ଷ୍ଟାର୍ଟଅପ୍‌ରେ ଓଡ଼ିଶା ‘ଟପ୍ ପରଫର୍ମର’

ଆସିବ ନୂଆ ଷ୍ଟାର୍ଟଅପ୍ ନୀତି: ରାଏ

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆ ଉଦ୍ୟୋଗୀମାନଙ୍କ ଲାଗି ଅନୁକୂଳ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଟପ୍ ପରଫର୍ମର (ଶ୍ରେ‌ଷ୍ଠ ପ୍ରଦର୍ଶନକାରୀ) ରାଜ୍ୟ ଭାବେ ଉଭା ହୋଇଛି। ତାମିଲନାଡୁ, ହିମାଚଳପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ସହିତ ଓଡ଼ିଶା ଏହି ବର୍ଗରେ ରହିଛି। ଗୁଜରାଟ, କେରଳ ଓ କର୍ଣ୍ଣାଟକ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ ରହିଛି ବୋଲି ରାଜ୍ୟ ଷ୍ଟାର୍ଟଅପ୍ ରିପୋର୍ଟ ୨୦୨୨ରୁ ଜଣାପଡ଼ିଛି। ୨୦୧୮ରୁ ଏହି ରୢାଙ୍କିଙ୍ଗ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ୨୦୧୯ ଓ ୨୦୨୧ରେ ମଧ୍ୟ ଓଡ଼ିଶା ଟପ୍ ପରଫର୍ମର ବର୍ଗରେ ଥିଲା। ୨୦୨୨ରେ ସେହି ସ୍ତରକୁ ଏହା ବଜାୟ ରଖିବାରେ ସଫଳ ହୋଇଛି।

ଏ ସମ୍ପର୍କରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର୍‌ ରାଏ କହିଛନ୍ତି ଯେ ଡିପିଆଇଆଇଟି ରାଜ୍ୟ ଷ୍ଟାର୍ଟଅପ୍ ରୢାଙ୍କିଙ୍ଗ୍‌ ୨୦୨୨ରେ ଓଡ଼ିଶାର ଟପ୍‌ ପରଫର୍ମର ହୋଇ ରହିବା ଆମ ଅତୁଟ ପ୍ରତିବଦ୍ଧତାର ପ୍ରମାଣ। ଷ୍ଟାର୍ଟଅପ ‌ଉଦ୍ୟୋଗୀମାନଙ୍କ ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଏକ ନୂଆ ଷ୍ଟାର୍ଟଅପ୍ ନୀତି ଆଣିବା ଉପରେ ବିଚାର କରାଯାଉଛି। ବିଶ୍ବସ୍ତରରେ ଗ୍ରହଣ କରାଯାଉଥିବା ବିଭିନ୍ନ ଅଭ୍ୟାସ, ଇଏସ୍‌ଜି ଏବଂ ମହିଳା ଉଦ୍ୟମିତାର ପ୍ରସାର ଉପରେ ‌ସେଥିରେ ଗୁରୁତ୍ବାରୋପ କରାଯିବ। ଉଦ୍ୟୋଗୀ ସଂଖ୍ୟା ବଢ଼ାଇବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଓଡ଼ିଶାରେ ଏଗ୍ରିଟେକ୍, ଆଇଟି, ଏଆଇ, ସ୍ବାସ୍ଥ୍ୟ ସେବା, ଫିନ୍‌ଟେକ୍ ଓ ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ରରେ ୧୮୦୦ରୁ ଅଧିକ ଷ୍ଟାର୍ଟଅପ୍ ରହିଛି। ସେଥିରୁ ୪୨% ସଂସ୍ଥାର ନେତୃତ୍ବ ନେଉଛନ୍ତି ମହିଳା। ୨୦୨୫ ସୁଦ୍ଧା ରାଜ୍ୟ ସରକାର ୫୦୦୦ ଷ୍ଟାର୍ଟଅପ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ୨୭ ଇନକୁବେଟର ରହିଥିବା ବେଳେ ଚାରି ଲକ୍ଷ ବର୍ଗଫୁଟରେ ବ୍ୟାପିଥିବା ଓ-ହବ୍ ହେଉଛି ଦେଶର ଅନ୍ୟତମ ବୃହତ୍ତମ ଇନକୁବେଟର।

ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ରାଜ୍ୟ ଷ୍ଟାର୍ଟଅପ୍ ରୢାଙ୍କ ୨୦୨୨କୁ ଉନ୍ମୋଚନ କରିଥିଲେ।। ବିଭିନ୍ନ ମାନଦଣ୍ଡ ଆଧାରରେ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦର୍ଶନ ଅନୁଶୀଳନ କରି ସେମାନଙ୍କୁ ରୢାଙ୍କ ପ୍ରଦାନ କରାଯାଇଛି। ବେଷ୍ଟ୍‌ ପରଫର୍ମର (ଶ୍ରେଷ୍ଠ ପ୍ରଦର୍ଶନକାରୀ), ଟପ୍ ପରଫର୍ମର (ଶୀର୍ଷ ପ୍ରଦର୍ଶନକାରୀ), ଲିଡର (ନେତୃତ୍ବ), ଆସ୍ପାୟାରିଂ ଲିଡର (ଆକାଂକ୍ଷୀ ନେତୃତ୍ବ) ଏବଂ ଉଦୀୟମାନ (ଇମର୍ଜିଂ) ଭଳି ପାଞ୍ଚଟି ବର୍ଗରେ ସେମାନଙ୍କୁ ଭାଗ କରାଯାଇଥିଲା।

ସମ୍ବନ୍ଧିତ ଖବର