିଶାନ ପଣ୍ତା ଓ ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ମାନସ ରଞ୍ଜନ କର ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀନାଥ ମିଶ୍ର ଓ ମଧୁପୁରଗଡ଼ ରାଣୀ ଅପର୍ଣ୍ଣା ସିଂହ ଭରଦ୍ବାଜଙ୍କୁ ପଶିବାକୁ ଦିଆଯାଇନଥିଲା।
କଂଗ୍ରେସ ନେତା ବସନ୍ତ କୁମାର ପରିଡ଼ା, ମିହିର ଖୁଣ୍ଟିଆ, ଯୁବନେତା ଦେବାଶିଷ ପରିଡ଼ା, କାର୍ତ୍ତିକ ସାହୁ, ପ୍ରଫୁଲ୍ଲ କୁମାର ରାଉତ, ଉଗ୍ରସେନ ମହାନ୍ତିଙ୍କ ସମେତ ବହୁ ଛାମୁଆ କର୍ମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପଦଯାତ୍ରାରେ ଆସିଥିବା ନେତା ଓ କର୍ମୀ ଆଜି ଏଠାରେ ରାତ୍ରଯାପନ କରିବେ। ଆସନ୍ତାକାଲି ପୂର୍ବାହ୍ଣରେ ପଦଯାତ୍ରା କୋରେଇ ନିର୍ବାଚନ ମଣ୍ତଳୀ ଅଭିମୁଖେ ବାହାରିଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।