ଉଷ୍ଣ ପ୍ରସ୍ରବଣ ‘ନୀଳକନ୍ଦର’ର ସର୍ଭେ ଆରମ୍ଭ

ଭାପୁର: ଏସିଆ ମହାଦେଶର ଦ୍ୱିତୀୟ ବୃହତମ ଉଷ୍ଣପ୍ରସ୍ରବଣ ନୀଳକନ୍ଦରର ସର୍ଭେ ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଗୋଳାପୋଖରୀ ପଞ୍ଚାୟତ ତରବାଲୋ ଏବଂ ନୀଳକଣ୍ଠପ୍ରସାଦ ଗ୍ରାମ ନିକଟସ୍ଥ ବୃହତ ନୀଳକନ୍ଦର ଉଷ୍ମପ୍ରସ୍ରବଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାର ବାଟ ଫିଟିଛି। ସୂଚନା ମୁତାବକ, ଗୋଳାପୋଖରୀ ପଞ୍ଚାୟତ ତରବାଲୋ ଏବଂ ନୀଳକଣ୍ଠପ୍ରସାଦ ଗ୍ରାମର ଉତ୍ତର ପଟେ ରହିଛି ଏସିଆ ମହାଦେଶର ଦ୍ୱିତୀୟ ବୃହତମ ଉଷ୍ଣପ୍ରସ୍ରବଣ ନୀଳକନ୍ଦର। ପ୍ରାୟ ୧୦ ଏକର ଜାଗାରେ ବହୁ ସ୍ଥାନରେ ପାଣି ଫୁଟୁଥିବା ବେଳେ ଗନ୍ଧକ ବାସ୍ନାରେ ଅଞ୍ଚଳ ସାରା ଘୂରିବୁଲିଥାଏ।

ଆଜିକୁ ପ୍ରାୟ ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏବଂ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ବହୁବାର ଏହି ପ୍ରକଳ୍ପର ଉନ୍ନତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଲିଖିତ ଭାବେ ଜଣ‌ାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା। କିଛି ବର୍ଷ ହେଲା ରାଜ୍ୟ ସରକାର ଏହି ପ୍ରକଳ୍ପକୁ ହାତକୁ ନେଇ ରାଜ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ। ପରବର୍ତ୍ତୀ ସମୟରେ ଏଠାରେ ପର୍ଯ୍ୟଟକଙ୍କ ରହଣି ପାଇଁ କିଛି ଗୃହ ନିର୍ମାଣ କରିଥିଲେ। କିନ୍ତୁ ସେଭଳି କିଛି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ। ଏବେ ଗତ ବୁଧବାର ୧ ତାରିଖ ଦିନ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ନାଗପୁର ଡିଭିଜନର ଏକ ୧୫ ଜଣିଆ ଦଳ ଏହି ସ୍ଥାନରେ ପହଞ୍ଚି ଟେଣ୍ଟ୍ ମାରି ରହିବା ସହିତ ଉନ୍ନତମାନର ଯନ୍ତ୍ରପାତି ଦ୍ୱାରା ବୋରିଂ କରି ମାଟି ନମୁନା ସଂଗ୍ରହ କରି ନାଗପୁର ରିସର୍ଚ୍ଚ ଲାବୋରାଟୋରିକୁ ପଠାଯିବ। ସେଠାରୁ ରିପୋର୍ଟ ଆସିଲା ପରେ ପ୍ରକଳ୍ପର ଉନ୍ନତି ପାଇଁ ରୂପରେଖ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର