ଯୋଜନାରେ ରହିଗଲା ରେଭିନ୍ୟୁ ପଣ୍ଡ ୱାଟର୍‌ପାର୍କ

୭ବର୍ଷରେ ଶେଷ ହୋଇଛି ୫ ପ୍ରତିଶତ କାମ

କଟକ: ପୌର ନିଗମ ୯ ନମ୍ବର ୱାର୍ଡସ୍ଥିତ ଟିଭି ରୋଡ୍‌ ଠାରେ ଥିବା ରେଭିନ୍ୟୁ ପୋଖରୀର ବିକାଶ କରାଯିବ। ଏଠାରେ ୱାଟର୍‌ପାର୍କ ନିର୍ମାଣ ସହିତ ସାଧାରଣ ଲୋକଙ୍କ ମନୋରଂଜନ ପାଇଁ ଟଏ୍‌ ଟ୍ରେନ୍‌, ବଗିଚା, ଫୁଡ୍‌ କୋର୍ଟ ପରି ବିଭିନ୍ନ ବ୍ୟବସ୍ଥା କରିବାକୁ ଘୋଷଣା କରାଯାଇଥିଲା। ୨୦୧୫-୧୬ରୁ ଏହାର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଜନସ୍ବାସ୍ଥ୍ୟ ବିଭାଗ(ୱାଟ୍‌କୋ) ଦ୍ବାର ଜାଇକା ପ୍ରକଳ୍ପ ମଧ୍ୟରେ ଏହାକୁ କରିବାକୁ ‘ତାନ୍ତିଆ’କୁ କୁହାଯାଇଥିଲା। ମାତ୍ର ଏହା ମଧ୍ୟରେ ୭ରୁ ଅଧିକ ବର୍ଷ ବିତି ଯାଇଥିଲେ ବି ପ୍ରକଳ୍ପର ମାତ୍ର ୫ ପ୍ରତିଶତ କାମ ଶେଷ ହୋଇଛି। ତେବେ କାମରେ ବିଳମ୍ବକୁ ନେଇ ଏଠାରେ ୱାଟର ପାର୍କ ନିର୍ମାଣକୁ ନେଇ ଆଶଙ୍କା ଦେଖାଯାଇଛି। କଟକବାସୀଙ୍କ ଆମୋଦପ୍ରମାଦ ପାଇଁ ତୁଳସୀପୁରସ୍ଥିତ ରେଭିନ୍ୟୁ ପୋଖରୀରେ ଏକ ୱାଟରପାର୍କ କରିବାକୁ ସରକାରଙ୍କ ପକ୍ଷରୁ ସ୍ଥିର ହୋଇଥିଲା। ଏଥିପାଇଁ ରାଜସ୍ବ ବିଭାଗ ଅଧିନରେ ଥିବା ୨୧ ଏକର ୭ଶହ୨୮ ଡିସିମିଲ ପୋଖରୀକୁ ଜନସ୍ବାସ୍ଥ୍ୟ(ୱାଟ୍‌କୋ) ବିଭାଗକୁ ୨୦୧୫ ପୂର୍ବରୁ ହସ୍ଥାନ୍ତର କରାଗଲା। ସହରରେ ଚାଲୁଥିବା ଜାଇକା ପ୍ରକଳ୍ପର ପିଏମ୍‌ସି ତରଫରୁ ଏହା କରିବାକୁ ସ୍ଥିର କରାଯାଇ ତାନ୍ତିଆକୁ ଏହାର ନିର୍ମାଣ ଦାୟିତ୍ବ ଦିଆଗଲା।

ତେବେ ପ୍ରଥମେ ୨୦୧୩ରେ ଏଠାରେ ବର୍ଷାପାଣିକୁ ଷ୍ଟୋର କରି ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏଠାରେ ୨୦ କୋଟି ଟଙ୍କାରେ ଉକ୍ତ ୱାଟର୍‌ପାର୍କ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଗଲା। ଏଥିରେ ପୋଖରୀ ଚାରିପାର୍ଶ୍ବରେ ପଥର ବନ୍ଧ କରିବା ସହ ଟଏ୍‌ ଟ୍ରେନ୍‌ର ବ୍ୟବସ୍ଥା ସହ ଫୁଟ୍‌ ଟ୍ରାକ, ବଗିଚା, ଲୋକଙ୍କ ବସିବା ପାଇଁ ସ୍ଥାନ, ଫୁଡ୍‌ କୋର୍ଟ ପରି ବିଭିନ୍ନ ବିଷୟ କରିବାକୁ ଯୋଜନା ହୋଇଥିଲା। ୨୦୧୫-୧୬ରେ ଏଠାରେ କାମ ଆରମ୍ଭ ହେଲା। ପ୍ରଥମେ ୫ କୋଟିରୁ ଅଧିକ ଟଙ୍କାରେ ପୋଖରୀ ମଧ୍ୟରୁ ଦଳ ସଫା କରାଯାଇ ପଙ୍କ ଓ ମାଟି ବାହାର କରାଯାଇ ଏହାର ଚାରିପାର୍ଶ୍ବରେ ରାସ୍ତା ନିର୍ମାଣ କାମ କରାଗଲା। ଏପରିକି ୱାଟର୍‌ପାର୍କ ପାଇଁ କାର୍ଯ୍ୟାଳୟ ମଧ୍ୟ ତିଆରି ହେଲା। ହେଲେ ପ୍ରଶାସନର ଖାମଖିଆଲ ନୀତି ଯୋଗୁଁ ୭ବର୍ଷ ମଧ୍ୟରେ ପ୍ରକଳ୍ପର ମାତ୍ର ୫ ପ୍ରତିଶତ କାମ ହୋଇ ଅଟକି ଯାଇଛି। ଅନ୍ୟପଟେ ଠିକାସଂସ୍ଥାକୁ ଠିକ୍‌ ସମୟରେ ଅର୍ଥ ପ୍ରଦାନ କରାଯାଉ ନଥିବାରୁ କାମରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ସେପଟେ ପୋଖରୀ ମଧ୍ୟକୁ ଦେଉଳସାହିରୁ ଆସିଥିବା ଏକ ଡ୍ରେନ୍‌ର ପାଣି ବିନା ଟ୍ରିଟ୍‌ମେଣ୍ଟରେ ଛାଡ଼ି ଦିଆଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ବହୁ ଦାବି ପରେ ଏବେ ଦଳ ସଫେଇ ପାଇଁ ଏକ ମେସିନ୍‌ ୧୫ଦିନରୁ ଅଧିକ ସମୟ ହେଲା ଆସଥିଲେ ବି ଆଜି ସୁଦ୍ଧା ସଫେଇ କାମ ଆରମ୍ଭ ହୋଇ ପାରି ନାହିଁ। ରେଭିନ୍ୟୁ ପୋଖରୀର ସୌନ୍ଦର୍ଯ୍ୟୀକରଣ କରିବାକୁ ଦୀର୍ଘବର୍ଷ ଧରି ୱାଟ୍‌କୋ ନିକଟରେ ଦାବି କରିଛି। ମାତ୍ର ଉକ୍ତ ପ୍ରକଳ୍ପର କାମ ଶେଷ କରିବାରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନାହିଁ ବୋଲି ସ୍ଥାନୀୟ କର୍ପୋରେଟର୍‌ ବିକାଶ ରଂଜନ ବେହେରା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର