କୁଚିଣ୍ଡା: ଖଣ୍ଡୋକଟାଠାରେ ଚାଲିଥିବା ୩୦ତମ ବିରାଟ ଧନୁଯାତ୍ରା ମହୋତ୍ସବ ରବିବାର ସଂଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହୋଇଥିବା ଦେଖାଯାଇଛି। ଭଣଜା କୃଷ୍ଣ ଓ ବଳରାମଙ୍କୁ ଦର୍ଶନ ପରେ କଂସଙ୍କ ନିଧନ ସହ ଏହି ଧନୁଯାତ୍ରାର ପରିସମାପ୍ତି ଘଟିଛି। କୃଷ୍ଣ ବଳରାମଙ୍କ ମଥୁରା କଟକକୁ ଧନୁଯାତ୍ରା ଦେଖିବା ପାଇଁ ଆସିବା ରାସ୍ତାରେ ମହାରାଜା କଂସର ଅସୁର ସେନା ସହିତ ଯୁଦ୍ଧ କରି ଗୋଟି ଗୋଟି କରି ସମସ୍ତଙ୍କୁ ହତ୍ୟା କରିବା ନାଟ୍ୟ ଅଭିନୟ ହୋଇଥିଲା। କଂସଙ୍କ ନିଧନ ପରେ କୃଷ୍ଣ ବଳରାମ ଉଗ୍ରେସନଙ୍କୁ ରାଜଗାଦିରେ ବସାଇ ଜନସାଧାରଣଙ୍କ ଦର୍ଶନ ଦେଇଥିଲେ। ତାଙ୍କୁ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିଲା। ଆଜି ଗୋପପୁର ଖଣ୍ଡୋକଟା ଗାଁ ଭିତରେ କୃଷ୍ଣ ବଳରାମଙ୍କୁ ଧନୁଯାତ୍ରା ଦେଖିବା ପାଇଁ ଅଜା ଉଗ୍ରେସନଙ୍କ ନିମନ୍ତ୍ରଣ, ତାଙ୍କୁ ବିଦାୟ କରିବା ଆଦି ଦୃଶ୍ୟ ଅଭିନୀତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରବିବାର ରାଜ ଦରବାରରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଟଙ୍କ ପାଣିଗ୍ରାହୀ ଓ ସଭାପତି ରବିନାରାୟଣ ନାୟକ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଆଜି ରବିବାର ଛୁଟି ଦିନ ହୋଇଥିବାରୁ ଧନୁଯାତ୍ରାରେ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା। କଂସଙ୍କ ଦରବାରଠାରୁ ଆରମ୍ଭ କରି ଖଣ୍ଡୋକଟା ଛକ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ବ୍ୟାପୀ ଦୋକାନ ବଜାର ରହିଥିଲା। ଚଳିତ ବର୍ଷ ଯାତ୍ରା କମିଟିରେ ସଭାପତି ଶ୍ରୀ ନାୟକଙ୍କ ସହ ରହିଥିବା ବେଳେ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲ, କୋଷାଧ୍ୟକ୍ଷ ଧ୍ରୁବ ସାହୁ, ଉପସଭାପତି ବେଦବ୍ୟାସ ନାଏକ, ରବି ଉର୍ମା, କିଶୋର ସାହୁ, ସଞ୍ଜୟ ପଟେଲ, ମହେନ୍ଦ୍ର ନାଏକ, ସୁରେଶ ପଟେଲଙ୍କ ପରିଚାଳନାରେ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପିଣ୍ଟୁ ନାଏକ କଂସ ଭୂମିକାରେ ଅଭିନୟ କରିଥିବା ବେଳେ ମନ୍ତ୍ରୀ ଶ୍ରୀବତ୍ସ ପାଢ଼ୀ, କୃଷ୍ଣ ମହାବୀର ସାହୁ ଓ ବଳରାମ ଭୂମିକାରେ ରାହୁଲ ମାକର ଅଭିନୟ କରିଥିଲେ।