ଓଡ଼ିଶା ମୋର ପ୍ରଥମ ପରିଚୟ, ଓଡ଼ିଆ ଭାବେ ଗୌରବାନ୍ବିତ ବୋଧକରେ: ପ୍ରଫେସର ନଇମା ଖାତୂନ

ପ୍ରଥମ ଓଡ଼ିଆ ମହିଳା ଭାବେ ଅାଲିଗଡ଼ ମୁସଲିମ୍‌ ବିଶ୍ବବିଦ୍ୟାଳୟର କୁଳପତି ଆସନ ଅଳଙ୍କୃତ କରି ଏକ ବିରଳ କୃତିତ୍ବର ଅଧିକାରିଣୀ ହୋଇଛନ୍ତି ପ୍ରଫେସର୍‌ ଡକ୍ଟର ନଇମା ଖାତୂନ। ଚାରି ଦଶନ୍ଧିରୁ ଊର୍ଦ୍ଧ୍ବ ଓଡ଼ିଶା ବାହାରେ ରହିବା ସତ୍ତ୍ବେ ଓଡ଼ିଶା ଓ ଓଡ଼ିଆ ଭାଷା ପ୍ରତି ତାଙ୍କର ମମତା ଅତୁଳନୀୟ। ୨୦୨୪ ଏପ୍ରିଲ୍‌ରେ ବିଶ୍ୱପ୍ରସିଦ୍ଧ ଅାଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ‘ସମ୍ବାଦ ରବିବାର’ ପକ୍ଷରୁ ତାଙ୍କୁ ଭେଟିଥିଲେ ବିଭୂତି ପତି

ନଇମାଙ୍କ ନିଜକଥା
ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ହଳଦୀଗଡ଼ିଆ ଗାଁ’ରେ ନଇମା ଖାତୂନଙ୍କ ଜନ୍ମ। ଯାଜପୁର ଓ କେନ୍ଦ୍ରାପଡ଼ା ସରକାରୀ ବାଳିକା ବିଦ୍ୟାଳୟରେ ପାଠପଢ଼ି ନଇମା ୧୯୭୭ରେ ଏକାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ। ତା’ପରେ ଉଚ୍ଚଶିକ୍ଷା ପାଇଁ ୧୯୭୮ରେ ସେ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏ.ଏମ୍‌.ୟୁ.)ରେ ନାମ ଲେଖାଇଥିଲେ। ବାପା ଅହମ୍ମଦ ଅଲ୍ଲୀ ଓ ମା ହଫଶା ଖାତୂନ ପିଲାମାନଙ୍କ ପାଠପଢ଼ା ପ୍ରତି ବହୁତ ଗୁରୁତ୍ବ ଦେଉଥିଲେ। ୪ ଭାଇ ଓ ୪ ଭଉଣୀଙ୍କ ମଧ୍ୟରେ ନଇମା ଥିଲେ ସବାସାନ।

ଏ.ଏମ୍‌.ୟୁ.ର ପ୍ରସିଦ୍ଧ ଅବଦୁଲ୍ଲା ହଲ୍‌ ୱେହେଦିଆ ହଷ୍ଟେଲ ଅନ୍ତେବାସୀ ଥିଲେ ନଇମା। ପ୍ରଥମେ ହଷ୍ଟେଲରେ ମନିଟର୍‌ ହୋଇ ନିଜର ପାଠପଢ଼ା ସହିତ ନେତୃତ୍ୱ ନେବାର ଅଭିଜ୍ଞତା ହାସଲ କଲେ। ତା’ପରେ ଅନ୍ୟତମ ସୁପ୍ରସିଦ୍ଧ ହଷ୍ଟେଲ ସରୋଜିନୀ ନାଇଡୁ ହଲ୍‌ରେ ନଇମା ସିନିୟର୍‌ ମନିଟର୍‌ ଦାୟିତ୍ୱ ନେଲେ। ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଛାତ୍ରୀ ଥିବା ନଇମା ପାଠପଢ଼ାରେ ମଧ୍ୟ ବିଶ୍ୱବିଦ୍ୟାଳୟର ସମସ୍ତ ରେକର୍ଡ ଅତିକ୍ରମ କରିଗଲେ। ସେଠାରେ ସେ ଶ୍ରେଷ୍ଠଛାତ୍ରୀ ସମ୍ମାନରେ ସମ୍ମାନିତା ହେଲେ। ଏ.ଏମ୍‌.ୟୁ. ଛାତ୍ର ରାଜନୀତିରେ ଯୋଗଦେଇ ୧୯୭୯ ଓ ୧୯୮୦ରେ ସେ ମହିଳା କଲେଜର କୋଷାଧ୍ୟକ୍ଷା ଓ ସଂପାଦିକା ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ଏ.ଏମ୍‌.ୟୁ.ରେ ପି.ଏଚ୍‌ଡି କରି ୧୯୮୮ରେ ସେ ମନୋବିଜ୍ଞାନ ବିଭାଗରେ ଅଧ୍ୟାପିକା ଭାବେ ଯୋଗଦେଲେ। ମନୋବିଜ୍ଞାନ ଶିକ୍ଷା କ୍ଷେତ୍ରରେ ପ୍ରଫେସର ନଇମା ଖାତୂନଙ୍କ ଅବଦାନ ବେଶ୍ ଆଦୃତ। ଛଅଟି ପୁସ୍ତକ ଓ ୩୧ଟି ଗବେଷଣାତ୍ମକ ପ୍ରବନ୍ଧ ଲେଖି ସେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟିଛନ୍ତି। ଶିକ୍ଷାକ୍ଷେତ୍ରରେ ତାଙ୍କର କାର୍ଯ୍ୟ ତାଙ୍କୁ ବିଶ୍ୱବ୍ୟାପୀ ସମ୍ମାନ ଓ ସ୍ୱତନ୍ତ୍ର ପରିଚୟ ଦେଇଛି। ଗତ ଏପ୍ରିଲ୍‌ ୨୪ରେ ସେ ଏ.ଏମ୍‌.ୟୁ.ର ପ୍ରଥମ ମହିଳା କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ଏଭଳି ସମ୍ମାନଜନକ ପଦବିରେ ତାଙ୍କର ନିଯୁକ୍ତି ଓଡ଼ିଶା ନାରୀଶିକ୍ଷା ଗୌରବକୁ ସ୍ୱତନ୍ତ୍ର ପରିଚୟ ଦେବାରେ ଯଥେଷ୍ଟ ସହାୟକ ହୋଇପାରିଛି।

 

ଆଜିର ଦିନରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ଖୋଳ ଭିତରେ ବନ୍ଦ କରି ରଖି ପାରିବାନାହିଁ। ସମାଜରେ ଘଟୁଥିବା ଘଟଣା ଏବଂ ଆମ ନିତିଦିନିଆ ଜୀବନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗର ପ୍ରତିଫଳନ ଶିକ୍ଷାନୁଷ୍ଠାନ ଉପରେ ନିଶ୍ଚିତ ପ୍ରତିଫଳିତ ହେବ।

ଯାଜପୁର କୋରେଇ ବ୍ଲକ୍‌ର ହଳଦୀଗଡ଼ିଆ ଗାଁ ସ୍କୁଲରୁ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ- ଦୀର୍ଘ ୪୬ ବର୍ଷର ଏହି ଲମ୍ବା ଯାତ୍ରା କିଭଳି ଭାବେ ଆପଣଙ୍କୁ ପ୍ରଭାବିତ କରିଛି?
ମୋ ସମୟରେ ଜଣେ ମୁସଲମାନ୍ ଝିଅ ଯାଜପୁର ଅଞ୍ଚଳ ଗାଁରୁ ଆସି ହଷ୍ଟେଲରେ ରହି ଏ.ଏମ୍‌.ୟୁ.ରେ ପଢ଼ିବା ନିଶ୍ଚିତ ଅଦ୍ଭୁତ ଘଟଣା। ସେତେବେଳେ ଗମନାଗମନ ସୁବିଧା ନ ଥିଲା। ମୁଁ ଯାଜପୁର ରୋଡ୍‌କୁ ଆସି ସେଠାରୁ ହାୱଡ଼ା ଯାଇ ‘କାଲ୍‌କା ଏକ୍ସପ୍ରେସ୍‌’କୁ ଅତିକମ୍‌ରେ ୪/୫ ଘଣ୍ଟା ଅପେକ୍ଷା କରି ଆଲିଗଡ଼ ଆସିଥାଏ। ସେବେ ଓଡ଼ିଶାର ସମାଜ ଥିଲା ରକ୍ଷଣଶୀଳ ଏବଂ ଆମ ମୁସଲମାନ୍‌ ପରିବାର ଆହୁରି ଅଧିକ ରକ୍ଷଣଶୀଳ। ମୋର ଏକାଦଶ ଶ୍ରେଣୀ ସରିବା ପରେ ଉଚ୍ଚଶିକ୍ଷା ନେଇ ଘରେ ଆଲୋଚନା ହେଲା। ବଡ଼ଭାଇଙ୍କ ପରାମର୍ଶକ୍ରମେ ‘ଏ.ଏମ୍‌.ୟୁ’ରେ ନାଁ ଲେଖାଇଲି। ଏଠାରେ ମୁଁ ସ୍ନାତକ, ସ୍ନାତକୋତ୍ତର, ଏମ୍‌.ଫିଲ୍‌, ଏବଂ ପି.ଏଚ୍‌ଡି ଶେଷକରି ଏଠାରେ ହିଁ ଅଧ୍ୟାପିକା ହେଲି। ତା’ପରେ ଯାହାସବୁ ଘଟିଗଲା ସେସବୁ ଇତିହାସ।

ସେତେବେଳେ ରେଭେନ୍ସା କଲେଜ ଓ ଉତ୍କଳ ବିଶ୍ବବିଦ୍ୟାଳୟକୁ ଛାଡ଼ି ଆପଣ ଏତେ ଦୂରକୁ ଆସିବାକୁ କାହିଁକି ଭାବିଲେ?
ଯେତେବେଳେ ରେଭେନ୍ସା କଲେଜକୁ ନେଇ ପ୍ରଥମେ ଆଲୋଚନା ହେଲା ଘରେ ଟିକିଏ ଅମଙ୍ଗ ହେଲେ। ପୁଣି ଶୈଳବାଳା ଓ ରମାଦେବୀ କଲେଜ ନେଇ ଆଲୋଚନା ହେଲା। ବଡ଼ଭାଇ ଲିୟାକତ ଅଲ୍ଲୀ ଏ.ଏମ୍‌.ୟୁ.ରେ ଡକ୍ଟରେଟ୍‌ କରୁଥିଲେ। ସେ ଏ.ଏମ୍‌.ୟୁ.ରେ ପଢ଼ିବାକୁ କହିଲେ। ତେଣୁ ମୁଁ ଏଠାରେ ପଢ଼ିଲି। କିନ୍ତୁ, ମୋର ଗ୍ରାଜୁଏସନ୍‌ ପ୍ରଥମ ବର୍ଷରେ ବଡ଼ଭାଇ ଲିୟାକତ ଅଲ୍ଲୀ ଏ.ଏମ୍‌.ୟୁ. ଛାଡ଼ି ଓଡ଼ିଶା ଚାଲିଗଲେ। ସେତେବେଳେ ଆଉ ଜଣେ ଝିଅ ଓଡ଼ିଶାରୁ ଆସି ଏଠାରେ ପଢୁଥିଲେ। ସ୍କୁଲ୍‌ ଜୀବନରୁ ନେଇ ଆଜି ପର୍ଯ୍ୟନ୍ତ ଘଟିଥିବା ସେସବୁ ଘଟଣା ମନେପଡ଼ିଲେ ହସ ଲାଗେ। ଭାବେ, କେମିତି ଏତେ କଷ୍ଟ କାର୍ଯ୍ୟ କରିପାରିଲି! ମା’ ଥିଲା ମୋ ପ୍ରେରଣା ଉତ୍ସ। ସେଥିପାଇଁ ମା’ର ସାଙ୍ଗିଆ (ଖାତୂନ) ପରିବର୍ତ୍ତନ କରିନାହିଁ।

ଆଲିଗଡ଼ରେ ରହିବା ପରେ ଓଡ଼ିଶା ସଂପର୍କରେ ସାଙ୍ଗସାଥୀଙ୍କୁ କହନ୍ତି?
ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ମୁଁ ସ୍ବର୍ଣ୍ଣପଦକ ପାଇଥିଲି। ମୋ ପାଖକୁ ଯିଏ ଆସିଲା, ମୋ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ପଚାରିବେ ତମେ କେଉଁଠାରୁ ଆସିଛ? ମୁଁ କହିଦିଏ ଓଡ଼ିଶାରୁ। ତେଣୁ ମୁଁ ନିଶ୍ଚିତ ହୋଇଯାଇଥିଲି ମୋର ପ୍ରଥମ ପରିଚୟ ଓଡ଼ିଶା। ଆଜି ବି ଓଡ଼ିଶାକୁ ନେଇ ଗୌରବାନ୍ବିତା ବୋଧକରେ। ଓଡ଼ିଆ ଭାଷା ପ୍ରତି ରହିଛି ମୋର ଅଶେଷ ଦୁର୍ବଳତା।

ଏଠାକୁ ଆସିବା ପରେ ଆପଣଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା କ’ଣ ଥିଲା?
ଭାଷା। ଓଡ଼ିଶାର ଭାଷା ଅଧା ଓଡ଼ିଆ ଓ ହିନ୍ଦୀମିଶା ଉର୍ଦ୍ଦୁ, କିନ୍ତୁ ଏଠାରେ ଶୁଦ୍ଧ ଉର୍ଦ୍ଦୁ କୁହାଯାଏ। ମୋତେ ପ୍ରଥମ ଦୁଇବର୍ଷ ବହୁତ ସଂଘର୍ଷ କରିବାକୁ ପଡ଼ିଲା। ମୁଁ ଅନ୍ୟ ପିଲାମାନଙ୍କୁ ପଢ଼ାପଢ଼ିରେ ବହୁତ ସାହାଯ୍ୟ କରୁଥିଲି। ତେଣୁ ସମସ୍ତେ ମୋତେ ଆଦର କଲେ। ମୋର ସବୁ ସମସ୍ୟା ଦୂର ହୋଇଗଲା। ସେଥିପାଇଁ ଛାତ୍ର ରାଜନୀତିରେ ମୁଁ ସଫଳତା ପାଇଥିଲି।

ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି ବୋଲି ଅଭିଯୋଗ ଶୁଣାଯାଏ । ଏହାର କାରଣ କ’ଣ?
ଆଜି ବି ମୁଁ ମୋ କେନ୍ଦ୍ରାପଡ଼ା ସ୍କୁଲର ସ୍ବର୍ଗତଃ ସୁଧା ଗୁରୁମା’ଙ୍କୁ ହୃଦୟରେ ମନେରଖିଛି। ସେ ଜୀବିତ ଥିଲା ବେଳେ ମୁଁ ଯେତେବେଳେ ଓଡ଼ିଶା ଯାଏ ତାଙ୍କ ଘରକୁ ଯିବା ନିଶ୍ଚିତ। ଠିକ୍‌ ସେହିପରି ଯାଜପୁର ସ୍କୁଲର ଜ୍ୟୋତ୍ସ୍ନା ଦିଦିଙ୍କ ସହିତ ମୋର ସମ୍ପର୍କ ଅତି ନିବିଡ଼। ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଜି ଆଉ ଆବେଗଭରା ସମ୍ପର୍କ ନାହିଁ। ଶିକ୍ଷକଗୋଷ୍ଠୀ ଆଜିକାଲି ବିଦ୍ୟାର୍ଥୀମାନଙ୍କ ପ୍ରତି ଥିବା ଦାୟିତ୍ୱବୋଧ ପ୍ରତି ଗୁରୁତ୍ୱ ନ ଦେଇ ପେସାଦାର ମନୋବୃତ୍ତି ଗ୍ରହଣ କରି ଶିକ୍ଷାଦାନ କରୁଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନ କଥା ନ କହିବା ଭଲ। ଏଭଳି ଅନେକ କାରଣ ରହିଛି। ଏଥିପାଇଁ ମୁଁ ସମସ୍ତଙ୍କୁ ଦାୟୀ କରୁଛି।

ଜାତୀୟ ଶିକ୍ଷା ନୀତି (ଏନ୍‌.ଇ.ପି.)କୁ ନେଇ ଆପଣଙ୍କ ମତ କ’ଣ?
ମାତୃଭାଷାରେ ଶିକ୍ଷାଦାନ କରିବା ନିଷ୍ପତ୍ତି ଖୁବ୍‌ ଭଲ ଏବଂ ଏହା ବିଦ୍ୟାର୍ଥୀଙ୍କର ଶିକ୍ଷାର ମୂଳଦୁଆ ସୁଦୃଢ଼ କରିବ।

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ବିଶୃଙ୍ଖଳା ଓ ଆନ୍ଦୋଳନ ବୃଦ୍ଧି ପାଉଛି। କ’ଣ କହିବେ ଏହାକୁ ନେଇ?
ଆଜିର ଦିନରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ଖୋଳ ଭିତରେ ବନ୍ଦ କରି ରଖି ପାରିବାନାହିଁ। ସମାଜରେ ଘଟୁଥିବା ଘଟଣା ଏବଂ ଆମ ନିତିଦିନିଆ ଜୀବନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗର ପ୍ରତିଫଳନ ଶିକ୍ଷାନୁଷ୍ଠାନ ଉପରେ ନିଶ୍ଚିତ ପ୍ରତିଫଳିତ ହେବ। ଆଜିର ବିଦ୍ୟାର୍ଥୀ ସମାଜ ମଧ୍ୟରେ ସହନଶୀଳତା ଯଥେଷ୍ଟ କମି ଯାଇଛି। ସାମାନ୍ୟ ଛୋଟ ଘଟଣାରେ ଉତ୍ତ୍ୟକ୍ତ ହୋଇପଡୁଛନ୍ତି। ସମାଜରେ ନୈତିକ ମୂଲ୍ୟବୋଧର ଅବକ୍ଷୟ ହେଉଛି। ଏସବୁର ପ୍ରଭାବ ଶିକ୍ଷାନୁଷ୍ଠାନ ଉପରେ ପଡୁଛି।

 

ସମ୍ବନ୍ଧିତ ଖବର