ଏମ୍‌ସରେ ସଫଳ ଏଣ୍ଡୋଭାସ୍କୁଲାର ଚିକିତ୍ସା

ସରକାରୀ ଡାକ୍ତରଖାନାରେ ଏପରି ପ୍ରକ୍ରିୟା ରାଜ୍ୟରେ ପ୍ରଥମ

ଭୁବନେଶ୍ବର : ଭୁବନେଶ୍ୱର ଏମ୍‌ସରେ ପ୍ରଥମଥର ପାଇଁ ସଫଳତାର ସହ ଏଣ୍ଡୋଭାସ୍କୁଲାର (ମୁଖ୍ୟ ଧମନୀ ଦୁର୍ବଳ ପରଦାର ଅନ୍ତର୍ବାହିକା ଚିକିତ୍ସା) କରାଯାଇଛି। ରାଜ୍ୟର କୌଣସି ସରକାରୀ ଡାକ୍ତରଖାନାରେ ଏହି ପ୍ରକ୍ରିୟାରେ ଚିକିତ୍ସା କରାଯିବାରେ ଏମ୍‌ସ ପ୍ରଥମ ବୋଲି କୁହାଯାଇଛି। ରେଡିଓଲୋଜି, ହୃଦ୍‌ଶଲ୍ୟ ଏବଂ ନିଶ୍ଚେତକ ବିଭାଗର ମିଳିତ ସହଯୋଗରେ ଏହି ଚିକିତ୍ସା ହୋଇଥିବା ଜଣାଯାଇଛି।

ଏମ୍‌ସର ସୂଚନାନୁସାରେ, ଜଣେ ବ୍ୟକ୍ତିଙ୍କର ମୁଖ୍ୟ ଧମନୀ ଏବଂ ସଂଲଗ୍ନ ବାମ ବୃକକ୍ ଧମନୀ ପରଦା ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲା। ତେଣୁ ଯେକୌଣସି ସମୟରେ ତାଙ୍କ ମୁଖ୍ୟ ଧମନୀ ଫାଟିବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏପରି ଜଟିଳ ସ୍ଥିତିର ଅସ୍ତ୍ରୋପଚାର ରାଜ୍ୟରେ ବିରଳ। ଅଧିକାଂଶ କ୍ଷେତ୍ରରେ ଏଭଳି ଅବସ୍ଥାରେ ରୋଗୀଙ୍କ ଜୀବନ ପ୍ରତି ବିପଦ ଥାଏ। ଅନ୍ତର୍ବାହିକା (ଏଣ୍ଡୋଭାସ୍କୁଲାର) ଚିକିତ୍ସା ପ୍ରକ୍ରିୟା ସହାୟତାରେ ରୋଗୀ ନୂଆ ଜୀବନ ପାଇଛନ୍ତି। ଏହି ପ୍ରକ୍ରିୟାରେ ମୁଖ୍ୟ ଧମନୀ‌ରେ ଏକ ଷ୍ଟେଣ୍ଟ ସ୍ଥାପନ ପୂର୍ବକ ନୂତନ ମାର୍ଗ ସୃଷ୍ଟି କରାଯାଇଥାଏ। ଘରୋଇ ହସ୍ପିଟାଲରେ ଏହି ପ୍ରକ୍ରିୟା ଅତ୍ୟନ୍ତ ବ୍ୟୟବହୁଳ ହୋଇଥାଏ। ମାତ୍ର ଏମ୍‌ସରେ ଏହା ବେଶ ସୁଲଭ ମୂଲ୍ୟରେ କରାଯାଇଛି। ରୋଗୀଜଣଙ୍କ ବର୍ତ୍ତମାନ ସୁସ୍ଥ ଥିବା ଜଣାଯାଇଛି। ହୃଦ୍‌ଶଲ୍ୟ ଚିକିତ୍ସା ବିଭାଗର ଡା. ସତ୍ୟପ୍ରିୟ ମହାନ୍ତି, ରେଡିଓଲୋଜି ବିଭାଗର ଡା. ବିଶ୍ୱଜିତ ସାହୁ ଓ ଡା. ମନୋଜ କୁମାର ନାୟକ, ନିଶ୍ଚେତକ ବିଭାଗ ମୁଖ୍ୟ ଡା. ସତ୍ୟଜିତ ମିଶ୍ର ଓ ଡା. ସୌମ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ଅତ୍ୟାଧୁନିକ ଚିକିତ୍ସା ସଫଳତାର ସହ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର