ବାଙ୍କୀରେ ଜିଲ୍ଲାପାଳଙ୍କ ଜନଶୁଣାଣି, ୨୩୧ ଅଭିଯୋଗ; ତ୍ବରିତ ସମାଧାନ ପାଇଁ ନିର୍ଦ୍ଦେଶ

ବାଙ୍କୀ: ବାଙ୍କୀ ବ୍ଲକ୍‌ରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଞ୍ଜୀକୃତ ହୋଇଥିବା ମୋଟ୍‌ ୨୩୧ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ବିଭିନ୍ନ ସରକାରୀ ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ତଥା ଜନସାଧାରଣଙ୍କ ସହଯୋଗରେ ପ୍ରାଶାସନିକ କାର୍ଯ୍ୟର ସମୀକ୍ଷା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ଶ୍ରୀ ଚୟନି କହିଥିଲେ। ବନ୍ୟାରେ ଫସଲ କ୍ଷୟକ୍ଷତି, ଭତ୍ତା, ସାମାଜିକ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ଘରୋଇ ବିଦ୍ୟୁତ ଯୋଗାଣ ଜନିତ ସମସ୍ୟା ଉପରେ ଅଭିଯୋଗ କରାଯାଇଥିଲା। ସମସ୍ତ ସମସ୍ୟାର ଆଶୁ ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ଶିବିରରେ କଟକ ଗ୍ରାମାଞ୍ଚ‌ଳ ଆରକ୍ଷୀ ଅଧୀକ୍ଷକ ଯୁଗଳ କିଶୋର ବନୋଥ, ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ତାୟତରାୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ଉପ-ଜିଲ୍ଲାପାଳ ରଞ୍ଜନ ଜେନା, ମଣ୍ତଳ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ, ତହସିଲଦାର ସତ୍ୟରଞ୍ଜନ ପଣ୍ତା, ଉପଖଣ୍ତ ଆରକ୍ଷୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ବାଙ୍କୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର