ଶେଷ ହେଲା ପାରାଭାଡ଼ି ବୌଦ୍ଧସ୍ତୂପ ଖନନ: ୪ ବୌଦ୍ଧମୂର୍ତ୍ତି ଆବିଷ୍କୃତ

ଚଣ୍ତିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଶୁଖୁଆପଡ଼ା ପାହାଡ଼ ଶୀର୍ଷରେ ଥିବା ପାରାଭାଡ଼ି ବୌଦ୍ଧସ୍ତୂପର ଖନନ କାର୍ଯ୍ୟ ଶେଷ ହୋଇଛି। ଏବେ ଏହାର ଦସ୍ତାବିଜ ଓ ସମଗ୍ର ସ୍ତୂପର ଡ୍ରଇଂ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ଫେବ୍ରୁଆରି ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଖନନରୁ ଅଷ୍ଟମ ଶତାବ୍ଦୀର ୧୫ ଫୁଟ ଉଚ୍ଚତା ବିଶିଷ୍ଟ ସ୍ତୂପର ସନ୍ଧାନ ମିଳିଥିଲା। ଏହାର ଚତୁଃପାର୍ଶ୍ବରୁ ନିମ୍ନଭାଗ ଥିବା ଚାରୋଟି ଭଗ୍ନ ବୌଦ୍ଧମୂର୍ତ୍ତି ମିଳିଛି। ଅନେକ ଟେରାକୋଟା ସାମଗ୍ରୀ ମଧ୍ୟ ଏଠାରୁ ଆବିଷ୍କୃତ ହୋଇଛି। ଗତ ସୋମବାର ଏଏସ୍‌ଆଇ ପୁରୀ ସର୍କଲର ସର୍ଭେୟର, ଡ୍ରାଫ୍ଟସ୍‌ମ୍ୟାନ ଓ ଅନ୍ୟମାନେ ପହଞ୍ଚି ବିଭିନ୍ନ ପ୍ରକ୍ରିୟା ପରେ ଏବେ ସ୍ତୂପର ପୂର୍ଣ୍ଣାଙ୍ଗ ଚିତ୍ର (ଡ୍ରଇଂ) ପ୍ରସ୍ତୁତ କରାଯାଉଛି। ସ୍ତୂପ ଚାରିପଟେ ଲୁହାବାଡ଼ ଦିଆଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟ ଶେଷପରେ ଏଏସ୍‌ଆଇ ଏହାର ସଂରକ୍ଷଣ ଦାୟିତ୍ବ ନେବ।

ପାରାଭାଡ଼ି ବୌଦ୍ଧ ସ୍ତୂପର ଉଚ୍ଚତା ୧୫ ଫୁଟ ରହିଥିବା ବେଳେ ଏହାର ନିମ୍ନଭାଗ ଗୋଲେଇ ୧୧ ମିଟର ରହିଛି। ସ୍ତୂପର ମଧ୍ୟଭାଗ ୮ ମିଟର ଓ ଉପର ଭାଗ ୭.୫ ମିଟର। ସ୍ଥାନୀୟ ଶ୍ରମିକଙ୍କ ସହିତ ଖନନ କାର୍ଯ୍ୟରେ ଏଏସ୍‌ଆଇର ନୂଆଦିଲ୍ଲୀସ୍ଥିତ ପ୍ରତ୍ନତତ୍ତ୍ବ ବିଭାଗରୁ ତାଲିମପ୍ରାପ୍ତ ୬ଜଣ ପ୍ରତ୍ନତତ୍ତ୍ବବିତ ସାମିଲ ହୋଇଥିଲେ। ସମୁଦ୍ରପତ୍ତନ ଠାରୁ ୧୪୦ ମିଟର ଉଚ୍ଚରେ ରହିଥିବା ପାରାଭାଡ଼ି ପାହାଡ଼ର ଶିଖରକୁ ଯିବାପାଇଁ ପାଦଚଲା ରାସ୍ତା ରହିଛି। ଏହାର ଗୋଟିଏ ପଟେ ଶୁଖୁଆପଡ଼ା ଓ ଅନ୍ୟପାର୍ଶ୍ବରେ କେଶରାଇପୁର ରହିଛି। କେଶରାଇପୁର ପାହାଡ଼ ପଟୁ ଓଡ଼ିଶା ଖଣି ନିଗମ ଖଣ୍ଡୋଲାଇଟ ପଥର ଖୋଳି ପୁରୀ ଶ୍ରୀମନ୍ଦିର ସଂରକ୍ଷଣ କାମ ପାଇଁ ପଠାଇଥିଲା। ହେଲେ, ଉନ୍ନତମାନର ପଥର ନମିଳିବାରୁ ଖନନ ବନ୍ଦ କରାଯାଇଛି। ତେବେ, ପଥର ଖୋଜିବା ପାଇଁ ଲିଜ୍‌ଧାରୀ ବୁଲଡୋଜର ଲଗାଇ ପାରାଭାଡ଼ି ସ୍ତୂପ ନିକଟ ପର୍ଯ୍ୟନ୍ତ ଖୋଳି ଏହାକୁ ନଷ୍ଟ କରି ଦେଇଛି। ପାହାଡ଼ ଉପରେ ଥିବା ୟୁକାଲିପଟାସ ଗଛ କଟାଯାଇଛି ଓ ପାରାଭାଡ଼ି ତଳେ ଥିବା ଅନ୍ୟ ଏକ ବୌଦ୍ଧସ୍ତୂପକୁ ସଂପୂର୍ଣ୍ଣ ଧ୍ବଂସ କରି ଦିଆଯାଇଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଯେ ଏଠାରୁ ମିଳିଥିବା ୪ଟି ବୌଦ୍ଧମୂର୍ତ୍ତି ଓ ବିପୁଳ ପରିମାଣର ଭଗ୍ନ ମାଟିପାତ୍ର ଲଳିତଗିରି ବୌଦ୍ଧ ସଂଗ୍ରହାଳୟରେ ରଖାଯାଇଛି।

ସମ୍ବନ୍ଧିତ ଖବର