କର୍ମଜୀବୀ ମହିଳା ହଷ୍ଟେଲରେ ଚାଲିଛି ସରକାରୀ କାର୍ଯ୍ୟାଳୟ
ଭୁବନେଶ୍ବର : ସହରାଞ୍ଚଳରେ ମହିଳାମାନଙ୍କୁ ନିରାପଦ ଓ ସୁବିଧାଜନକ ଆବାସକୁ ପ୍ରୋତ୍ସାହିତ କରିବା ପାଇଁ କର୍ମଜୀବୀ ମହିଳା ହଷ୍ଟେଲ(ଡବ୍ଲୁଏଚ୍ଏଚ୍) ନିର୍ମାଣ କରାଯାଇଛି। ରାଜ୍ୟରେ ମୋଟ ୩୬ଟି କର୍ମଜୀବୀ ମହିଳା ହଷ୍ଟେଲ୍ ଥିବା ବେଳେ ଏଥିରେ ୨୬୨୨ ଶଯ୍ୟା ରହିଛି। ହେଲେ ଏହି ହଷ୍ଟେଲକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ସିଏଜି ଅଡିଟ୍ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଯାହାଫଳରେ ହିତାଧିକାରୀମାନେ ଉପଯୁକ୍ତ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ୭ଟି ଜିଲ୍ଲାରେ ସମୁଦାୟ ୮ଟି କର୍ମଜୀବୀ ମହିଳା ହଷ୍ଟେଲ୍ ଅନ୍ୟ କାର୍ଯ୍ୟରେ ଲାଗୁଛି। କେବଳ ଖୋର୍ଧା ଜିଲ୍ଲା ନୁହେଁ କଳାହାଣ୍ଡି, କେନ୍ଦୁଝର, ଗଜପତି, ଫୁଲବାଣୀ, ପୁରୀ ଓ ସମ୍ବଲପୁରରେ ମଧ୍ୟ ହଷ୍ଟେଲ୍ରେ ସରକାରୀ କାର୍ଯ୍ୟାଳୟ ଚାଲିଛି। ଖୋର୍ଧା ଜିଲ୍ଲାରେ ୨ଟି ହଷ୍ଟେଲ୍ ସରକାରୀ କାର୍ଯ୍ୟରେ ବ୍ୟବହାର ହେଉଛି। ମଞ୍ଚେଶ୍ବରରେ ଥିବା ହଷ୍ଟେଲକୁ ବିଏମ୍ସି ନିଜର ୱାର୍ଡ କାର୍ଯ୍ୟାଳୟ ପାଇଁ ବ୍ୟବହାର କରୁଥିବା ବେଳେ ଖୋର୍ଧାରେ ୧୦ଟି ସରକାରୀ କାର୍ଯ୍ୟାଳୟ ଚାଲୁଛି। କେନ୍ଦୁଝରରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟିକୁ ଏହି ଜମି ଲିଜ୍ ଆକାରରେ ଦିଆଯାଉଛି। ଗଜପତିରେ ଏଏନ୍ଏମ୍ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା ବେଳେ ଫୁଲବାଣୀ ଜିଲ୍ଲାରେ ଜିଲ୍ଲା ମାନବ ସମ୍ବଳ ବିକାଶ କେନ୍ଦ୍ର ଭାବେ ବ୍ୟବହାର ହେଉଛି। ସମ୍ବଲପୁରରେ ହଷ୍ଟେଲ କୋଠାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସମ୍ବଲପୁର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପାଇଁ ବ୍ୟବହାର କରାଯାଉଛି।
ସେହିପରି ରାଜ୍ୟରେ ଥିବା ୩୬ଟି କର୍ମଜୀବୀ ମହିଳା ହଷ୍ଟେଲ ମଧ୍ୟରୁ ୧୨ଟି କାର୍ଯ୍ୟକ୍ଷମ ରହିଛି। ତେବେ କାର୍ଯ୍ୟକ୍ଷମ ଥିବା ଏସବୁ ହଷ୍ଟେଲରେ ବ୍ୟାପକ ଅଭାବ ରହିଛି। କେଉଁଠି ଡାଇନିଂ ହଲ୍ ନାହିଁ ତ ଆଉ କେଉଁଠି ରୋଷେଇ ଘର ନାହିଁ। ସୁରକ୍ଷା ପାଇଁ ସିସିଟିଭି ନ ଥିବା ବେଳେ ଅସୁସ୍ଥଙ୍କ ପାଇଁ କୋଠରୀଙ୍କ ଅଭାବ, ପାୱାର ବ୍ୟାକ ଅପ୍ ଓ ଦିବ୍ୟାଙ୍ଗ ଅନୁକୂଳ ଭିତ୍ତିଭୂମିର ଅଭାବ ରହିଛି। ଏହାସହ ହଷ୍ଟେଲର ନିୟମିତ ରକ୍ଷଣାବେକ୍ଷଣ କରାଯାଉନାହିଁ। କୋଠାଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ମହିଳାମାନଙ୍କୁ ଏକ ସ୍ବଚ୍ଛ, ଆଧୁନିକ ଓ ସ୍ବଚ୍ଛ ରହିବା ସୁବିଧା ଯୋଗାଇବାରେ ରାଜ୍ୟ ସରକାର ଅସମର୍ଥ ହୋଇଛନ୍ତି। ହଷ୍ଟେଲର ପରିଚାଳନା ପାଇଁ ଆବଶ୍ୟକ ସଂଖ୍ୟକ ୱାର୍ଡେନ, ରୋଷେୟା, ସୁରକ୍ଷାକର୍ମୀ ଓ ଗୃହରକ୍ଷୀ ନାହାନ୍ତି। ଅପରପକ୍ଷରେ ରାଜ୍ୟ ସରକାର ୧୯୮୬/୮୭ରୁ ୨୦୦୧/୦୨ ମଧ୍ୟରେ ୬ଟି ସ୍ଥାନରେ ହଷ୍ଟେଲ୍ ନିର୍ମାଣ ପାଇଁ ୬ଟି ସଂସ୍ଥାକୁ ପାଣ୍ଠି ମଞ୍ଜୁର କରିଥିଲେ। ଏଥିରେ ବଲାଙ୍ଗୀର, ଜୟପୁର, କୋରାପୁଟ, କେନ୍ଦ୍ରାପଡ଼ାର ଗୁଆଳସିଂ, ଯାଜପୁର, ପାରାଦୀପର ଉଦୟବଟରେ ହଷ୍ଟେଲ ନିର୍ମାଣ କରାଯାଉଛି। ମାତ୍ର ଅନୁମୋଦନ ପାଇବାର ୨୦ରୁ ୩୧ବର୍ଷ ମଧ୍ୟରେ ବି ଏହି ୬ଟି କୋଠା ନିର୍ମାଣ ଶେଷ ହୋଇପାରିନାହିଁ।