ସୁନ୍ଦରଗଡ଼: ପୂର୍ବପୁରୁଷ ଭିଟାମାଟି ଓ ଜୀବନଜୀବିକାର ଜମି ନେଇ ଲୋକଙ୍କୁ ବିସ୍ଥାପିତ କଲା। କିନ୍ତୁ ନୀତି ଅନୁଯାୟୀ ଥଇଥାନ ଓ ପୁନର୍ବାସ ତ ମିଳିନି। ନିଯୁକ୍ତିରେ ମଧ୍ୟ ବିସ୍ଥାପିତ ପରିବାରର ଯୋଗ୍ୟ ଯୁବକଯୁବତୀଙ୍କୁ ଉପେକ୍ଷା କରି ପ୍ରାୟ ବାହାର ଲୋକଙ୍କୁ ଦିଆଯାଇଛି ନିଯୁକ୍ତି। ହେମଗିର ମହାନଦୀ ଖୋଲାମୁହଁ କୋଇଲା ଖଣି କମ୍ପାନି ବିରୋଧରେ ଏହି ଗମ୍ଭୀର ଅଭିଯୋଗ ନେଇ ଗର୍ଜନବାହାଲ, ବଲିଙ୍ଗା, କରଲିକଛାର, ଟିକିଲିପଡ଼ା, ସର୍ଗିପାଲି, ନିଆଲିପାଲି, ଯୋଗୀମାଲ ସହ ଅନେକ ବିସ୍ଥାପିତ ଗାଁର ଶତାଧିକ ଯୁବକ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି। କିଛିଦିନ ତଳେ ଚାକିରି, ଥଇଥାନ, ପୁନର୍ବାସ ସୁବିଧା ନଦେଇ ବିସ୍ଥାପିତଙ୍କୁ ଗାଁରୁ ଜୋରଜବରଦସ୍ତ ଉଠାଇ ଖଣି ଖନନ ପାଇଁ ଏମସିଏଲ ଉଦ୍ୟମ କରୁଥିବା ଅଭିଯୋଗ କରି ଗର୍ଜନବାହାଲରେ ୧୪ ଖଣ୍ଡ ଗାଁ ବିସ୍ଥାପିତ ପରିବାର ବସୁନ୍ଧରା, ମହାଲକ୍ଷ୍ମୀ ବିସ୍ଥାପିତ ମଞ୍ଚ ନେତୃତ୍ବରେ ତୀବ୍ର ବିରୋଧ କରିଥିଲେ। ଆଉ ଏବେ ସେ ଅଞ୍ଚଳର ଉପେକ୍ଷିତ ଯୁବକମାନେ ଜିଲ୍ଲାପାଳଙ୍କ ପାଖରେ ନିଜ ହକ୍ ପାଇଁ ଦାବି ଜଣାଇବା ଏମସିଏଲର ବିସ୍ଥାପନ ନୀତିର କାର୍ୟ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯୁବକମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ପରିବାର ସବୁ ବିସ୍ଥାପିତ ହେବା ପରେ ବି ଏମସିଏଲ ଏଯାଏ ନୀତି ନିୟମ ମୁତାବକ ଥଇଥାନ କି ପୁନର୍ବାସ ସୁବିଧା ଦେଇ ନାହିଁ। ଅନ୍ୟପଟେ ପୈତୃକ ଜମି ଏମସିଏଲ ଦ୍ବାରା ଅଧିକୃତ ହେବା ପରେ ଚାଷ କରି ଜୀବିକା ନିର୍ବାହ କରିବାର ପନ୍ଥା ମଧ୍ୟ ସେମାନେ ହରାଇ ସାରିଛନ୍ତି।
ଏସ୍ଥିତିରେ ସେମାନଙ୍କୁ ନିଯୁକ୍ତି, ରୋଜଗାର ଯୋଗାଇଦେବା କଥା। କିନ୍ତୁ ଆବଶ୍ୟକ ଯୋଗ୍ୟତା ଓ ଦକ୍ଷତା ସତ୍ତ୍ବେ କମ୍ପାନି ବିସ୍ଥାପିତ ପରିବାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେଉ ନାହିଁ। ଏବେ ଏମସିଏଲ ଦ୍ବାରା ନିଯୁକ୍ତ ଏକ ଘରୋଇ କମ୍ପାନି ଅଜନ୍ତା ଜେଭି କମ୍ପାନି ଖଣି ଉତ୍ତୋଳନ ଆରମ୍ଭ କରିଥିବା ବେଳେ ସେଥିରେ ସ୍ଥାନୀୟ ବିସ୍ଥାପିତ ପରିବାରର ଯୁବବର୍ଗଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ଝାରଖଣ୍ଡ, ବିହାର, କୋଲକାତାର ପ୍ରାୟ ଦେଢ଼ଶହ ଯୁବକଙ୍କୁ ପ୍ରାଥମିକ ପର୍ୟ୍ୟାୟରେ ନିୟୋଜିତ କରିଛନ୍ତି। ଯାହାକୁ ନେଇ ବିସ୍ଥାପିତ ପରିବାରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଯୁବକମାନେ ଏମସିଏଲ କର୍ତ୍ତୃପକ୍ଷଙ୍କ ବାରମ୍ବାର ଭେଟି ନିଯୁକ୍ତି ଦେବାକୁ ଦାବି କରିଥିଲେ ମଧ୍ୟ କମ୍ପାନି ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଯୋଗ୍ୟତାଭିତ୍ତିରେ ବିସ୍ଥାପିତ ପରିବାରର ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଏମସିଏଲକୁ ନିର୍ଦ୍ଦେଶ ଦେବାକୁ ପୁଷ୍ପକ କୁଆ, ହିତେଶ କୁଆ, ରଞ୍ଜିତ ମହାନନ୍ଦିଆ, ସୁକାନ୍ତ କୁଆ, ତୃତୀୟ ଗର୍ଡ଼ିଆ, ଜଗଦୀଶ ସେନ, ଅଭିଷେକ ସାହୁ, ଅଭିଳାଷ ପଟେଲ, ଗୋବିନ୍ଦ ସାହୁ, ଟଙ୍କଧର ବାଘ, ରାଧାକାନ୍ତ ରାଉତ, ମନୋଜ କୁମାର ବଡ଼, ରାଜେନ ଖେସ, ସୁଧିର ଲାକ୍ରା, ଅନିଲ ଲାକ୍ରା, ଲିଙ୍ଗରାଜ ମହାନନ୍ଦିଆ, ନିର୍ମଳ ମୁଣ୍ଡା, ସଚିନ ବାର୍ଲା, ପ୍ରଫୁଲ୍ଲ ତିର୍କୀ, ଦୀପକ ନାଗଙ୍କ ସମେତ ଶତାଧିକ ଯୁବକ ଦାବି କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି