ଆଶା ଆଶଙ୍କାରେ ଖରିଫ ଋତୁର ଆଳୁ ଚାଷ

ମିଳିନି ବିହନ, ୫୦ ପ୍ରତିଶତ ଲାଗିଛି,ଚିନ୍ତାରେ ଚାଷୀ

କୋରାପୁଟ: ଖରିଫ ଋତୁ ଆଳୁ ଲଗାଯିବାର ସମୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ଆଳୁ ଲଗାଯିବାକୁ ଯୋଜନା ରହିଥିବାବେଳେ ଏବେ ଯାଏ ପହଞ୍ଚିନି ଆଳୁ ବିହନ। ଚଳିତ ମାସ ଶେଷ ସୁଦ୍ଧା ଏହି ଆଳୁ ଲଗାଣ କାର୍ଯ୍ୟ ହେବାକୁ ପାଗ ଅନୁକୂଳ ରହିଥିବାବେଳେ ଏବେ ଯାଏ ବିହନ ନ ପହଞ୍ଚିବା ଆଳୁ ଚାଷୀଙ୍କ ମନରେ ସଂଶୟ ପ୍ରକାଶ ପାଇଛି। ଫଳରେ ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ଆଳୁ ଚାଷ ଓ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। ଉତ୍ପାଦନ ପୂର୍ବରୁ ଫେଲ ମାରିବ କି ଓଡ଼ିଶା ସରକାରଙ୍କ ଆଳୁ ମିଶନ! ହଟହଟା ହେବେ ବି ୮୦୦ ହେକ୍ଟରରେ ପ୍ରସ୍ତାବିତ ୮୦୨୩ ହଜାର ଆଳୁ ଚାଷୀ! ନିକଟରେ ୧୨,୦୦୦ କୁଇଣ୍ଟାଲ ନିମ୍ନ ମାନର ଆଳୁ ବିହନ ପଚି ଷଡି ଯିବା ପରେ ଖରିଫ ଋତୁରେ ଆଳୁ ଉତ୍ପାଦନ ହୋଇପାରିବ କି ନାହିଁ ତାହାକୁ ନେଇ ସଂଶୟ ପ୍ରକାଶ ପାଇଛି। କିଛିଦିନ ତଳେ ଓଡ଼ିଶା ଷ୍ଟେଟ ସିଡ୍‌ କର୍ପୋରେସନ (ଓଏସଏସସି) ଲିମିଟେଡ୍‌ ପକ୍ଷରୁ କୋରାପୁଟ ଜିଲ୍ଲାକୁ ଯୋଗାଣ ନିମ୍ନ ମାନର ଆଳୁ ବିହନ ଯୋଗାଣ ହେବାରୁ ଏହାକୁ ଫେରାଇ ଦେଇଥିଲା ଉଦ୍ୟାନ କୃଷି ବିଭାଗ। ଏବେ ସୁଦ୍ଧା ୪୦୦ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ବିହନ ଯୋଗାଣ ହୋଇଥିବାବେଳେ ଆହୁରି ୪୦୦ ହେକ୍ଟର ଜମିରେ ଆଳୁ ବିହନ ଆସି ନ ଥିବାରୁ ରୋପଣ କାର୍ଯ୍ୟ ହୋଇପାରିନାହିଁ। କେବେ ବିହନ ଆସିବ ଓ କେବେ ଆଳୁ ରୋପଣ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ତେବେ ଖରିଫ ଋତୁ ପାଇଁ ଜୁଲାଇ ୩୦ ତାରିଖରେ ଆଳୁ ଲଗାଯିବାକୁ ଯୋଜନା ରହିଥିଲା। ଏହା ଅଗଷ୍ଟ ୨୦ ଯାଏଁ ହୋଇପାରିବ। କିନ୍ତୁ ଏହି ସମୟ ମଧ୍ୟ ବିହନ ନ ପହଞ୍ଚିଲେ ଠିକଣା ସମୟରେ ଆଳୁ ଉତ୍ପାଦନ ହୋଇପାରିବ ନାହିଁ ବୋଲି ଜଣାପଡିଛି। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ୮୦୨୩ ଜଣ ଚାଷୀ ରହିଛନ୍ତି। ୮୦୦ ହେକ୍ଟରରେ ଆଳୁ ଚାଷ ହେବାକୁ ଯୋଜନା ରହିଥିବା ଆଳୁ ବିହନ ଖରାପ ପଡିବା ଓ ଏହାକୁ ଉଦ୍ୟାନ କୃଷି ବିଭାଗ ଫେରାଇ ଦେଇଥିଲା। ଫଳରେ ଖରିଫ ଋତୁ ରେ ଚାଷ ହୋଇପାରିବ କି ନାହିଁ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ନିକଟରେ ୨୦୨୨-୨୩ ଖରିଫ ଋତୁ ପାଇଁ କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅଧୀନ ହାଟପଦାରେ ଆସି ପହଞ୍ଚିଥିଲା ୪ ଟ୍ରକ ଆଳୁ ବିହନ। ଏହି ଆଳୁ ବିହନ ମଧ୍ୟରେ କେ.ଜ୍ୟୋତି, କେ-ଜି-୪, କେ-ଜି-୪ ଓ ଚିପସୋନା ବିହନ ରହିଥିଲା। ତେବେ ଏହି ବିହନ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକରେ ୨୦୦ ହେକ୍ଟର, ସେମିଳିଗୁଡା ବ୍ଲକରେ ୨୦୦ ହେକ୍ଟର, ଲମତାପୁଟ ବ୍ଲକରେ ୧୦୦ ହେକ୍ଟର ଓ ବାକି ୧୧ଟି ବ୍ଲକରେ ୪୦୦ ହେକ୍ଟର ଜମିରେ ଚାଷ ହେବାକୁ ଯୋଜନା କରିଥିଲା ଉଦ୍ୟାନ କୃଷି ବିଭାଗ।

ଦୁଇଟି ଟ୍ରକରେ ୪ ପ୍ରକାର ବିହନ ଖରାପ ରହିଥିବା ଅନ୍ୟ ଦୁଇଟି ଟ୍ରକର ବିହନ ମାନକୁ ନେଇ ଟ୍ୟାଗ ଲାଗି ନ ଥିବାରୁ ଏହାକୁ ଫେରାଇ ଦେଇଥିଲା। ଏବେ ଯାଏ ଜିଲ୍ଲାରେ ୪୦୦ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ବିହନ ଆସି ଚାଷୀଙ୍କୁ ବଣ୍ଟନ ହୋଇ ସାରିଥିବାବେଳେ ଆହୁରି ୪୦୦ ହେକ୍ଟର ଜମି ପାଇଁ ବିହନ ପହଞ୍ଚି ନ ଥିବାରୁ ଚାଷୀକୂଳ ଆଶା ଆଶଙ୍କାରେ ରହିଛନ୍ତି। ଏନେଇ କୋରାପୁଟ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ବାଳ କହିଛନ୍ତି ଯେ ଖରିଫ ଋତୁ ପାଇଁ ୮୦୦ ହେକ୍ଟର ଜମିରେ ଚାଷ କରାଯିବାକୁ ଯୋଜନା ହୋଇଛି। ଏବେ ଯାଏ ୪୦୦ ହେକ୍ଟର ଜମିରେ ଚାଷ ହେବାକୁ ଚାଷୀଙ୍କୁ ବିହନ ପ୍ରଦାନ କରାଯାଇଛି। ଅଗଷ୍ଟ ମାସ ଶେଷ ସୁଦ୍ଧା ବିହନ ପହଞ୍ଚିବା ସହ ଚାଷୀଙ୍କୁ ବଣ୍ଟନ ହେବ। ଆଉ ଆଶା ଅନୁସାରେ ଫଳ ମଧ୍ୟ ଠିକ ସମୟରେ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର