ସିଏଜି ଧରିଲେ ଅପାରଗତା: ଧାର୍ଯ୍ୟ ସମୟରେ ସରିପାରୁନି ବିଜୁ ସେତୁ ନିର୍ମାଣ

ଭୁବନେଶ୍ବର : ବି‌ଜୁ ସେତୁ ନିର୍ମାଣରେ ରାଜ୍ୟ ସରକାରଙ୍କ ଅପାରଗତା ଧରାପଡ଼ିଛି। ଠିକ୍ ସମୟରେ ଟେଣ୍ଡର କରା ନଯିବା, ଜମି ଅଧିଗ୍ରହଣ, ଠିକାଦାରଙ୍କ ମନ୍ଥର କାର୍ଯ୍ୟ, ଠିକ୍ ସର୍ବେକ୍ଷଣ ଓ ନକ୍ସାର ବାରମ୍ବାର ସଂଶୋଧନ ସେତୁ ନିର୍ମାଣ କାର୍ଯ୍ୟକୁ ମନ୍ଥର କରିଛି। ଗତ ୪ବର୍ଷ ଭିତରେ ୭୯୩ଟି ସେତୁ ମଧ୍ୟରୁ କେବଳ ୪୭୩ଟି ସେତୁର ନିର୍ମାଣ ହୋଇପାରିଛି। ୪୦ ପ୍ରତିଶତ ବା ୩୧୮ଟି ସେତୁର ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି। ଏହାସହ ‌୨କୋଟିରୁ ଅଧିକ ମୂଲ୍ୟର ସେତୁ ପ୍ରକଳ୍ପର ତୃତୀୟ ପକ୍ଷ ଯାଞ୍ଚ ପାଇଁ ନିର୍ଦେଶ ଥିବା ବେଳେ ୮୦ ପ୍ରତିଶତ ସେତୁର ଯାଞ୍ଚ ହୋଇ ନ ଥିବା ସିଏଜି ବା ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକଙ୍କ ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି। ଗ୍ରାମାଞ୍ଚଳରେ ଗମନାଗମନ ପାଇଁ ସେତୁର ଏକ ପ୍ରମୁଖ ଭୂମିକା ଥିବା ବେଳେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଲୋକମାନେ ଏହି ସେବାରୁ ବଞ୍ଚିତ ହେଉଛନ୍ତି।

ଶୁକ୍ରବାର ଦିନ ବିଧାନସଭାରେ ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକଙ୍କ ଅଡିଟ୍‌ ରିପୋର୍ଟ ଉପସ୍ଥାପନ ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ, ଅବକାରୀ, ଅର୍ଥ ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନାରେ ସଂପାଦନର ସମୀକ୍ଷା କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୧୧ ମସିହାରେ ରାଜ୍ୟ ସରକାର ବିଜୁ ସେତୁ ଯୋଜନା ଆରମ୍ଭ କରିଛନ୍ତି। ୨୦୧୭ରୁ ୨୦୨୧ ମସିହା ମଧ୍ୟରେ ବିଜୁ ସେତୁ ଯୋଜନାରେ ସରକାର ୨୫୭୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଥିଲେ। ତହିଁରୁ ୮୮ ପ୍ରତିଶତ ବା ୨୨୫୨.୬୨ କୋଟି ଟଙ୍କା ବିନିଯୋଗ ହୋଇଛି। ୩୧୪.୩୮ କୋଟି ଟଙ୍କା ବିନିଯୋଗ ହୋଇନାହିଁ। ୩ଟି ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ର ୫ଟି ସେତୁ ମାମଲାରେ ସେତୁ ମାର୍ଗଦର୍ଶିକାର ଉଲ୍ଲଂଘନ କରାଯାଇ ୫ କି.ମି ଅଞ୍ଚଳ ମଧ୍ୟରେ ବିକଳ୍ପ ସେତୁ ଥିବା ସତ୍ତ୍ବେ ସେତୁ ନିର୍ମାଣ ସ୍ଥାନ ନିରୂପଣ କରାଯାଇଛି। ସେହିପରି ସେତୁ ପାଇଁ କିମ୍ବା ସେତୁ ନିକଟକୁ ଯିବା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ନ ହେବା କାରଣରୁ ୧୮୪.୮୪ କୋଟି ଖର୍ଚ ହେବା ସତ୍ତ୍ବେ ୪୮ଟି ସେତୁ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ୮୨ଟି ସେତୁ ପ୍ରକଳ୍ପରେ ଯାନ୍ତ୍ରିକ ଖନନ ପରିବର୍ତେ ହାତରେ ଖନନ କରାଯାଇଛି। ଯାହାଫଳରେ ଆବଶ୍ୟକତାଠାରୁ ଅଧିକ ୪.୮୨ କୋଟି ଟଙ୍କା ଖର୍ଚ ହୋଇଛି। ୪୦ଟି ପ୍ରକଳ୍ପ କ୍ଷେତ୍ରରେ ପ୍ରକଳ୍ପ ଆକଳନ ମୂଲ୍ୟରେ ଖନନ ହୋଇଥିବା ମାଟିର ବ୍ୟବହାର ପାଇଁ କୌଣସି ବ୍ୟବସ୍ଥା ନ ଥିଲା। ତେଣୁ ୨.୧୫ କୋଟି ଟଙ୍କାର ଖର୍ଚକୁ ଏଡ଼ାଇବା ସମ୍ଭବ ହୋଇନାହିଁ। ୨କୋଟିରୁ ଅଧିକ ମୂଲ୍ୟର ସେତୁ ନିର୍ମାଣରେ ତୃତୀୟ ପକ୍ଷ ଯାଞ୍ଚ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦୧୫ ମସିହାରେ ନିର୍ଦେଶ ଦେଇଥିଲେ। ଏଥିରେ ୧୬୬ଟି ସେତୁ ଯାଞ୍ଚ ପାଇଁ ଯୋଗ୍ୟ ଥିଲା। ମାତ୍ର ୧୩୩ଟି ସେତୁ ବା ୮୦ ପ୍ରତିଶତର କୌଣସି ପ୍ରକାର ଯାଞ୍ଚ ହୋଇନାହିଁ।

୧୩୩ ସେତୁର ହୋଇନି ତୃତୀୟ ପକ୍ଷ ଯାଞ୍ଚ
୩ ଦଶନ୍ଧି ପରେ ବି ନିର୍ମାଣ ହୋଇନି ୬ଟି କର୍ମଜୀବୀ ମହିଳା ହଷ୍ଟେଲ୍‌
ଠିକାଦାର ପୋଷୁଛି ଓଡ଼ିଶା ନିର୍ମାଣ ନିଗମ
ବିନା ଯାଞ୍ଚରେ ୧୧ ମଦ ଉତ୍ପାଦନ ୟୁନିଟ୍‌କୁ ଦିଆଯାଇଛି ପ୍ରମାଣପତ୍ର

ଓଡ଼ିଶା ନିର୍ମାଣ ନିଗମ(ଓସିସିଏଲ)ରେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ଅଡିଟ୍‌ରେ ନଜରକୁ ଆସିଛି। ନିଗମ ‌ଗତ ୪ବର୍ଷ ଭିତରେ ହୋଇଥିବା ପ୍ରକଳ୍ପର ମୂଲ୍ୟ ଆକଳନ ନିର୍ଧାରିତ ମୂଲ୍ୟ ଆଧାରରେ ପ୍ରସ୍ତୁତ ‌କରାଯାଇନାହିଁ। ଆକଳନରେ ‌ଡ୍ରେଜିଂ ପାଇଁ ଅଧିକ ମୂଲ୍ୟ ଗ୍ରହଣ କାରଣରୁ ମହାନଦୀ ବ୍ୟାରେଜ୍ ଉପରେ ମୁଣ୍ଡରେ ସୋଆଲ ଅପସାରଣ ପ୍ରକଳ୍ପ କ୍ଷେତ୍ରରେ ଠିକାଦାରଙ୍କୁ ଅତିରିକ୍ତ ୭.୭୨ କୋଟି ଟଙ୍କା ଦିଆଯାଇଛି। ୬ଟି ପରୀକ୍ଷା ଯାଞ୍ଚ ପ୍ରକଳ୍ପରେ ମୃତ୍ତିକା କମ୍ପାକ୍ସନ ନିମନ୍ତେ ଯନ୍ତ୍ରପାତିଗୁଡ଼ିକର ଅତ୍ୟାଧିକ ଭଡ଼ା ମୂଲ୍ୟ ପାଇଁ କମ୍ପାନି ୪.୭୨ କୋଟି ଟଙ୍କା ବ୍ୟୟ କରିଥିଲା। କାମ ନାଁରେ ନିଗମ କେବଳ ଠିକାଦାର ପୋଷୁଥିବା ରିପୋର୍ଟ ଦର୍ଶାଉଛି।

ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ସଂପାଦନରେ ପୁଳା ପୁଳା ଉଲ୍ଲଂଘନ ନଜରକୁ ଆସିଛି। ରାଜ୍ୟର ୨୧ଟି ପୌରାଞ୍ଚଳରେ ଅଡିଟ୍ ହୋଇଥିଲା। କୌଣସି ପୌରାଞ୍ଚଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଡିପିଆର ବା ଚୂଡ଼ାନ୍ତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ନାହାନ୍ତି। ଡିପିଆର ପ୍ରସ୍ତୁତ ନ ହେବା ଯୋଗୁଁ ନିର୍ଧାରିତ ମୁଣ୍ଡପିଛା ଉତ୍ପନ୍ନ ବର୍ଜ୍ୟବସ୍ତୁର ପରିମାଣ, ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣର କ୍ଷମତା ହାସଲ, ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆକସ୍ମିକ ଯୋଜନା କରାଯିବା ଜଣାପଡ଼ିଛି। ୨୦୨୧ ମାର୍ଚ ସୁଦ୍ଧା ୯୦ ପ୍ରତିଶତ ବର୍ଜ୍ୟବସ୍ତୁ ବିନା ପ୍ରକ୍ରିୟାକରଣ ହୋଇ ଡମ୍ପିଂୟାର୍ଡରେ ଜମା କରାଯାଇଥିଲା। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ସତ୍ତ୍ବେ ପୌରାଞ୍ଚଳରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁଗୁଡ଼ିକୁ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ପୂର୍ତ ବିଭାଗକୁ ହସ୍ତାନ୍ତର କରି ନ ଥିଲେ। ୨୦୧୫-୨୦୨୦ ମସିହା ମଧ୍ୟରେ ସ୍ମାର୍ଟ ସିଟିଗୁଡ଼ିକରେ ୨୯୫୬ ଟନ୍ ପ୍ରତିଦିନ କଠିନ ବର୍ଜ୍ୟବସ୍ତୁ ଓ ପ୍ରତିବର୍ଷ ୩୫,୦୫୭ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବିନା ପ୍ରକ୍ରିୟାକରଣରେ ଲ୍ୟାଣ୍ଡଫିଲରେ ଜମା କରାଯାଇଥିଲା। ରେଳବାଇ ପରିସରରୁ ବାହାରୁଥିବା ବର୍ଜ୍ୟବସ୍ତୁ ୬ଟି ମ୍ୟୁନିସିପାଲଟିକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର କୌଣସି ପୌରାଞ୍ଚଳ ଏଥିପାଇଁ ରେଳବାଇଠାରୁ ବ୍ୟବହାରିକ ଶୁଳ୍କ ଆଦାୟ କରି ନ ଥିଲେ। ଚତୁର୍ଦ୍ଦଶ ଅର୍ଥ ଆୟୋଗର ସର୍ତ ଅନୁସାରେ, ସେବା ସ୍ତରୀୟ ବେଞ୍ଚମାର୍କ ହାସଲ ନ ହେବା ଓ ବାର୍ଷିକ ଆର୍ଥିକ ହିସାବ ପ୍ରସ୍ତୁତ ନ ହେବା ଯୋଗୁଁ ପୌରାଞ୍ଚଳଗୁଡ଼ିକ ୩୩୩.୫୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଅଡିଟ୍‌ରେ କୁହାଯାଇଛି।

ରାଜ୍ୟରେ ମଦ ଉତ୍ପାଦର ଯୋଗାଣ ଶୃଙ୍ଖଳ ପରିଚାଳନାରେ ମଧ୍ୟ ବ୍ୟାପକ ଅନିୟମିତତା ରିପୋର୍ଟ‌ରେ ଦର୍ଶାଯାଇଛି। ଦୁଇଟି ମଦ ଉତ୍ପାଦନକାରୀ ସଂସ୍ଥା ଅନୁମୋଦିତ ପରିମାଣ ବାହାରେ ଅବୈଧ ଭାବେ ୮୫,୧୧୦.୭୮ ଏଲପିଏଲ୍‌ ବା ଲଣ୍ଡନ୍ ପ୍ରୁଫ୍ ଲିଟର ପ୍ରେରଣ କରିଥିଲେ। ଫଳରେ ୪.୦୨ କୋଟି ଟଙ୍କାର ଅବକାରୀ ରାଜସ୍ବ କ୍ଷତି ହୋଇଥିଲା। ଅଡିଟ୍‌ରେ ଏ ବିଷୟ ଦର୍ଶାଯିବା ପରେ ଗୋଟିଏ ସଂସ୍ଥାଠାରୁ ୬୬.୭୨ ଲକ୍ଷ ଟଙ୍କାର ଇଡି ବା ଅବକାରୀ ଶୁଳ୍କ ଓ ୨୨.୮ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ୧୧ଟି ପରୀକ୍ଷା ଯାଞ୍ଚ ଉତ୍ପାଦନ ୟୁନିଟ୍‌ରେ ଉତ୍ପାଦନ ୟୁନିଟ୍‌ଗୁଡ଼ିକ ପ୍ରଦାନ କରିଥିବା ଉତ୍ପାଦନ ପରିମାଣକୁ ବିନା ଯାଞ୍ଚରେ ଅବକାରୀ ଓଆଇସି ପ୍ରମାଣପତ୍ର ପ୍ରଦାନ କରିଥିବା ଅଡିଟ୍‌ରେ ନଜରକୁ ଆସିଛି। ସେହିପରି ଜିଏସ୍‌ଟି ଓ ଷ୍ଟାମ୍ପ ଶୁଳ୍ପ ଆଦାୟ କ୍ଷେତ୍ରରେ ମଧ୍ୟ ଅବହେଳା କରାଯାଇଛି। ‌ଢେଙ୍କାନାଳ ଉପ-ନିବନ୍ଧକ ଓ ବାରଙ୍ଗ ଅଧୀନ ୭ଟି ଲଘୁ ଖଣିଜ ଦଲିଲରେ ଷ୍ଟାମ୍ପ ଶୁଳ୍କ ସ୍ଥିର କରିବା ଉଦ୍ଦେଶ୍ୟରେ ଜରସମନ ମୂଲ୍ୟରେ ୨.୧୬ କୋଟି ଟଙ୍କାର ସୁରକ୍ଷା ଜମାକୁ ସାମିଲ କରାଯାଇ ନାହିଁ। ଫଳରେ ୧୫.୦୯ ଲକ୍ଷ ଟଙ୍କା ଆଦାୟ ହୋଇପାରିନାହିଁ। ଜଟଣୀ ଉପ-ନିବନ୍ଧକ ବିନା ଷ୍ଟାମ୍ପ ଶୁଳ୍କ ଓ ନିବନ୍ଧନ ଫି’ରେ ଇଡ୍‌କୋ ଓ ମେସର୍ସ କୋହେନ ଅନ୍ତର୍ଜାତୀୟ ବିଦ୍ୟାଳୟ ମଧ୍ୟରେ ୯୦ ବର୍ଷ ପାଇଁ ଲିଜ୍ ଦଲିଲ କରିଛନ୍ତି।

ଶୁକ୍ରବାର ଦିନ ଏଜି କାର୍ଯ୍ୟାଳୟ‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାଲେଖାକାର ବିଶ୍ବନାଥ ସିଂହ ଜାଦୋନ, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ସୁଶାନ୍ତ ରଂଜନ, ମୋନାଲିକା ବର୍ଗୋଏନ୍, ଏକତା ସିଂ, ଅରୁଣ ସେଠୀ ଓ ସୁକାନ୍ତ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର