କରୋନା କାହାଣୀ: କମ୍ପାନି ଚାକିରି ଛାଡ଼ି ସାଇକଲରେ ବିକୁଛନ୍ତି ପରିବା

ମହାକାଳପଡା: ମହାକାଳପଡା ବ୍ଲକ କେୟାରବାଙ୍କ ଗ୍ରାମର ଅକ୍ଷୟ ସେଠୀ (୪୫)। ପରିବାର କହିଲେ ପତ୍ନୀ, ପୁଅ ଓ ଝିଅକୁ ନେଇ ଚାରି ପ୍ରାଣୀ କୁଟୁମ୍ବ। କରୋନା ପୂର୍ବରୁ ଚେନ୍ନାଇସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ। ସେଠାରେ ମାସକୁ ୨୦ ରୁ ୨୫ ହଜାର ଟଙ୍କା ରୋଜଗାର କରୁଥିଲେ। କରୋନା ଯୋଗୁଁ କମ୍ପାନି ବନ୍ଦ ହୋଇଯିବା ପରେ ତାଙ୍କ ଚାକିରି ମଧ୍ୟ ଚାଲିଗଲା। ସେଠାରେ ରହିବା ବଡ କଷ୍ଟକର ହୋଇ ପଡିଲା। ଗତ ମାର୍ଚ୍ଚ ମାସରେ ଘରକୁ ଫେରି ପ୍ରାୟ ୬ ମାସ ଧରି ଘରେ ବସି ରହିଲେ। ତେଣେ ଗଚ୍ଛିତ ଅର୍ଥ ସରିବାକୁ ଲାଗିଲା। ଚାରି ପ୍ରାଣୀ କୁଟୁମ୍ବଙ୍କୁ କେମିତି ଚଳାଇବେ ସେ ନେଇ ସେ ଚିନ୍ତାରେ ପଡିଗଲେ। ଶେଷରେ ସେ ମନରେ ବ୍ୟବସାୟ ଆରମ୍ଭ କରିବେ ବୋଲି ଚିନ୍ତା କଲେ। ହେଲେ ଆର୍ଥିକ ସମ୍ବଳ ନ ଥିବାରୁ କୈଣସି ବଡ ବ୍ୟବସାୟ କଥା ଚିନ୍ତା ନ କରି ପରିବା ବ୍ୟବସାୟକୁ ବାଛି ନେଲେ। ଶେଷରେ ସେ ଗାଁକୁ ଗାଁବୁଲି ସାଇକଲରେ ପରିବା ବିକ୍ରୟ କରୁଛନ୍ତି।

ଏଥିରୁ ଯାହା କିଛି ସ୍ବଳ୍ପ ଲାଭ ହେଉଛି ସେଥିରେ ସେ ଦୁଖ କଷ୍ଟରେ ପରିବାର ଚଳାଉଛନ୍ତି। କିନ୍ତୁ ବିଡମ୍ବନାର କଥା ଯେ ବୁଲିବୁଲି ପରିବା ବ୍ୟବସାୟ କରିବା ସମୟରେ ହଠାତ୍ ତାଙ୍କ ଦେହ ଖରାପ ହେଲା। ସେ କଟକ ବଡ କାକ୍ତରଖାନାକୁ ଯାଇ ଜାଣିବାକୁ ପାଇଲେ ଯେ ମୁଖ ଗହ୍ବର କର୍କଟ ହୋଇଛି। ତଥାପି ସେ ଭାଙ୍ଗି ନ ପଡି ବ୍ୟବସାୟ ଜାରି ରଖିଛନ୍ତି। ଅକ୍ଷୟଙ୍କ କହିବା କଥା ଯେ ରାତି ୪ ଟାରୁ ଉଠି ସେ ପ୍ରତ୍ୟହ ସାଇକଲରେ କେନ୍ଦ୍ରାପଡା କିମ୍ବା ମାର୍ଶାଘାଇ ଅଂଚଳକୁ ପରିବା ସଂଗ୍ରହ ନିମନ୍ତେ ଯାଇଥାନ୍ତି। ସେଠାରୁ ସେ ଫେରି ଆସି ମହାକାଳପଡାର ବିଭିନ୍ନ ଗାଁକୁଗାଁ ବୁଲି ପରିବା ବିକିଥାନ୍ତି। କରୋନା ତାଙ୍କ ଚାକିରିକୁ ଛଡାଇ ନେବା ସହିତ ତାଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର