ଛତ୍ରବଜାର ପୂଜା କମିଟି, ଶତବାର୍ଷିକୀରେ ଲାଗିଲା ଚାନ୍ଦିମେଢ଼, ଛତ୍ରବଜାର ପ୍ରଥମେ ଆରମ୍ଭ କରିଥିଲା ମେଲୋଡି

କଟକ: ୧୯୧୯ ମସିହାରେ ଛତ୍ର ବଜାରରେ ହରପାର୍ବତୀ ପୂଜାରୁ ପାର୍ବଣର ଶୁଭାରମ୍ଭ ହୋଇଥିଲା। ପ୍ରଥମେ ଅସ୍ଥ‌ାୟୀ ମଣ୍ଡପର ପୂଜା ହେଉଥିବା ବେଳେ ପରେ କଂକ୍ରିଟ୍‌ ଘର ନିର୍ମାଣ ହୋଇ ପୂଜା ଚାଲିଲା। ଅଷ୍ଟମୀ ପୂଜା ପାଇଁ ଅଞ୍ଚଳର ମା’ଭଉଣୀମାନେ ବାହାରକୁ ଯାଉଥିବାରୁ ୨୦୦୦ରୁ ମଣ୍ଡପରେ ଦୁର୍ଗାପୂଜା ଆରମ୍ଭ ହୋଇ ନିରବଚ୍ଛିନ୍ନ ଭାବେ ଚାଲିଛି। ୨୦୧୯ରେ କମିଟିର ଶତବାର୍ଷିକୀ ପୂର୍ତ୍ତି ବର୍ଷରେ ଚାନ୍ଦିମେଢ଼ ନିର୍ମାଣ ହୋଇଛି। ଛତ୍ରବଜାର ପୂଜା କମିଟି ପକ୍ଷରୁ ସହରରେ ପ୍ରଥମ କରି ସାଂସ୍କୃତିକ କାର୍ଯ୍ୟକ୍ରମ ବା ମେଲୋଡି ଆୟୋଜନ କରାଯାଇଥିଲା। ଓଡ଼ିଶାର ପ୍ରାୟ ସମସ୍ତ ପ୍ରତିଷ୍ଠିତ କଳାକାର(ସଂଗୀତକାର) ଛତ୍ରବଜାର ସାଂସ୍କୃତିକ ମଞ୍ଚରୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ସାମାଜିକ କାର୍ଯ୍ୟ
ପୂଜା କମିଟି ଦୁର୍ଗାପୂଜା ସହ ଲକ୍ଷ୍ମୀପୂଜା, କାଳୀପୂଜା, ଦୋଳଉତ୍ସବ, ରାମନବମୀ, ଜାଗର ଉତ୍ସବ, ଝୁଲଣ ଯାତ୍ରା ଆଦି ଆୟୋଜନ କରେ। ଧାର୍ମିକ ଉତ୍ସବ ସହିତ ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ଶିବିର, ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା, ଅଞ୍ଚଳର ମା’ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୂଜା କମିଟି କରିଆସୁଛି। ଏହା ବ୍ୟତୀତ ବନ୍ୟା, ବାତ୍ୟା, କରୋନା ଭଳି ପ୍ରାକୃତିକ ବିପତ୍ତି ସମୟରେ ଛତ୍ରବଜାର ପୂଜା କମିଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ଦେବା ସହିତ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ପାଖରେ ପହଞ୍ଚି ଉତ୍ତରଦାୟିତ୍ବ ନିର୍ବାହ କରିଆସୁଛି।

ଏବର୍ଷର ଯୋଜନା: ଭସାଣିରେ ‌‌ଆନ୍ଧ୍ରର ସୀତାରାମ ବ୍ୟାଣ୍ଡ୍‌

ଚଳିତବର୍ଷ ପୂଜା ପାଇଁ ୧୮ଲକ୍ଷ ଟଙ୍କା ବଜେଟ୍ ତିଆରି ହୋଇଛି। ଏଥିରେ ପୂଜାର ନୀତିକ୍ରାନ୍ତି, ପ୍ରସାଦ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭସାଣି ଉତ୍ସବ ଆଦି ଆୟୋଜନ ହେବ। ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ୪ଦିନ ବ୍ୟାପୀ ମା’ଙ୍କ ପାଖରେ ଅନ୍ନପ୍ରସାଦ ଲାଗି ହୋଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ। ୧୦କ୍ବିଣ୍ଟାଲ ଲଡୁ ଭୋଗ ହୋଇ ସାହି, ବଜାରରେ ବଣ୍ଟନ କରାଯିବ। ସପ୍ତମୀର ଦଶମୀ ୪ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଭସାଣି ‌‌ଶୋଭାଯାତ୍ରାରେ ଆନ୍ଧ୍ରପ୍ରଦେଶର ସୀତାରାମ୍‌ ବ୍ୟାଣ୍ଡ ପାର୍ଟି, ପାରମ୍ପରିକ ଦୁଲ୍‌ଦୁଲି ବାଜା, ଘଣ୍ଟ ସାମିଲ ହେବ। ପୂଜାରେ ସମଗ୍ର ଅଞ୍ଚଳକୁ ଆଲୋକମାଳାରେ ସଜାଯିବ।

Sambad

କର୍ମକର୍ତ୍ତା
ଉପଦେଷ୍ଟାମଣ୍ଡଳୀ: ମନମୋହନ ଛାଟୋଇ, ନୃସିଂହ ଚରଣ ଲେଙ୍କା, ରାମଚନ୍ଦ୍ର ସାହୁ, ବ୍ରଜକି‌‌ଶୋର ମହାନ୍ତି, ପ୍ରଫୁଲ କୁମାର ଛାଟୋଇ, ବ୍ରହ୍ମାନନ୍ଦ ଛାଟୋଇ, ସଭାପତି-ଦେବେନ୍ଦ୍ରନାଥ ସାହୁ, କାର୍ଯ୍ୟକାରୀ ସଭାପତି- ବିଷ୍ଣୁଚରଣ ରାଉତ ଓ ଧୀରେନ୍ କୁମାର ମହାନ୍ତି, ଉପସଭାପତି-ବିଷ୍ଣୁଚରଣ ରାଉଳ, ସୁରଥ ରାଉତ, ସାଧରଣ ସଂପାଦକ- ନୀଳକଣ୍ଠ ମହାନ୍ତି, ସହସଂପାଦକ-ଅମରେନ୍ଦ୍ର ରାଉତ, କୋଷାଧ୍ୟକ୍ଷ-ତଡିତ କୁମାର ରାଉତ, ହିସାବ ରକ୍ଷକ-ଗଙ୍ଗାଧର ପ୍ରଧାନ, ବାର୍ତ୍ତାବହ-ରବୀନ୍ଦ୍ର ରଣା, ଆଲୋକ ରଣା, ମହିଳା ବାର୍ତ୍ତାବହ-ନମିତା ବିଶ୍ବାଳ।

ସମସ୍ୟା
ମାତୃଭବନରୁ ଛତ୍ରବଜାର ଓ ଛତ୍ରବଜାରରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ତାଳଦଣ୍ଡା‌ କେନାଲ ରାସ୍ତାର ମରାମତି, ସଫେଇ ଓ ଆଲୋକୀକରଣ କରାଯିବାକୁ ପୂଜା କମିଟି ପକ୍ଷରୁ ଦାବି ହେଉଛି।

ପୂଜାରେ ନୀତିକାନ୍ତି, ପରମ୍ପରା
ଛତ୍ରବଜା‌ରରେ ମାଟି ଅନୁକୂଳରୁ ଭସାଣି ପର୍ଯ୍ୟନ୍ତ ସବୁ ନୀତି ଅନୁସାରେ ସଂପନ୍ନ ହୁଏ। କମିଟି ପକ୍ଷରୁ ନନ୍ଦ ଉତ୍ସବରେ ମାଟି ଅନୁକୂଳ କରାଯାଏ। ମାଟି ଅନୁକୁଳଠାରୁ ବିସର୍ଜନ ପର୍ଯ୍ୟନ୍ତ କର୍ତ୍ତା ଓ କର୍ତ୍ତୀ ବିନା ପିଆଜ ରସୁଣ ଖାଦ୍ୟ ଗ୍ରହଣ କରି ନିଷ୍ଠାରେ ରହୁନ୍ତି। ପୂଜା ସମୟରେ ଅଞ୍ଚଳବାସୀ ଆମିଷ ଭୋଜନ କରନ୍ତି ନାହିଁ। ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମଣ୍ଡପରେ ଷୋଡ଼ଶ ଉପଚାର ପୂଜା କରାଯାଏ। ଛତ୍ରବଜାର ପୂଜା କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ ହେଉଛନ୍ତି ଛତ୍ରବଜାର ଅଧିକାରୀ ଓ ଶାନ୍ତି କମିଟି ସଭାପତି। ଏହି ଦୃଷ୍ଟିରୁ ଛତ୍ରବଜାର ପୂଜାରେ ସହରର ଭାଇଚାରା, ହାଇକୋର୍ଟ, ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ, ସିଏମ୍‌ସିର ଗାଇଡ୍‌ଲାଇନ୍‌କୁ ସମ୍ମାନ ଜଣାଇ ପୂଜା, ଭସାଣି ଶୋଭାଯାତ୍ରା ଆୟୋଜନ କରାଯାଏ।

ସମ୍ବନ୍ଧିତ ଖବର