ବାଜି ଲାଗିଛି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

କଟକ: କୋଭିଡ୍ ମହାମାରୀ ପରିସ୍ଥିତିରେ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ନମ୍ବରକୁ ନେଇ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବାଜି ଲାଗି ଯାଇଛି। ଅନେକ ଛାତ୍ରଛାତ୍ରୀ ମିଳିଥିବା ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିଲେ ବି ବିଭିନ୍ନ କାରଣରୁ ପରୀକ୍ଷା ଦେଇ ପାରି ନଥିଲେ। କିନ୍ତୁ ଯେଉଁ ଛାତ୍ରଛାତ୍ରୀ ସାହସ ଜୁଟାଇ ଅଫଲାଇନ୍ ପରୀକ୍ଷାରେ ବସି ଥିଲେ, ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ମାର୍କ ବଢିବା ଘଟଣା ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ପାଇଁ ଏକପ୍ରକାର ଅଶ୍ବସ୍ତିର କାରଣ ହୋଇଛି। ସେମାନେ ଅଧିକ ନମ୍ବର ପାଇଥିଲେ ବି ନିଜ ପସନ୍ଦର କଲେଜ ଅଥବା ନିଜ ପସନ୍ଦର ଅନର୍ସ ବିଷୟ ରଖିବାରେ ବଂଚିତ ହେବାକୁ ଯାଉଛନ୍ତି। ସେମାନଙ୍କ ଠାରୁ କମ୍ ନମ୍ବର ପାଇଥିବା ଛାତ୍ରଛାତ୍ରୀ ଯେଉଁ ସୁଯୋଗ ପାଇଛନ୍ତି, ସେମାନେ ଏବେ ଅଧିକ ନମ୍ବର ପାଇ ବି ସେ ସୁଯୋଗ ପାଇବେ ନାହିଁ। ଏହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ବି ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରେ କଟକର ଖ୍ରୀଷ୍ଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢୁଥିବା ଜଣେ ଛାତ୍ରଙ୍କ ନମ୍ବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶିବାନନ୍ଦ ପାଣିଗ୍ରାହୀ ନାମକ ଏହି ଛାତ୍ରଙ୍କୁ ଯୁକ୍ତ ଦୁଇ କଳାରେ ବିନା ପରୀକ୍ଷାରେ ମିଳିଥିଲା ୬୮.୫ ପ୍ରତିଶତ ନମ୍ବର। କିନ୍ତୁ ସେ ସେଥିରେ ସନ୍ତୁଷ୍ଟ ନ ହୋଇ ସରକାରଙ୍କ ବ୍ୟବସ୍ଥା ଅନୁସାରେ ଅଫଲାଇନ୍ ପରୀକ୍ଷା ଦେଇଥିଲେ। ଏବଂ ଆଜି ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ସେ ରଖିଛନ୍ତି ୮୯.୩ ପ୍ରତିଶତ ନମ୍ବର। ଅର୍ଥାତ ସେ ଏବେ ରାଜ୍ୟର ଅନ୍ୟତମ ଟପର୍ ଭାବେ ପରିଗଣିତ ହୋଇଛନ୍ତି। ବିନା ପରୀକ୍ଷାରେ ଶିବାନନ୍ଦଙ୍କୁ ସିଏଚଏସ୍‌ଇ କର୍ତ୍ତୃପକ୍ଷ ଓଡ଼ିଆରେ ୯୮, ଇଂରାଜୀରେ ୬୦, ଇତିହାସରେ ୪୮, ରାଜନୀତି ବିଜ୍ଞାନରେ ୪୮, ମନସ୍ତତ୍ତ୍ବରେ ୩୨ (ପ୍ରାକ୍ଟିକାଲରେ ୨୭) ଓ ଇଚ୍ଛାଧୀନ ହିନ୍ଦୀରେ ୯୮ ନମ୍ବର, ଏହିଭଳି ମୋଟ ୪୧୧ ନମ୍ବର ଦେଇଥିଲେ।

କିନ୍ତୁ ଏଥିରେ ଅସନ୍ତୁଷ୍ଟ ହୋଇ ଶିବାନନ୍ଦ ଅଫଲାଇନରେ ପରୀକ୍ଷା ଦେବାକୁ ଆବେଦନ କରିଥିଲେ। ଆଜି ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ସେ ଓଡ଼ିଆରେ ୯୩, ଇଂରାଜୀରେ ୭୮, ଇତିହାସରେ ୯୦, ରାଜନୀତି ବିଜ୍ଞାନରେ ୯୧, ମନସ୍ତତ୍ତ୍ବରେ ୬୪ (ପ୍ରାକ୍ଟିକାଲରେ ୨୭) ଓ ଇଚ୍ଛାଧୀନ ହିନ୍ଦୀରେ ୯୩ ନମ୍ବର, ଏହିଭଳି ମୋଟ ୫୩୬ ନମ୍ବର ରଖିଛନ୍ତି। ଅଫଲାଇନ୍ ପରୀକ୍ଷା ଦେଇ ଏଭଳି ସଫଳତା ହାସଲ କରିଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ମିହିର ପାଣିଗ୍ରାହୀ ଓ ଓ ବିମଳମଣି ପାଣିଗ୍ରାହୀଙ୍କ ପୁଅ ଶିବାନନ୍ଦ। ଶିବାନନ୍ଦ କହିଛନ୍ତି ଯେ ଓଡ଼ିଆ ମାଧ୍ୟମରେ ଦଶମ ପଢିଥିବା ତାଙ୍କ ଭଳି ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ଘଟିଛି। ଦଶମ ବୋର୍ଡ ନମ୍ବର ଏବଂ ଅନ୍ୟ ନମ୍ବରକୁ ଆଧାର କରି ସେମାନଙ୍କୁ ଯୁକ୍ତ ଦୁଇରେ ନମ୍ବର ଦିଆଯାଇଥିଲା। ଯେଉଁଥିରେ କି ଇଂରାଜୀ ମାଧ୍ୟମ ସ୍କୁଲ୍ ଛାତ୍ରଛାତ୍ରୀମାନେ ଅଧିକ ନମ୍ବର ପାଇ ଯାଇଥିଲେ। ତେଣୁ ସେ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଲେ। ଯଦି ଠିକ ସମୟରେ ପରୀକ୍ଷା ହୋଇଥାନ୍ତା ତେବେ ସେ ଆହୁରି ଅଧିକ ନମ୍ବର ରଖି ପାରିଥାନ୍ତେ ବୋଲି ଶିବାନନ୍ଦ କହିଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ମିଳିଥିବା ନମ୍ବର ଅନୁସାରେ ଯୁକ୍ତ ତିନି ନାମଲେଖା ପାଇଁ ସରକାର ସୁଯୋଗ ଦେବା ଆବଶ୍ୟକ ବୋଲି ଶିବାନନ୍ଦ ମତ ଦେଇଛନ୍ତି। ଏ ସଂପର୍କରେ ଶିକ୍ଷାବିତ ବିକାଶରଂଜନ ଦାସ କହିଛନ୍ତି ଯେ ଆଜି ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଇତିମଧ୍ୟରେ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଯେଉଁ ଛାତ୍ରଛାତ୍ରୀଙ୍କର ଏତେ ଅଧିକ ନମ୍ବର ବଢିଛି, ସେମାନେ ନିଜର ଯୋଗ୍ୟତା ଅନୁସାରେ କଲେଜ ଅଥବା ଅନର୍ସ ବିଷୟ ପାଇବାରେ ସମସ୍ୟାରେ ପଡିଛନ୍ତି। ତେଣୁ ସେମାନଙ୍କୁ କିଭଳି ସୁଯୋଗ ମିଳିବ, ସେ ଦିଗରେ ସରକାର ଚିନ୍ତା ନକଲେ ଏହି ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ହେବ।

ସମ୍ବନ୍ଧିତ ଖବର