ଋଣ ଟଙ୍କାରେ ଏସ୍ଏଚ୍ଜି ମହାଜନୀ କାରବାର କରୁଛନ୍ତି
ସରକାରୀ ଟଙ୍କାରେ ସରକାରୀ ଦଳ ରାଜନୀତି ନ କରୁ: ନରସିଂହ, ମିସନ୍ ଶକ୍ତିକୁ ବିଜେଡି ରାଜନୀତିରେ ବ୍ୟବହାର କରୁଛି: ମୋହନ, ମହିଳା ସଶକ୍ତ ଓ ସ୍ବାବଲମ୍ବୀ ହୋଇଛନ୍ତି: ଶାସକ
ଭୁବନେଶ୍ବର: ବହୁ ଗାଁରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ମାନେ ସାହୁକାର ସାଜିଛନ୍ତି। ଋଣ ଟଙ୍କାରେ ସେମାନେ ମହାଜନୀ କାରବାର କରୁଛନ୍ତି। ଗରିବ ଲୋକଙ୍କୁ ଚଢ଼ା ସୁଧରେ ଋଣ ଦେଉଛନ୍ତି। ଏସ୍ଏଚ୍ଜିଙ୍କୁ ଋଣ ଦେବାର ଉଦ୍ଦେଶ୍ୟ ସାଧିତ ହେଉନି। ଆଜି ବିଧାନସଭାର ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳର ସଭ୍ୟମାନେ ଏମିତି ଆରୋପ ଲଗାଇଥିଲେ। ସରକାର ମହିଳାଙ୍କ ବାସ୍ତବ ଉନ୍ନତି ଚାହୁନାହାନ୍ତି, କେବଳ ରାଜନୀତିରେ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ‘ଲକ୍ଷ୍ୟଠାରୁ ଦୂରେଇ ଯାଇଛି ମିସନ ଶକ୍ତି କାର୍ଯ୍ୟକ୍ରମ। ମହିଳା ସଶକ୍ତୀକରଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ମିସନ୍ ଶକ୍ତିର ବିଭାଗୀୟ ଷ୍ଟାଣ୍ଡିଂ କମିଟି ବଜେଟ୍କୁ ତର୍ଜମା କରି ଗୃହରେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି କମିଟିରେ ସବୁ ଦଳର ବିଧାୟକ ସଦସ୍ୟ ଅଛନ୍ତି ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଅଧ୍ୟକ୍ଷ ଅଛନ୍ତି। ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଋଣ ଯେଉଁଥି ପାଇଁ ଦିଆଯାଉଛି ସେଇଥି ପାଇଁ ଖର୍ଚ୍ଚ କରାଯାଉନି। ଏହା ଠାରୁ କଡ଼ା ଟିପ୍ପଣୀ ଆଉ କ’ଣ ହୋଇପାରେ? ସରକାର ଷ୍ଟାଣ୍ଡିଂ କମିଟିର ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ମହିଳାମାନଙ୍କର ବିକାଶ ନିହାତି ଆବଶ୍ୟକ। ସେମାନଙ୍କ ପାଇଁ କରାଯାଇଥିବା ଯୋଜନାକୁ କେହି ବିରୋଧ କରୁନାହାନ୍ତି। ଏସ୍ଏଚ୍ଜି ଓଡ଼ିଶା ସରକାରଙ୍କ ମାନସ ସନ୍ତାନ ନୁହେଁ। ଏହା ସବୁ ରାଜ୍ୟରେ ଅଛି ଓ ଏହାର ଉଦ୍ଦେଶ୍ୟ ମହତ। କିନ୍ତୁ ଏହି ଯୋଜନାକୁ ରାଜନୀତି ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ଏସ୍ଏଚ୍ଜି ସଦସ୍ୟାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟକ୍ରମକୁ ସେମାନଙ୍କୁ ଅଣାଯାଉଛି। ସରକାରୀ ଟଙ୍କାରେ ସରକାରୀ ଦଳ ରାଜନୀତି କରିବା ନିନ୍ଦନୀୟ। ଏସ୍ଏଚ୍ଜି ଯେଉଁ ଋଣ ନେଉଛନ୍ତି ସେମାନେ ଗାଁରେ ମହାଜନୀ କାରବାର କରୁଥିବା ଅଭିଯୋଗ ହେଉଛି। ସେମାନେ ବହୁତ ସୁଧ ନେଇ ଋଣ ଦେଉଛନ୍ତି। ପରେ ଏସ୍ଏଚ୍ଜିମାନେ ଋଣ ପରିଶୋଧ କରୁନାହାନ୍ତି। ଷ୍ଟାଣ୍ଡିଂ କମିଟି ଏ ସଂକ୍ରାନ୍ତରେ ଦେଇଥିବା ରିପୋର୍ଟକୁ ଯଦି ସରକାର ଗ୍ରହଣ କରୁନାହାନ୍ତି, ତେବେ ଗୃହ କମିଟି ଗଠନ କରାଯାଉ। କ୍ଷେତ୍ର ସ୍ତରରେ ଯାଞ୍ଚ୍ କରି ସତ କ’ଣ ତାହା ଲୋକଙ୍କୁ ଜଣାଯାଉ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଥିଲେ, ମହିଳାଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ। ସମୟ ଆସିବ, ସେହି ମହିଳାମାନେ ହିଁ ଜବାବ ଦେବେ। ଏସ୍ଏଚ୍ଜିଙ୍କୁ ଋଣ ଦିଆଯିବା ଠିକ୍। କିନ୍ତୁ ତାହା ଖର୍ଚ୍ଚ କେମିତି ହେଉଛି, ତାହାର ତଦାରଖ କରାଯାଉ। କେହି ଋଣ ପରିଶୋଧ କରୁନାହାନ୍ତି। ଏହା ସାଂଘାତିକ କଥା। ଖାଲି ଭୋଟ୍ ପାଇଁ ମହିଳାଙ୍କୁ ବ୍ୟବହାର ନକରି ସେମାନଙ୍କ ବାସ୍ତବ ବିକାଶ କରାଯାଉ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ମିସନ୍ ଶକ୍ତି ବିଜେଡିର ବ୍ରହ୍ମାସ୍ତ୍ର ବୋଲି ତାଙ୍କରି ଦଳର ନେତାମାନେ ହିଁ କହି ବୁଲୁଛନ୍ତି। ଋଣ ଟଙ୍କାରେ ଏସ୍ଏଚ୍ଜିମାନେ ମହାଜନୀ କାରବାର କରୁଛନ୍ତି। କ୍ଷୁଦ୍ର ଚାଷୀ, ଦିନ ମଜୁରିଆଙ୍କୁ ସେମାନେ ହାତ ଋଣ ଦେଉଛନ୍ତି। ଯେଉଁମାନେ ଋଣ ପରିଶୋଧ କରୁନାହାନ୍ତି, ସେମାନଙ୍କୁ ଗୁଣ୍ଡା ଲଗାଇ ହଇରାଣ କରୁଛନ୍ତି। କେନ୍ଦ୍ର ସରକାର ମହିଳାଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ ବହୁ ଅର୍ଥ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ବାହାବା ନେଉଛନ୍ତି। ରାଜ୍ୟରେ ପ୍ରକୃତ ମହିଳା ସଶକ୍ତୀକରଣ ହୋଇନାହିଁ। ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ ଆଲୋଚନାରେ ଭାଗ ନେଇଥିଲେ।
ବିରୋଧୀ ଦଳଙ୍କ ଅଭିଯୋଗର ଜବାବ ଦେଇଥିଲେ ଶାସକ ଦଳ ସଭ୍ୟ। ସେମାନଙ୍କ ଯୁକ୍ତି ଥିଲା, ବିରୋଧୀ ଦଳ ତଥ୍ୟ ଭିତରକୁ ଯାଉନାହାନ୍ତି। ଅନ୍ୟ ରାଜ୍ୟ ତୁଳନାରେ ମିସନ୍ ଶକ୍ତି ଏଠାରେ ବହୁତ ଭଲ ଚାଲିଛି। ମହିଳାଙ୍କ ସ୍ଥିତିରେ ଉନ୍ନତି ଆସିଛି। ମହିଳା ସଶକ୍ତ ଓ ସ୍ବାବଲମ୍ବୀ ହୋଇପାରିଛନ୍ତି। ମହିଳାମାନେ ମହାଜନୀ କାରବାର କରୁଛନ୍ତି ବୋଲି ବିରୋଧୀ ଦଳର ଅଭିଯୋଗ ଆଦୌ ଠିକ୍ ନୁହେଁ। ଏମିତି ଅପମାନସୂଚକ ଶବ୍ଦ ବ୍ୟବହାର କରିବା ଠିକ୍ ନୁହେଁ। ଶାସକ ଦଳ ପକ୍ଷରୁ ଦେବୀ ମିଶ୍ର, ଲତିକା ପ୍ରଧାନ, ସୁନନ୍ଦା ଦାସ ଓ ମିନାକ୍ଷୀ ମହନ୍ତ ଆଲୋଚନାରେ ଭାଗ ନେଇଥିଲେ।
ମିସନ୍ ଶକ୍ତି ମା’ମାନଙ୍କୁ ପରିଚୟ ଦେଇଛି: ମନ୍ତ୍ରୀ
ଆଲୋଚନାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଥିଲେ, ମିସନ୍ ଶକ୍ତି ମାଧ୍ୟମରେ ମା’ମାନେ ସ୍ବତନ୍ତ୍ର ପରିଚୟ ପାଇଛନ୍ତି। ୬ ଲକ୍ଷ ଏସ୍ଏଚ୍ଜିରେ ସାମିଲ ହୋଇ ୭୦ ଲକ୍ଷରୁ ଅଧିକ ମହିଳା ସଶକ୍ତ ହୋଇପାରିଛନ୍ତି। ବିଭିନ୍ନ ସରକାରୀ ବିଭାଗରେ ଏକ ଲକ୍ଷରୁ ଅଧିକ ଏସ୍ଏଚ୍ଜି କାର୍ଯ୍ୟ କରୁଛନ୍ତି। ଏସ୍ଏଚ୍ଜିମାନଙ୍କ ବ୍ୟାଙ୍କ ଋଣ ପରିମାଣ ବର୍ଷକୁ ବର୍ଷ ବଢ଼ି ଏ ପର୍ଯ୍ୟନ୍ତ ୯,୧୫୦ କୋଟି ଟଙ୍କାରେ ପହଞ୍ଚି ପାରିଛି। ମହିଳାମାନଙ୍କ ନିୟମିତ ଋଣ ପରିଶୋଧ କ୍ଷମତା ବୃଦ୍ଧି କାରଣରୁ ସେମାନେ ସୁଧ ଫେରସ୍ତ ପାଇପାରୁଛନ୍ତି। ପ୍ରତି ପଞ୍ଚାୟତରେ ମିସନ୍ ଶକ୍ତି ଗୃହ ନିର୍ମାଣର ବ୍ୟବସ୍ଥା ହୋଇଛି। ଏସ୍ଏଚ୍ଜିଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ମିସନ୍ ଶକ୍ତି ମାଧ୍ୟମରେ ଜିଲ୍ଲା ସ୍ତରରେ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବିରୋଧୀଙ୍କ ଅଭିଯୋଗ ତଥ୍ୟ ଉପରେ ଆଧାରିତ ନୁହେଁ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।