ମାଲକାନଗିରି ଜିଲ୍ଲାରେ ରବି ଚାଷ ସତ୍ତ୍ବେ ମଣ୍ଡିର ବ୍ୟବସ୍ଥା ନାହିଁ: ଜଳସେଚନର ସୁବିଧା ଓ କୃଷିର ଉଚିତ ମୂଲ୍ୟ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରବି ଧାନ ଚାଷ ସତତ୍ତ୍ବେ ମଣ୍ଡିର କୌଣସି ବ୍ୟବସ୍ଥା ନାହିଁ, ଯାହାଫଳରେ ଚାଷୀ ନିଜର ଧାନକୁ କମ୍ ଦରରେ ଦଲାଲ ହାତରେ ଟେକିଦେବା ଛଡ଼ା ଅନ୍ୟ ଉପାୟ ନଥିବା କହିଛନ୍ତି। କୃଷି ବିଭାଗର ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ୧୫୨ ହେକ୍ଟର ଜମିର ଧାନ ଚାଷ କରାଯାଉଛି। ରବି ଚାଷ ପାଇଁ କୃଷି ବିଭାଗ କୌଣସି ଟାର୍ଗେଟ ନେଇନଥିବା ବେଳେ ଜିଲ୍ଲାର ସାତୋଟି ବ୍ଲକରେ କିନ୍ତୁ ଧାନ ଚାଷ କରାଯାଉଛି। ଜିଲ୍ଲାର ସାତୋଟି ବ୍ଲକ ମଧ୍ୟରୁ ମାଲକାନଗିରି ବ୍ଲକରେ ୩୬ ହେକ୍ଟର, କାଲିମେଳା ବ୍ଲକରେ ୬୧ ହେକ୍ଟର, ଖଇରପୁଟ ବ୍ଲକରେ ୫୫ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ କୋରକୋଣ୍ଡା ପଡ଼ିଆ, ଚିତ୍ରକୋଣ୍ଡା ଏବଂ ମାଥିଲି ବ୍ଲକରେ ଆଦୌ ଧାନ ଚାଷ ହେଉ ନାହିଁ।

ଜିଲ୍ଲାର ଚାରୋଟି ବ୍ଲକରେ କୌଣସି ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷ ପ୍ରାୟତଃ ହେଉନାହିଁ। କିନ୍ତୁ ଜିଲ୍ଲାରେ ଯଅ, ବାଜରା, ମକା ଭଳି ଚାଷ ପାଇଁ କୃଷି ବିଭାଗ ୨୧୬୦ ହେକ୍ଟର ଚାଷ ପାଇଁ ଟାର୍ଗେଟ ନେଇଥିବା ବେଳେ ୨୦୭୦ ହେକ୍ଟର ଜମିରେ ଚାଷ ହେଉଛି। ମୁଗ, ବିରି ଭଳି ଚାଷ ପାଇଁ କୃଷି ବିଭାଗ ୧୦,୮୪୯ ହେକ୍ଟର ଟାର୍ଗେଟ ନେଇଥିବା ବେଳେ ୧୧୫୩୪ ହେକ୍ଟର ଜମିରେ ଚାଷ ହେଉଛି। ତୈଳ ଜାତୀୟ ଫସଲ ଚାଷ ପାଇଁ କୃଷି ବିଭାଗ ୧୭୫୩୪ ହେକ୍ଟର ଟାର୍ଗେଟ ନେଇଥିବା ବେଳେ ୧୭୫୭୨ ହେକ୍ଟର ଜମିରେ ଚାଷ ହେଉଛି।

ସେହିପରି ଜିଲ୍ଲାରେ ପନିପରିବା ଚାଷ ପାଇଁ କୃଷି ବିଭାଗ ୧୭୫୬୮ ହେକ୍ଟର ଟାର୍ଗେଟ ନେଇଥିବା ବେଳେ୧୭୪୪୮ ହେକ୍ଟର ଜମିରେ ଚାଷ ହେଉଛି। ଅନ୍ୟାନ୍ୟ ଚାଷ ପାଇଁ ୧୮୩୯ ହେକ୍ଟର ଜମିରେ ଚାଷ ଟାର୍ଗେଟ ରହିଥିବା ବେଳେ କୃଷି ବିଭାଗ ୧୫୫୮ ହେକ୍ଟର ଜମିରେ ଚାଷ କରାଯାଉଥିବା କୁହାଯାଇଛି। ବିଶେଷ କରି ଧାନ ଚାଷ ପାଇଁ ଜିଲ୍ଲାରେ କୌଣସି ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷୀ ବାଧ୍ୟ ହୋଇ ଜମିକୁ ପଡିଆ ଛାଡିବାକୁ ବାଧ୍ୟ ହେଉଛି। ଜିଲ୍ଲାରେ ହେଉଥିବା ୧୫୨ ହେକ୍ଟର ଜମିରେ ମୋଟ ୪ ହଜାର କ୍ବିଣ୍ଟାଲ ଧାନ ବାହାରୁଥିବା ବେଳେ ଏହି ଧାନକୁ ଖରିଦ କରିବା ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି।

ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ ରବି ମଣ୍ଡିର କୌଣସି ବ୍ୟବସ୍ଥା ନଥିବା ଜଣାପଡ଼ିଛି। ସେଥିମଧ୍ୟରୁ ମାଲକାନଗିରି ଅନ୍ୟତମ। ବାଧ୍ୟ ହୋ ଇ ଚାଷୀ ଧାନକୁ ଛତିଶଗଡ଼ ଏବଂ ଆନ୍ଧ୍ର ଦଲାଲ ହାତରେ ଟେକି ଦେଉଛି। ଏବେ ନିର୍ବାଚନ ଚାଲିଥିବା ବେଳେ ଚାଷୀ ଏହାକୁ ନେଇ ସ୍ବରତ୍ତୋଳନ କରିବେ ବୋଲି ଜଣାପଡ଼ିଛି। ରବି ଚାଷ ପାଇଁ ଜଳସେଚନର ସୁବିଧା ସହ କୃଷିଙ୍କୁ ଉଚିତ ମୂଲ୍ୟ ଯେଉଁ ଦଳ ଦେବ ତାକୁ କୃଷକ ସମାଜ ଭୋଟ ଦେବେ ବୋଲି ସଫା ସଫା କହୁଛନ୍ତି। କୃଷକ ସମାଜର ଭୋଟ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ ଏବେ ପ୍ରତିଶ୍ରୁତିର ପାହାଡ ଛିଡ଼ା କଲେଣି।କୃଷକମାନେ ମଧ୍ୟ ଜାଣିସାରିଲେଣି ଯେ କିଏ କୃଷକଙ୍କର ହିତ ଚାହୁଁଛି କିଏ ନାହିଁ।ନିର୍ବାଚନ ପରେ କୃଷକଙ୍କ ଦୁଃଖ ଦୁର ହେଉଛି କି ନାହିଁ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର