ଭାରତ ଭୁଲି ଯାଇଥିବା କାହାଣୀ: ପୁଅର ଅଶ୍ଳୀଳ ‌ଫଟୋ ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିଲେନି ବାପା!

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ଜେଡି (ଏସ୍‌) ନେତା ପ୍ରଜ୍ଜ୍ବଳ ରେବନ୍ନା ଏକ ‌େଯୗନ କେଳେଙ୍କାରୀରେ ଛନ୍ଦିହେବା ଘଟଣା ସମଗ୍ର ଦେଶର ରାଜନୈତିକ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ୧୯୭୮ରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜଗଜୀବନ ରାମଙ୍କ ପୁତ୍ର ସୁରେଶଙ୍କର ଜଣେ ଯୁବତୀଙ୍କ ସହ ଅଶ୍ଳୀଳ ଫଟୋ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କେନ୍ଦ୍ରରେ ସରକାର ପରିବର୍ତ୍ତନ ହୋଇ ଯାଇଥିଲା। ଏଥିସହ ଦେଶର ପ୍ରଥମ ଦଳିତ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଜଗଜୀବନ ରାମଙ୍କ ହାତରୁ ଖସିଯାଇଥିଲା।

ମର୍ସିଡିଜ୍‌ କାର୍‌ ଦୁର୍ଘଟଣା
ଜାଟ୍‌ ସମ୍ପ୍ରଦାୟର ଜଣେ କଲେଜ ଛାତ୍ରୀଙ୍କ ସହିତ ସୁରେଶ ରାମଙ୍କର ଦୈହିକ ସମ୍ପର୍କ ଥିଲା। ଅଟୋମେଟିକ୍‌ ପୋଲାରଏଡ୍‌ କ୍ୟାମେରାରେ ଶୟନ କକ୍ଷରେ ଦୁହିଁଙ୍କ ଅନ୍ତଃରଙ୍ଗ ମୁହୂର୍ତ୍ତର କେତେଗୁଡ଼ିଏ ଫଟୋ ଉଠାଇ ସୁରେଶ କାର୍‌ର ଗ୍ଲୋଭ୍‌ ବକ୍ସ୍‌ରେ ରଖିଥିଲେ। ଖ୍ୟାତନାମା ରାଜନୈତିକ ସାମ୍ବାଦିକ ତଥା ଟେଲିଭିଜନ୍‌ କମେଣ୍ଟେଟର୍‌ ନୀରଜା ଚୌଧୁରୀଙ୍କ ପୁସ୍ତକ ‘ହାଓ ପ୍ରାଇମ୍‌ ମିନିଷ୍ଟର୍ସ ଡିସାଇଡ୍‌’ର ଏକ ଅଧ୍ୟାୟରେ ଏ ଘଟଣାର ବର୍ଣ୍ଣନା ରହିଛି: ୧୯୭୮ ମସିହା ଅଗଷ୍ଟ ୨୧ ତାରିଖ ଦିନ ଦିଲ୍ଲୀ ଉପକଣ୍ଠ ଅନ୍ତର୍ଗତ ମୋହନ ନଗରସ୍ଥିତ ମୋହନ ମୀକିନ୍‌ ମଦ କାରଖାନା ଫାଟକ ସମ୍ମୁଖରେ ଗୋଟାଏ କାର୍‌ ଦୁର୍ଘଟଣାଗ୍ରସ୍ତ ହେଲା। ଘଟଣାସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ। ଦୁର୍ଘଟଣା ଘଟାଇଥିବା ମର୍ସିଡିଜ୍‌ କାର୍‌ରେ ଥିଲେ ଜଣେ ବ୍ୟକ୍ତି ଓ ଜଣେ ତରୁଣୀ।
ଉପସ୍ଥିତ ଲୋକଙ୍କଠାରୁ ମାଡ଼ ଖାଇବା ଆଶଙ୍କା କରି ସେମ‌ାନେ ସେ କାରଖାନା ଫାଟକ ଆଡ଼କୁ ଦୌଡ଼ି‌ଗଲେ। ଦୁର୍ଘଟଣା ଦେଖିଥିବା ଫାଟକ ଦରୁଆନ୍‌ ଇଣ୍ଟର୍‌କମ୍‌ ଯୋଗେ ଅଫିସ୍‌କୁ ସୂଚନା ଦେ‌ଲା। ମ୍ୟାନେଜର ଅନୀଲ ବାଲି ବାହାରି ଆସି ଦେଖିଲେ, ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ପ୍ରତିରକ୍ଷା ମନ୍ତ୍ରୀ ଜଗଜୀବନ ରାମଙ୍କ ପୁଅ ସୁରେଶ। ସେ ସେମାନଙ୍କୁ ଭିତରକୁ ଡାକି ନେଲେ। ତରୁଣୀ ଜଣକ ଥିଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ୨୧ ବର୍ଷୀୟା ଛାତ୍ରୀ ସୁଷମା ଚୌଧୁରୀ। ବାଲିଙ୍କୁ ସୁରେଶ କହିଲେ କି, ତାଙ୍କୁ କେତେକ ଲୋକ ଅନୁସରଣ କରୁଛନ୍ତି। ସେମାନଙ୍କ ହାବୁଡ଼ରୁ ବର୍ତ୍ତିବାକୁ ଉଦ୍ୟମ କରିବା ବେଳେ ଦୁର୍ଘଟଣା ଘଟିଲା।

ପୁଅ ଯୋଗୁଁ ପ୍ରଧାନମନ୍ତ୍ରୀ ହୋଇପାରିଲେନି ଜଗଜୀବନ ରାମ
ଯୁଗେ ଯୁଗେ ରାଜନୀତି ଓ ବ୍ୟଭିଚାର ହୋଇ ଆସିଛି ବିସ୍ଫୋରକ କକ୍‌ଟେଲ୍‌। ସମଗ୍ର ବିଶ୍ବରେ ବ୍ୟଭିଚାର କାଣ୍ଡରେ ଅନେକ ରାଜନେତା ଜଡ଼ିତ। ଆଉ ନିଜ ନିଜର ଲକ୍ଷ୍ୟ ହାସଲ ନିମନ୍ତେ ସେମାନେ ଠିକଣା ସମୟରେ ସେମାନଙ୍କ ପ୍ରତିଦ୍ବନ୍ଦ୍ବୀଙ୍କ ବ୍ୟଭିଚାର ପ୍ରସଙ୍ଗ ପଦାରେ ପକାନ୍ତି। କିନ୍ତୁ, ବାବୁ ଜଗଜୀବନ ରାମଙ୍କ କ୍ଷେତ୍ରରେ ଘଟଣାଟି ଥିଲା ସମ୍ପୂର୍ଣ୍ଣ ଓଲଟା। ଜଡ଼ିତ ନ ଥାଇ ବି ଗୋଟାଏ ବ୍ୟଭିଚାର ଘଟଣା ଲାଗି ତାଙ୍କ ୫୦ ବର୍ଷର ରାଜନୈତିକ କ୍ୟାରିୟର୍‌ ବରବାଦ ହୋଇଗଲା। ବ୍ୟର୍ଥ ହୋଇଗଲା ପ୍ରଧାନମନ୍ତ୍ରୀ ହେବାକୁ ଆସିଥିବା ସୁଯୋଗ।

ପୁଅ ଖାଇଲା ତାଳ, ବାପକୁ ହେଲା କାଳ
ବ୍ୟଭିଚାର କରିଥିଲେ ଜଗଜୀବନଙ୍କ ଅବାଧ୍ୟ ପୁଅ ସୁରେଶ ରାମ। ସୁରେଶ ରାଜନେତା ନ ଥିଲେ କି, ନ ଥିଲେ ପ୍ରଭାବଶାଳୀ ବ୍ୟକ୍ତିତ୍ବ। କିନ୍ତୁ, ତାଙ୍କ ବ୍ୟଭିଚାର ହେଲା ଭାରତର ପ୍ରଥମ ପ୍ରମୁଖ ରାଜନୈତିକ କେଳେଙ୍କାରୀ। ଘଟଣାଟି ଥିଲା ରାଜନୈତିକି ପ୍ରତିଶୋଧ। ଦେଶରୁ ଜରୁରୀ ପରିସ୍ଥିତି ଉଠିଯିବା ପରେ ବାବୁ ଜଗଜୀବନ ରାମ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧାଚରଣ କରି ବିରୋଧୀଙ୍କ ସହିତ ମେଳି କଲେ। ସେତେବେଳକୁ କଂଗ୍ରେସ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଜଗଜୀବନ କଂଗ୍ରେସରୁ ଇସ୍ତଫା ଦେଇ ସାରିଥିଲେ। ୧୯୭୧‌େର ଭାରତ-ପାକିସ୍ତାନ ଯୁଦ୍ଧ ଚାଲିଥିବା ବେଳେ ରାମ ଥିଲେ ପ୍ରତିରକ୍ଷା ମନ୍ତ୍ରୀ। ଉପପ୍ରଧାନମନ୍ତ୍ରୀ ବି ଥିଲେ। ଜଣେ ଦକ୍ଷ ଶାସକ ଓ ଅଭିଜ୍ଞ ରାଜନେତା ଭାବେ ତାଙ୍କର ସୁଖ୍ୟାତି ଥିଲା। ଏତିକିବେଳେ ସେ ଜନତା ଦଳ ସିକ୍ୟୁଲାର୍‌ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଇନ୍ଦିରାଙ୍କ ବିକଳ୍ପ ଭାବେ ଉଭାହେଲେ। ଏଥିପାଇଁ ଇନ୍ଦିରା ତାଙ୍କୁ କ୍ଷମା କରିପାରୁ ନ ଥିଲେ। ତାଙ୍କ ଉପସ୍ଥିତି ଯୋଗୁଁ ‌ମୋରାର୍‌ଜୀ ଦେଶାଇ ବି ନିଜକୁ ଅସୁରକ୍ଷିତ ମଣୁଥିଲେ। ତେଣେ, ପ୍ରଧାନମନ୍ତ୍ରୀ ହେବାକୁ ଚରଣ ସିଂହ ବି ଷଡ୍‌ଯନ୍ତ୍ର ଚଳାଇଥିଲେ। କିନ୍ତୁ, ପ୍ରଧାନମନ୍ତ୍ରୀ ପଦବୀ ପ୍ରତିଦ୍ବନ୍ଦ୍ବିତାର ସର୍ବାଗ୍ରେ ବାବୁ ଜଗଜୀବନ ରାମ ଥିବା କଥା ଚାରିଆଡ଼େ ଚର୍ଚ୍ଚା ଚାଲିଲା। ବାସ୍ତବ କଥା ହେଉଛି, ଦେଶର ପ୍ରଥମ ଦଳିତ ପ୍ରଧାନମନ୍ତ୍ରୀ ହେବା ପାଇଁ ବାବୁ ଜଗଜୀବନ ରାମଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ଜୁଟିଥିଲା। ଦୁର୍ଯୋଗ, ପୁଅ ସୁରେଶର ବ୍ୟଭିଚାର ମାମଲା ତାଙ୍କୁ ଏହି ପ୍ରତିଦ୍ବନ୍ଦ୍ବିତାରୁ ଓହରିଯିବାକୁ ବାଧ୍ୟ କରିଥିଲା।

କାର୍‌ରୁ ମିଳିଲା ସୁରେଶ-ସୁଷମାଙ୍କ ନଗ୍ନ ଫଟୋ
କିଛି ଦିନ ଧରି ଚରଣ ସିଂହଙ୍କ ଅନୁଗତ ରାଜ ନାରାୟଣଙ୍କ ଦୁଇଜଣ ଚେଲା ତଥା ଜନତା ଦଳ କର୍ମୀ କେ. ସି. ତ୍ୟାଗୀ ଏବଂ ଓମ୍‌ ପ୍ରକାଶ ସିଂହ ସୁରେଶଙ୍କ ଗତିବିଧି ଉପରେ ନଜର ରଖୁଥିଲେ। ୪୬ ବର୍ଷୀୟ ସୁରେଶ ଥିଲେ ବିବାହିତ। ଜାଟ୍‌ ସମ୍ପ୍ରଦାୟର ୨୧ ବର୍ଷିଆ ତରୁଣୀ ସୁଷମା ଚୌଧୁରୀଙ୍କ ସହିତ ତାଙ୍କର ଥିଲା ଅବୈଧ ସମ୍ପର୍କ। ସୁଷମାଙ୍କୁ ଅକ୍ତିଆରରେ ରଖିବା ପାଇଁ ସୁରେଶ ଅଟୋମେଟିକ୍‌ ପୋଲାରଏଡ୍‌ କ୍ୟାମେରାରେ ନଗ୍ନ ଫଟୋ ଉଠାଇ ରଖୁଥିବା କଥା ସେମାନେ ଜାଣିଥିଲେ। ସେ ଫଟୋ ହାତେଇବା ଥିଲା ସେମାନଙ୍କ ଉଦ୍ଦେଶ୍ୟ। ଦୁର୍ଘଟଣା ଦିନ ବି ସେମାନେ ତାଙ୍କ କାର୍‌ର ପିଛା କରୁଥିଲେ। ଦୁର୍ଘଟଣାଗ୍ରସ୍ତ କାର୍‌ର ଗ୍ଲୋଭ୍‌ ବକ୍ସରୁ ୪୦/୫୦ଟି ଫଟୋ ନେଇ ସେମାନେ ରାଜ ନାରାୟଣଙ୍କୁ ଦେଲେ।

ଜଗଜୀବନ-ରାଜ ନାରାୟଣ ଭେଟ:
ସେ ଦିନ ରାତିରେ ଜଗଜୀବନ ରାମ ରାଜ ନାରାୟଣଙ୍କୁ ଭେଟିଲେ। ଦୁହିଁଙ୍କର ଭେଟ ପାଇଁ ନିଜ ଘରେ ବ୍ୟବସ୍ଥା କରିଥିଲେ ମୋହନ ମୀକିନ୍‌ର ମୁଖ୍ୟ କପିଳ ମୋହନ। କପିଳ ଥିଲେ ଇନ୍ଦିରାଙ୍କର ଘନିଷ୍ଠ। ରାମଙ୍କ ସହିତ ମଧ୍ୟ ତାଙ୍କର ଥିଲା ଉତ୍ତମ ସମ୍ପର୍କ। ବାବୁ ଜଗଜୀବନ ରାଜ ନାରାୟଣଙ୍କୁ ଫଟୋ ଫେରସ୍ତ ପାଇବା ବିନିମୟରେ ଅର୍ଥ, ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଆଦି ସବୁ କିଛି ଯାଚିଲେ। ଆହୁରି ମଧ୍ୟ କହିଲେ କି, ମୁଁ ପ୍ରଧାନମନ୍ତ୍ରୀ ହେବି। କାହାକୁ ଯଦି ମନ୍ତ୍ରୀ କରାଇବାକୁ ଚାହୁଁଛନ୍ତି କହନ୍ତୁ। କିନ୍ତୁ, ରାଜ ନାରାୟଣ ଏସବୁ କିଛି ଚାହୁଁ ନ ଥିଲେ। କପିଳ ଓ ସେ ଚାହୁଁଥିଲେ ଜଗଜୀବନଙ୍କ ପତନ। ୨୦ ମିନିଟ୍‌ ରୁଦ୍ଧଦ୍ବାର ବୈଠକ ଶେଷ ହେଲା ସିନା, କୌଣସି ବୁଝାମଣା ହୋଇପାରିଲା ନାହିଁ। ତା’ପରେ ରାଜ ନାରାୟଣ ସେ ଫଟୋଗୁଡ଼ିକ ମଧ୍ୟରୁ ପ୍ରାୟ ୧୫ଟି ଫଟୋ କପିଳ ମୋହନଙ୍କୁ ଦେଇ ବାକି ନିଜେ ରଖିଲେ।

ସଞ୍ଜୟ ଗାନ୍ଧୀଙ୍କ ପାଖକୁ ଗଲା ନଗ୍ନ ଫଟୋ
ରାଜ ନାରାୟଣ ଓ ଜଗଜୀବନ ଚାଲିଯିବାକ୍ଷଣି କପିଳ ମୋହନ ଅନୀଲ ବାଲିଙ୍କୁ କହିଲେ, ତୁରନ୍ତ ଏ ଫଟୋ ସବୁ ସଞ୍ଜୟ ଗାନ୍ଧୀଙ୍କୁ ଦେଇଦିଅ। ଆଚମ୍ବିତ ‌େହାଇ ବାଲି କାର୍‌ ‌ଚଳାଇ ମଧ୍ୟରାତ୍ରରେ ଇନ୍ଦିରା ଗାନ୍ଧୀଙ୍କ ବାସଭବନକୁ ଚାଲିଲେ। ସେତେବେଳକୁ ରାତି ୧ଟା ଟପିଲାଣି। ସଞ୍ଜୟ ଗାନ୍ଧୀଙ୍କୁ ନିଦରୁ ଉଠାଇ ୧୫ଟି ନଗ୍ନ ଫଟୋ ଦିଆଗଲା। ସେ ମଧ୍ୟ ତୁରନ୍ତ ମାଆ ଇନ୍ଦିରା ଗାନ୍ଧୀଙ୍କୁ ନିଦରୁ ଉଠାଇ ଫଟୋଗୁଡ଼ିକୁ ଦେଖାଇଲେ। ସେମିତିରେ ପୁଅ ‌ସୁରେଶର ଅପକର୍ମର ସୀମା ନ ଥିଲା। କିନ୍ତୁ, ଏଥରର ଅପକର୍ମ ଥିଲା ଅତି ସାଙ୍ଘାତିକ। ଜଗଜୀବନ ଜାଣିଥିଲେ ଏ ଫଟୋ ତାଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ଅନ୍ତରାୟ ସୃଷ୍ଟି କରିବ। ଗଣମାଧ୍ୟମରେ ଏ ଫଟୋ ଓ ଖବର ଛାପା ନ ହେବା ପାଇଁ ସେ ତାଙ୍କର ପୁରୁଣା ବନ୍ଧୁ ତଥା ଜନତା ପାର୍ଟି ସାଂସଦ କୃଷ୍ଣକାନ୍ତଙ୍କ ସହାୟତା ଲୋଡ଼ିଲେ। କିନ୍ତୁ, ସେତେବେଳକୁ ଫଟୋ ସବୁ ଖବରକାଗଜ ଅଫିସ୍‌ରେ ପହଞ୍ଚି ଯାଇଥିଲା। ଏକାନ୍ତରେ ଜଗଜୀବନ ଟୋପି ଓହ୍ଲାଇ ତାଙ୍କ ପାଦତଳେ ରଖିଦେଇ କହିଲେ, ଏବେ ମୋ ମାନମହତ ଆପଣଙ୍କ ହାତରେ। କୃଷ୍ଣକାନ୍ତଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଖବରକାଗଜରେ ଏ ଖବର କି, ଫଟୋ ଛପା ଯାଇ ନ ଥିଲା।

‘ସୂର୍ଯ୍ୟା’ ଛାପିଲା ଫଟୋ; କ୍ଷମତାକୁ ଆସିଲେ ଇନ୍ଦିରା
କିନ୍ତୁ, ‘ସୂର୍ଯ୍ୟା’ ନାମକ ଗୋଟାଏ ପତ୍ରିକାରେ ‘ସେଣ୍ଟର୍‌-ସ୍ପ୍ରେଡ୍‌’ ହୋଇ ସୁରେଶ ରାମ ଓ ସୁଷମା ଚୌଧୁରୀଙ୍କ ବ୍ୟଭିଚାରକାଳୀନ ଫଟୋ ଛପାଗଲା। ଏହାର ଶୀର୍ଷକ ଥିଲା ‘ଦି ରିୟଲ୍‌ ଷ୍ଟୋରି’ ବା ବାସ୍ତବ କାହାଣୀ। ଦୁହେଁ ବିଭିନ୍ନ କାମକଳା ମୁଦ୍ରାରେ ଥିବା ଅବସ୍ଥାର ଫଟୋ ମୁଦ୍ରିତ ‘ସୂର୍ଯ୍ୟା’ର ସେ ସଂଖ୍ୟା ତିନୋଟି ପର୍ଯ୍ୟାୟରେ ପ୍ରାୟ ୧.୨ ଲକ୍ଷ କପି ଛାପାଯାଇଥିଲା। ସେଥିରୁ ପ୍ରାୟ ୨୦ ହଜାର କପି କେବଳ ଦିଲ୍ଲୀରେ ବିକ୍ରୟ ହୋଇଥିଲା‌। ସେତେବେଳେ ଏହି ପତ୍ରିକାର ସଂପାଦିକା ଥିଲେ ଇନ୍ଦିରା ଗାନ୍ଧୀଙ୍କ ସାନବୋହୂ ମେନକା ଗାନ୍ଧୀ। ଏହି ଘଟଣା ମୋରାର୍‌ଜୀ ଦେଶାଇ ସରକାରର ପତନ ଘଟାଇଲା ଓ କ୍ଷମତ‌ାଚ୍ୟୁତ ହୋଇଥିବା ଇନ୍ଦିରା ଗାନ୍ଧୀଙ୍କୁ ୧୯୭୮ରେ ପୁନଶ୍ଚ କ୍ଷମତାସୀନ କଲା।

ସମ୍ବନ୍ଧିତ ଖବର