ମାଲକାନଗିରି ଲଘୁ ଖଣିଜ ଟେଣ୍ଡର ଫିକ୍ସିଂ ଘଟଣା : ପୁଣି ତତ୍କାଳୀନ ଜିଲ୍ଲାପାଳଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

କଂଗ୍ରେସର ସରକାରଙ୍କୁ ୫ଟି ଖୋଲା ପ୍ରଶ୍ନ

ମାଲକାନଗିରି : ମାଲକାନଗିରିର ଜିଲ୍ଲା କଂଗ୍ରେସ ଆଜି ପୁଣି ତତ୍କାଳୀନ ଜିଲ୍ଲାପାଳ ଓ୍ବାଇ.ବିଜୟଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ଭବନରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ପୁଣି ସରକାରଙ୍କ ଉପରେ ଗର୍ଜିବା ସହ ପାଞ୍ଚଟି ଖୋଲା ପ୍ରଶ୍ନ ପଚାରିଛନ୍ତି ।

ଶ୍ରୀ ମାଝି ଅଭିଯୋଗ କରିଛନ୍ତି ଯେ ଗତ ୨୨ ଜୁନରେ ହୋଇଥିବା ଲଘୁ ଖଣିଜ ସଂପଦର ଟେଣ୍ଡର ଫିକ୍ସିଂରେ ତତ୍କାଳୀନ ଜିଲ୍ଲାପାଳ ଓ୍ବାଇ.ବିଜୟ ସଂପୃକ୍ତ ରହିଛନ୍ତି ଓ ସିଏଚ ବେଣୁଗୋପାଲଙ୍କ ଠାରୁ ଏକ କୋଟି ଟଂକା ଲାଞ୍ଚ ଏବଂ ଏମଜି ହେକ୍ଟର ଗାଡି ଉପଢୌକନ ଭାବେ ଗ୍ରହଣ କରିଛନ୍ତି ।

ତେବେ ସେହିଦିନ ସଂଧ୍ୟାରେ ଶ୍ରୀ ବିଜୟ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। ତାଙ୍କର ଗାଡ଼ି ଖରାପ ହେବାରୁ ସେ ଏହି ଏମଜି ହେକ୍ଟର ଗାଡିକୁ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ଆଣି ବ୍ୟବହାର କରୁଛନ୍ତି। ଯାହାକି ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଏମଜିଏନଆରଜିଏ ଯୋଜନାରେ ଭଡ଼ା ସୂତ୍ରରେ ଲାଗିଥିଲା।

କିନ୍ତୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ କଂଗ୍ରେସ ପକ୍ଷରୁ ସୂଚନା ଅଧିକାର ନିୟମରେ ମଗାଯାଇଥିବା ରିପୋର୍ଟ ଅନୁଯାୟୀ ଏମଜି ହେକ୍ଟର ଗାଡ଼ି ଭଡାରେ ଲାଗିନାହିଁ କିମ୍ବା ଗ୍ରାମ୍ୟ ଉନ୍ନୟନ କାର୍ୟ୍ୟାଳୟ ତରଫରୁ ତତ୍କାଳୀନ ଜିଲ୍ଲାପାଳଙ୍କୁ ଏଭଳି କୌଣସି ଗାଡ଼ି ବ୍ୟବହାର ନିମନ୍ତେ ଦିଆଯାଇ ନାହିଁ ବୋଲି କୁହାଯାଇଛି। ପୁଣି ଜିଲ୍ଲାପାଳ ଏମଜିଏନଆରଜିଏର ଡିପିସି ଭାବେ ରହିଥିବାରୁ ସେ ଭଡ଼ା ସୂତ୍ରରେ ୩୭ ହଜାର ଟଙ୍କା ମଧ୍ୟ ଡିଆରଡିଏରୁ ଗାଡ଼ି ମାଲିକଙ୍କୁ ଟଙ୍କା ପ୍ରେରଣ କରିଥିବା ଜଣାପଡିଛି।

ତତ୍କାଳୀନ ଜିଲ୍ଲାପାଳ ମିଛ କହୁଥିବା ନେଇ ଶ୍ରୀ ମାଝି ଅଭିଯୋଗ କରିଥିଲେ। ଏଭଳି ମିଛୁଆ ଅଫିସରଙ୍କୁ କିପରି ବଦଳି କରାଗଲା ବୋଲି ସେ ଯୁକ୍ତି ବାଢିଛନ୍ତି। ବଦଳି ପରିବର୍ତ୍ତେ ତାଂକୁ ନିଳମ୍ବନ କରିବା କଥା ବୋଲି ସେ କହିଥିଲେ। ସରକାର ହାଲକା ଭାବେ ଏହି ଘଟଣାକୁ ନେଇଛନ୍ତି।ଜିଲ୍ଲାବାସୀଙ୍କୁ ସରକାର ଭୁଆଁ ବୁଲାଉଥିବା ସେ କହିଛନ୍ତି।

ଏଥିସହ କଂଗ୍ରେସ ରାଜ୍ୟ ସରକାରଙ୍କୁ  ୫ଟି ଖୋଲା ପ୍ରଶ୍ନ ପଚାରିଛି । ସେଗୁଡ଼ିକ ହେଉଛି ଦୁର୍ନୀତିଗ୍ରସ୍ତ ତତ୍କାଳୀନ ଜିଲ୍ଲାପାଳ ଓ୍ବାଇ.ବିଜୟ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ? ଅସାଧୁ ଉପାୟରେ ହୋଇଥିବା ଲଘୁ ଖଣିଜ ସଂପଦର ଟେଣ୍ଡର ପ୍ରକ୍ରିୟା ବାତିଲ କେବେ ? ମାଲକାନଗିରି ତହସିଲ ଅଧିନରେ ଥିବା ପାଞ୍ଚଟି ପଥର ଖାଦାନ ଯାହାର ସମୟ ଅବଧି ସମାପ୍ତ ହୋଇ ନଥିଲା, ସେଗୁଡିକ କେବେ ସୁଦ୍ଧା କାର୍ୟ୍ୟକ୍ଷମ କରାଯିବ ? ତତ୍କାଳୀନ ଜିଲ୍ଲାପାଳ ଓ୍ବାଇ.ବିଜୟ ଉପହାର ଭାବେ ନେଇଥିବା ଏମଜି ହେକ୍ଟର ଗଡି କାହା ସହାୟତାରେ ଜିଲ୍ଲାପାଳଙ୍କ ବାସଗୃହରୁ ସ୍ଥାନାନ୍ତରିତ କରାଗଲା ? ତତ୍କାଳୀନ ଜିଲ୍ଲାପାଳଙ୍କୁ ଉପହାର ଭାବେ ନେଇଥିବା ଏମଜି ହେକ୍ଟର ଗାଡିକୁ କେବେ ଜବତ କରାଯିବ ?

ଏସବୁ ପ୍ରଶ୍ନର ଉତ୍ତର ନମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଗୋବିନ୍ଦ ପାତ୍ର,କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ,ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ,କମଳା ବରାଳ,ପଦ୍ମ ପାଙ୍ଗୀ,ରବି ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର