ଯୌତୁକ ପାଇଁ ବଧୂ ହତ୍ୟା: ଲକ୍ଷେ ଟଙ୍କା ନ ଦେବାରୁ ମହିଳାଙ୍କୁ ହତ୍ୟା କରି ଟାଙ୍ଗିଦେଲେ

ସ୍ବାମୀ ଓ ଶ୍ବଶୁର ଅଟକ

ଭୁବନେଶ୍ବର: ମାତ୍ର ଲକ୍ଷେ ଟଙ୍କା ପାଇଁ ସ୍ବାମୀ ଓ ଶ୍ବଶୁର ଜଣେ ମହିଳାଙ୍କୁ ପିଟି ପିଟି ମାରିଦେଲେ। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଶବକୁ ଫ୍ୟାନ୍‌ରେ ଟାଙ୍ଗି ଦେଲେ। ଯୌତୁକ ପାଇଁ ବଧୂ ହତ୍ୟାକୁ କେନ୍ଦ୍ର କରି ଆଜି ଚନ୍ଦକା ଥାନାରେ ଏଭଳି ଏକ ମାମଲା ରୁଜୁ ହୋଇଛି। ମୃତ ମହିଳା ହେଲେ, କଟକ ଜିଲ୍ଲା ବୈଦେଶ୍ବର ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗାଁର ଅମୁଲି ପ୍ରଧାନ। ଅମୁଲିଙ୍କ ବାପା ଜଳଧର ପ୍ରଧାନଙ୍କ ଅଭିଯୋଗ ଆଧାରରେ ପୁଲିସ ଅମୁଲିଙ୍କ ସ୍ବାମୀ ଦିଲ୍ଲୀପ ମାଝୀ ଓ ଶ୍ବଶୂର ଦେବରାଜ ମାଝୀକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି।

ଜଳଧରଙ୍କ ଅଭିଯୋଗ ହେଲା, ପାଖାପାଖି ୨ ବର୍ଷ ତଳେ ସେ ତାଙ୍କ ଝିଅର ବାହାଘର ଚନ୍ଦକା ପଳାସପୁରର ଦେବରାଜ ମାଝୀଙ୍କ ପୁଅ ଦିଲ୍ଲୀପଙ୍କ ସହ କରାଇଥିଲେ। ବିବାହର ବର୍ଷେ ପରେ ତାଙ୍କ ସ୍ବାମୀ ଓ ଶ୍ବଶୂର ତାଙ୍କୁ ବାପଘରୁ ଲକ୍ଷେ ଟଙ୍କା ଯୌତୁକ ବାବଦରେ ଆଣିବାକୁ କହିଥିଲେ। କିନ୍ତୁ ତାଙ୍କ ପରିବାରଲୋକ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଅମୁଲିଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା। ଶ୍ବଶୁର ଘରଲୋକ ବିଭିନ୍ନ ସମୟରେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଦିନଦିନ ଧରି ଭୋକ ଉପାସରେ ବନ୍ଦୀ କରି ରଖୁଥିଲେ। ତେବେ ଆଜି ସକାଳ ପ୍ରାୟ ୬ଟାରେ ଶ୍ବଶୂର ଘରଲୋକେ ଫୋନ୍ କରି ଜଳଧରଙ୍କୁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ସଂପର୍କରେ କହିଥିଲେ। ଜଳଧର ପଳାସପଲ୍ଲୀସ୍ଥିତ ଝିଅର ଶ୍ବଶୁର ଘରେ ପହଞ୍ଚି ଦେଖିବା ବେଳକୁ ସେ ଖଟରେ ପଡ଼ିଥିଲେ ଓ ତାଙ୍କ ବେକ ପାଖରେ ଏକ କଟା ଦାଗ ରହିଥିଲା। ଯଦି ଝିଅ ଆତ୍ମହତ୍ୟା କରିଥିଲା, ତେବେ ପୁଲିସକୁ ଖବର ନଦେଇ କାହିଁକି ଶବ ତଳକୁ ଓହ୍ଲାଇଲ ବୋଲି ପ୍ରଶ୍ନ କରିଥିଲେ ଓ ପରେ ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ଚନ୍ଦକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ୍ ହସ୍ପିଟାଲ ପଠାଇଥିଲା।

ସମ୍ବନ୍ଧିତ ଖବର