‘ମେକ୍ ଇନ୍‌ ଓଡ଼ିଶା’କୁ ବିରୋଧ: ବିସ୍ଥାପନ ବିରୋଧୀ ସଂଗଠନର ବିକ୍ଷୋଭ

ପ୍ରାକୃତିକ ସମ୍ପଦ ଲୁଟ୍‌କୁ ବରଦାସ୍ତ କରାଯିବନି, ଖଣି ଲିଜ୍‌ ବାତିଲ ସମେତ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା ନୁହେଁ, ଲୁଟ୍‌ ଅଫ୍‌ ଓଡ଼ିଶା। ଏହାର ନାଁରେ ପ୍ରାକୃତିକ ସମ୍ପଦର ଲୁଟ୍‌ ଏବଂ ଅବିଚାରିତ ବିସ୍ଥାପନକୁ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ବିସ୍ଥାପନ ବିରୋଧୀ ଲଢ଼େଇକୁ ଆହୁରି ଦୁର୍ବାର କରାଯିବ। ମେକ୍ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌କୁ ବିରୋଧ କରି ବିଧାନସଭା ସମ୍ମୁଖରେ ଏକାଠି ହୋଇ ଏହି ମର୍ମରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲା ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ମଞ୍ଚ। ଏଥିରେ ରାୟଗଡ଼ା ଏବଂ କଳାହାଣ୍ଡି ନିୟମଗିରି ସୁରକ୍ଷା ସମିତି, ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି, କାଶିପୁର କୋଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ, କୋରାପୁଟ ମାଳି ପର୍ବତ ସୁରକ୍ଷା ସମିତି, ପୁରୀର ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି, ଢିଙ୍କିଆର ଜିନ୍ଦଲ୍-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି, ରାଜଗାଙ୍ଗପୁର ଗ୍ରାମସଭା କମିଟି, ବସ୍ତି ସୁରକ୍ଷା ମଞ୍ଚ ସାମିଲ୍‌ ହୋଇଥିଲେ। ପାରମ୍ପରିକ ବେଶରେ ଆଦିବାସୀ ମହିଳା, ପୁରୁଷ ଏକାଠି ହୋଇ ଏକ ବିଶାଳ ଶୋଭାଯାତ୍ରାରେ ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ ଏବଂ ପରେ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା।

ଏଥିରେ ଦାବି କରାଯାଇଛି ଯେ ସମୀକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ ସମସ୍ତ ଖଣି ଲିଜ୍‌କୁ ବାତିଲ, ବାତ୍ୟା ସମେତ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ଉପକୂଳ ଜଙ୍ଗଲ ଏବଂ ବାଲିର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ, ଗ୍ରାମସଭାର ସାର୍ବଭୌମତ୍ବ କ୍ଷମତା ସହିତ ପେଶା ଆକ୍ଟକୁ କାର୍ଯ୍ୟକାରୀ କରିବା, ଆନ୍ଦୋଳନକାରୀ ଦଧି କାଣ୍ଡ୍ରାକା, ଦମନ ପଙ୍ଗା, ବଟକୃଷ୍ଣ ସ୍ବାଇଁ, ଦେବେନ୍ଦ୍ର ସ୍ବାଇଁ ଏବଂ ପ୍ରଦୀପ ଶତପଥୀଙ୍କ ବିରୋଧରେ ଚାଲୁଥିବା ମାମଲା ପ୍ରତ୍ୟାହାର, କମ୍ପାନି ଏବଂ ସରକାର ଅଧିଗ୍ରହଣ କରିଥିବା ଅଣଉପଯୋଗ ଜମିକୁ ଭୂମିହୀନ ଚାଷୀ ଜମି ମାଲିକଙ୍କୁ ଫେରାଇଦେବା ସହିତ ପରିବେଶ ଏବଂ ଜନସପକ୍ଷବାଦୀ ବିକାଶଭିତ୍ତିକ ଯୋଜନା କାର୍ଯ୍ୟକାରୀ କରିବା। ଏହି ଅବସରରେ ଲିଙ୍ଗରାଜ ଆଜାଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଧି ପୁସିକା, ନରେନ୍ଦ୍ର ମହାନ୍ତି, ବ୍ରିଟିଶ କୁମାର, ଶାନ୍ତି ଦାସ, ବିଜୟ ଖିଲୋ, ଲସ୍କେ ସିକ୍‌କା, ଧନେଶ୍ବର ମାଝୀ, ତିଲୋ ଗୁଞ୍ଜିଆ, ମହେଶ୍ବର ମାଝୀ, ସତ୍ୟ ମାହାର, କାର୍ତ୍ତିକ ମାଝୀ, ଡ୍ରେଞ୍ଜୁ କୃସିକା, ତ୍ରିଲୋଚନ ମୁଦୁଲି, ବିଶ୍ବପ୍ରିୟ କାନୁନ୍‌ଗୋ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଲୋହିଆ ଏକାଡେମିରେ ପ୍ରତିବାଦ ସମାବେଶରେ କୁହାଯାଇଥିଲା, କଳାହାଣ୍ଡି ଜିଲ୍ଲାରେ ମଥୁରା ଚିନି କଳ, ରାଇସିଂପୁରର ସୂତାକଳ, କେସିଙ୍ଗାର ଜିନିଂ ଏବଂ ସ୍ପିନିଂ ଭଳି ରାଜ୍ୟର ଅନେକ କୃଷିଭିତ୍ତିକ କାରଖାନା ବର୍ଷାଧିକ ସମୟ ହେଲା ବନ୍ଦ ପଡ଼ିଛି। ଏହାର ପୁନରୁଦ୍ଧାର ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ପ୍ରାକୃତିକ ସମ୍ପଦ ଶୋଷଣ କରି ଆଦିବାସୀଙ୍କୁ ବିସ୍ଥାପିତ କରି ଖଣି କାରଖାନା ପ୍ରତିଷ୍ଠା କରାଯାଉଛି।

ନଦୀମାନଙ୍କ ଜଳ ଉତ୍ସ ମରିଯାଉଛି। ଜଳବାୟୂ ସଙ୍କଟ ସୃଷ୍ଟି ହୋଇ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ଏହାର ବିରୋଧ ହେଲେ ମାଓବାଦୀ ନାଁରେ ଦମନ କରାଯାଉଛି। ଏହି ପ୍ରାକୃତିକ ସମ୍ପଦ କେବଳ ଏହି ପିଢ଼ି କିମ୍ବା ଆଜିର ନୁହେଁ, ଏହାକୁ ପରବର୍ତ୍ତୀ ପିଢ଼ି ପାଇଁ ସୁରକ୍ଷିତ ରଖିବାକୁ ଆହ୍ବାନ କରାଯାଇଥିଲା। ମେକ୍‌ ଇନ୍‌ ଓଡ଼ିଶା ଏକ ବିନାଶର ଖେଳ ବୋଲି ଏହି ସମାବେଶରେ କୁହାଯାଇଥିଲା। କାର୍ଯ୍ୟକ୍ରମକୁ ଲେନିନ କୁମାର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର