ପ୍ରଥମ ଥର ପାଇଁ ୭୯,୦୦୦ରେ ବନ୍ଦ ହେଲା ସେନସେକ୍ସ, ନିଫଟି ବି ୨୪,୦୦୦ ଟପିଲା

ମୁମ୍ବାଇ : ଭାରତୀୟ ଷ୍ଟକ ବଜାର ନିଜର ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ଗୁରୁବାରର କାରବାର ଅଧିବେଶନ ସେନସେକ୍ସ ଓ ନିଫ୍ଟି ପାଇଁ ଐତିହାସିକ ରହିଛି। ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୯,୦୦୦ ଟପିଥିବା ବେଳେ ନିଫ୍ଟି ୨୪,୦୦୦ଉପରେ ବନ୍ଦ ହୋଇଛି। ବଜାରରେ ଏହି ବୃଦ୍ଧିର ଶ୍ରେୟ ଆଇଟି ଏବଂ ଏନର୍ଜି ଷ୍ଟକକୁ ଯାଉଛି । ଆଜିର କାରବାର ଶେଷ ସୁଦ୍ଧା ବିଏସଇ ସେନ୍ସେକ୍ସ ୫୬୯ ପଏଣ୍ଟ ବୃଦ୍ଧି ପାଇ ୭୯,୨୪୩ ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୭୫ ପଏଣ୍ଟ ବୃଦ୍ଧି ପାଇ ୨୪,୦୪୪ ପଏଣ୍ଟରେ ବନ୍ଦ ହୋଇଛି।

ଆଜିର କାରବାର ଅଧିବେଶନରେ ଚମତ୍କାର ବୃଦ୍ଧି ଯୋଗୁଁ ବଜାରର ମାର୍କେଟ କ୍ୟାପ୍ ମଧ୍ୟ ଜୋରଦାର ବୃଦ୍ଧି ସହ ବନ୍ଦ ହୋଇଛି। ବିଏସଇ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ବଜାର ପୁଞ୍ଜି ୪୩୮.୬୯ ଲକ୍ଷ କୋଟି ଟଙ୍କାରେ ବନ୍ଦ ହୋଇଛି, ଯାହା ପୂର୍ବ ଅଧିବେଶନରେ ୪୩୭.୦୨ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍ ଆଜିର ଅଧିବେଶନରେ ନିବେଶକଙ୍କ ସମ୍ପତ୍ତିରେ ୧.୬୭ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।

ଆଜିର ଅଧିବେଶନରେ ଆଇଟି ସେୟାରରେ ବଡ଼ ଧରଣର ବୃଦ୍ଧି ଘଟିଛି। ନିଫ୍ଟିର ଆଇଟି ଇଣ୍ଡେକ୍ସ ୨ ପ୍ରତିଶତ ବୃଦ୍ଧି ପାଇଛି। ଏହାବ୍ୟତୀତ ଅଟୋ, ଏଫଏମସିଜି, ଧାତୁ, ଶକ୍ତି, ସ୍ୱାସ୍ଥ୍ୟସେବା, ତୈଳ ଓ ଗ୍ୟାସ କ୍ଷେତ୍ରର ଷ୍ଟକ ମଧ୍ୟ ତ୍ୱରାନ୍ୱିତ ହୋଇଛି ।

ସମ୍ବନ୍ଧିତ ଖବର