ପତିପତ୍ନୀଙ୍କ ସମେତ ୩ ଗିରଫ, ୫ କୋଟି ଠକେଇ

ଗାୟତ୍ରୀ ମଲ୍‌ଟି କୋପରେଟିଭ୍‌ ଚିଟ୍‌ଫଣ୍ଡ୍‌ ଠକେଇ

ଭୁବନେଶ୍ୱର: କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ଗାୟତ୍ରୀ ମଲ୍‌ଟି କୋପରେଟିଭ୍‌ ଚିଟ୍‌ଫଣ୍ଡ୍‌ ସଂସ୍ଥାର ୩ ଜଣ ନିର୍ଦେଶକଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ଅନ୍ତପୁର ପାଖରା ଗାଁର ଲକ୍ଷ୍ମୀକାନ୍ତ ପାଢ଼ୀ ଓ ତାଙ୍କ ପତ୍ନୀ ଅବନ୍ତୀ ପାଢ଼ୀ ଓ ପୁରୀ ଜିଲ୍ଲା କୋଣାର୍କ ଥାନା ଅଧୀନ ମାଙ୍କଡ଼ଗୋଡିର ଦୁର୍ଗା ପ୍ରସନ୍ନ ତ୍ରିପାଠୀ। ୩ ଜଣଙ୍କ ବିରୋଧରେ ୫ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଆଜି ୩ ଜଣଙ୍କୁ ଚିଟ୍‌ଫଣ୍ଡର ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗାୟତ୍ରୀ ମଲ୍‌ଟି କୋପରେଟିଭ୍‌ ପଶ୍ଚିମବଙ୍ଗର ଏକ ପଞ୍ଜୀକୃତ ସଂସ୍ଥା। ପରବର୍ତୀ ସମୟରେ ସଂସ୍ଥା ୨୦୧୨ରୁ ୨୦୧୩ ମଧ୍ୟରେ ଭ୍ରଦକ, ବାସୁଦେବପୁର, ବାରିପଦା, ବାଲେଶ୍ୱର, କେଉଁଝରର ସ୍ୱୟଂପାଟଣା, ସୋର, ସିମୁଳିଆ, ଖଇରା ଆଦି ସ୍ଥାନରେ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ଜମାକାରୀଙ୍କୁ ମାସିକ ୧୮ରୁ ୨୫ ପ୍ରତିଶତ ମୋଟା ଅଙ୍କର ସୁଧ ଦେବାର ଲୋଭ ଦେଖାଇ ସଂସ୍ଥା ପକ୍ଷରୁ ଟଙ୍କା ସଂଗ୍ରହ କରାଯାଇଥିଲା। ସଂସ୍ଥା ପକ୍ଷରୁ ପାଖାପାଖି ୫ କୋଟି ଟଙ୍କାର ଠକେଇ କରାଯିବା ପରେ ହଠାତ୍‌ ସଂସ୍ଥାରେ ତାଲା ଝୁଲିଥିଲା। ଏ ନେଇ ଜମାକାରୀମାନେ ପ୍ରଥମେ ସୋର ଥାନା ପରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର