ଖୋର୍ଦ୍ଧା ଜିଲ୍ଲାର ବିକାଶ ପାଇଁ ୧୬ଶହ କୋଟି ଅନୁଦାନ ଦାବି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଏହା ଜିଲ୍ଲାର ପର୍ଯ୍ୟଟନ ଓ ସାମଗ୍ରିକ ବିକାଶ ପାଇଁ ଯଥେଷ୍ଟ ନୁହେଁ, ଜିଲ୍ଲା ପାଇଁ ୧୬ଶହ କୋଟି ଟଙ୍କା ଦିଆଯାଉ ବୋଲି ଖୋର୍ଦ୍ଧାର ବିଭିନ୍ନ ବରିଷ୍ଠ ନାଗରିକ ଓ ସାମାଜିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ଆଜି ନ୍ୟୁ ଥିଂକିଂ ଫୋରମ୍ ପକ୍ଷରୁ ଏନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ଐତିହାସିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହାର ଗ୍ରାମାଂଚଳ ଅବହେଳିତ ହୋଇ ପଡ଼ିଛି । ଖୋର୍ଦ୍ଧା ରେଳଷ୍ଟେସନ ନିକଟ ପଲ୍ଲାତୋଟାପଡ଼ାରେ ବସ୍ଷ୍ଟାଣ୍ଡ ନିର୍ମାଣ, ପର୍ଯ୍ୟଟନ ସ୍ଥାନଗୁଡ଼ିକର ବିକାଶ, ବରୁଣେଇ ଦେଇ ଆଇଆଇଟି ଅରୁଗୁଳକୁ ରାସ୍ତା ସଂଯୋଗ, ସହରର ରାସ୍ତାଘାଟ, ନାଳନର୍ଦ୍ଦମା ନିର୍ମାଣ କରିବା ଆବଶ୍ୟକତା ରହିଛି । ଏହାଦ୍ୱାରା ଅଧିକ ରୋଜଗାର ସୃଷ୍ଟି ହେବା ସହ ଅଂଚଳର ଆର୍ଥିକ ବିକାଶ ହୋଇପାରିବ । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି, ଗୋପାଳକୃଷ୍ଣ ଦାସ, ଉକ୍ରଳ ସମ୍ମିଳନୀ ଉପସଭାପତି ବିଚିତ୍ର ବଡ଼ଜେନା, ଅବନୀକାନ୍ତ ଜେନା, ବୈକୁଣ୍ଠନାଥ ମହାପାତ୍ର, ସଂଜୟ ପଟ୍ଟନାୟକ ପ୍ରମୁଖଙ୍କ ସହ ସହରର ଅନେକ ସ୍ୱେଚ୍ଛାସେବୀ, ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର