ଶୁଖିଗଲାଣି ଜଳଧାର: ବୈଶାଖରେ ଶୁଷ୍କ ସମାକୋଇ

ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇର ଜୀବନରେଖା ହେଉଛି ସମାକୋଇ ନଦୀ। ବର୍ଷାଦିନେ କରାଳ ରୂପ ଧାରଣ କରୁଥିବା ‌ସମାକୋଇର ଜଳଧାର ବୈଶାଖର ପ୍ରଚଣ୍ଡ ତାତିରେ ଶୁଖିଯାଇଛି। ନଦୀ ଶୁଖିଲା ପଡ଼ିଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଦିନରାତି ବେଆଇନ ବାଲି ଚୋରା ଚାଲାଣ ସାମାକୋଇ ପାଇଁ ବିପଦ ସୃଷ୍ଟି କରୁଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ହୁଣ୍ଡା ଗ୍ରାମ ନିକଟରୁ ବାହାରିଛି ସମାକୋଇ ନଦୀ। ଏହାର ଦୈର୍ଘ୍ୟ ୯୮ କିମି। ବର୍ଷକୁ ୫ ଲକ୍ଷ ୨୫ ହଜାର କ୍ୟୁସେକ୍‌ ଜଳ ନଦୀରେ ପ୍ରବାହିତ ହୋଇଥାଏ। ଏହା ଅନୁଗୁଳ ଜିଲ୍ଲାର ଗହମଠାରେ ବ୍ରାହ୍ମଣୀ ନଦୀରେ ମିଶିଛି। ସମାକୋଇ ପାଣି ତଳମୁଣ୍ଡରେ ଥିବା ସମଲ ବ୍ୟାରେଜର ଜଳଭଣ୍ଡାରରେ ଗଚ୍ଛିତ ହେଉଛି। ତେଲକୋଇର ୭ଟି ପଞ୍ଚାୟତ ତାଳପଦା, ଶିବନାରାୟଣପୁରଗୋଡା, ଓରିଆବିରିଦା, ତେଲକୋଇ, ଦୋବଲାପାଳ, ଦେଉଳଡିହା ଓ କରଦାଙ୍ଗିର ଲୋକେ ସମାକୋଇ ନଦୀ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ନଦୀଜଳକୁ ଗଚ୍ଛିତ ରଖିବା ପାଇଁ କୌଣସି ସ୍ଥାନରେ ଡ୍ୟାମ ନିର୍ମାଣ ହୋଇନାହିଁ। ସାମାକୋଇର ଉପରମୁଣ୍ଡ କୁହାଯାଉଥିବା ହାତୀମୁଣ୍ଡାରେ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି। ହେଲେ ଏହି ପ୍ରସ୍ତାବ ସରକାରୀ ଫାଇଲ୍‌ ତଳେ ଚାପି ହୋଇଯାଇଛି। ସେହିପରି ୮ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଯାଏ ମାତ୍ର ଗୋଟିଏ ପ୍ରକଳ୍ପ କାମ ଆରମ୍ଭ ହୋଇଛି।

ନଦୀକୂଳରେ ଥିବା ବିଭିନ୍ନ ଗ୍ରାମର ଚାଷଜମିକୁ ଜଳସେଚନ ପାଇଁ ୨୪ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଭାଲିଆଡାଳରେ ୩ଟି ଉଠା ଜଳସେଚନ ପ୍ରକଳ୍ପ ଥିବା ବେଳେ କମଳାଙ୍ଗରେ ଦୁଇଟି, ରାମଚନ୍ଦ୍ରପୁର, ଦନ୍ଦୁଆମୁଣ୍ଡା ଜେନାଦର, ସନ୍ଥେଇଭଞ୍ଜରେ ଗୋଟିଏ ଲେଖାଏଁ, ତେଲକୋଇରେ ୫ଟି, ନୂଆଗଡ଼, ଦେଉଳଡିହାରେ ୨ଟି, ଦୋବଲାପାଳରେ ୪ଟି ଓ କରଦାଙ୍ଗିରେ ୨ଟି ଉଠା ଜଳସେଚନ ପ୍ରକଳ୍ପ ରହିଛି। ନଦୀରେ ଆବଶ୍ୟକ ପାଣି ନଥିବାରୁ ପ୍ରକଳ୍ପଗୁଡ଼ିକ କୌଣସି କାମରେ ଆସୁନି। ‘ବସୁଧା’ ଯୋଜନାରେ ସମାକୋଇ ନଦୀରୁ ପାଣି ଉଠାଯାଇ ତାଳପଦା, ଶିବନାରାୟଣପୁରଗୋଡ଼ା, ତେଲକୋଇ, ଦୋବଲାପାଳକୁ ଜଳ ଯୋଗାଣ ହେଉଛି। ଖରାଦିନେ ନଦୀଶଯ୍ୟା ଶୁଷ୍କ ପଡ଼ିଥିବାରୁ ପାନୀୟଜଳ ପ୍ରକଳ୍ପରୁ ଲୋକେ ପାଣି ପାଉନାହାନ୍ତି।

ଅନ୍ୟପକ୍ଷରେ ବର୍ଷତମାମ ନଦୀର ଉପରମୁଣ୍ଡ ପଙ୍ଗା, ତାଳପଦା, ଶିମିଳିପାଳ, ବେତଖୋଲି, କୁମୁଣ୍ଡୁ, ଭାଲିଆଡାଳ, କମଳାଙ୍ଗ, ରାମଚନ୍ଦ୍ରପୁର, ଦନ୍ଦୁଆମୁଣ୍ଡା, ବାଲିସାହି,ତେଲକୋଇ କଦଳୀକୁଣ୍ଡ, ସତ୍‌ସଙ୍ଗ, ତଳସାହି, ହାଟତୋଟା, ନୂଆଗଡ଼, ମଧ୍ୟପୁର, ଦୋବଲାପାଳ, ଜେନାଦର, ରଗଡ଼ା ଆଦି ସ୍ଥାନରୁ ବେଧଡ଼କ ବାଲି ଚୋରା ଚାଲାଣ ଚାଲିଛି। ବାଲି ମାଫିଆମାନେ ଦିନରାତି ଜେସିବି ମେସିନ ଲଗାଇ ବାଲି ଉତ୍ତୋଳନ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।

ସମ୍ବନ୍ଧିତ ଖବର