ଭଞ୍ଜନଗରରେ ବନ୍ଦ ହେଲା ଉତ୍ସର୍ଗୀକୃତ କୋଭିଡ କେୟାର ହସ୍‌ପିଟାଲ

ଭଞ୍ଜନଗର: କରୋନା ମହାମାରୀର ଦ୍ବୀତିୟ ଲହରକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ମାସ ୨୪ ତାରିଖରେ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏସ୍‌ସିଏସ୍‌ଟି ଛାତ୍ରୀ ନିବାସ ଏବଂ ସିଟି ସ୍କୁଲର ଛାତ୍ରାବାସରେ ୧୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ କେୟାର ହସ୍‌ପିଟାଲ ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଆଜି ଠାରୁ ତାକୁ ବନ୍ଦ କରିଦିଆଯାଇଥିବା ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହି ପ୍ରକାଶ କରିଛନ୍ତି।

ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଶତାଧିକ କରୋନା ଆକ୍ରାନ୍ତ ଏବଂ ଲକ୍ଷଣ ଥିବା ଗୁରୁତର ରୋଗୀ ମାନଙ୍କୁ ଏଠାରେ ଅମ୍ଳଜାନ ବ୍ୟବସ୍ଥା କରି ଚିକିତ୍ସା କରାଯାଉଥିଲା। ଏଠାରେ ୩ ଜଣ ଏମ୍‌ବିବିଏସ୍ ଡାକ୍ତର ରହିଥିବା ବେଳେ ୭ ଜଣ ହୋମିଓପାଥି ଏବଂ ୯ ଜଣ ପାରାମେଡିକାଲ୍ କର୍ମଚାରୀ କାର୍ଯ୍ୟ କରୁଥିଲେ। ଏଥିସହ ୬ ଜଣ ସୁରକ୍ଷା କର୍ମଚାରୀଙ୍କ ସମେତ ଅନ୍ୟକର୍ମଚାରୀ ମାନେ ନିୟୋଜିତ ଥିଲେ। ଗତମାସ ୨୧ ତାରିଖରେ ୩ ଜଣ ଆକ୍ରାନ୍ତ ଏଠାରେ ଚିକିତ୍ସିତ ହେଉଥିବା ବେଳେ ସେମାନେର ଭଲ ହୋଇ ଘରକୁ ଫେରିବା ପରେ ଆଉ ଏଠାରେ କେହି ଭର୍ତ୍ତି ହୋଇନଥିଲେ। ମେଡିକାଲ୍ କର୍ତ୍ତୃପକ୍ଷ ସମସ୍ତ କର୍ମଚାରୀ ମାନଙ୍କ ଅପସାରଣ କରିନେଇଥିଲେ। କିନ୍ତୁ ପୁଣି ସଂକ୍ରମଣ ବଢିବା ଆଶଙ୍କା ରହିଥିବାରୁ ଏହାକୁ ବନ୍ଦ କରାଯାଇନଥିଲା। ତିନି ଜଣ ସୁରକ୍ଷାକର୍ମୀ ଜଗି ରହିଥିଲେ ଆଜିଠାରୁ ଏହାକୁ ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର