ନାଟକର ଶେଷ ଗୀତ ହେଲା ଜୀବନର ଶେଷ ଗୀତ ! ଗାଉ ଗାଉ ମଞ୍ଚରେ ଟଳିପଡ଼ିଲେ ଯାତ୍ରା ଗାୟକ 

ଉଦଳା: ନାଟକର ଶେଷ ଗୀତ ହେଲା ଜୀବନର ଶେଷ ଗୀତ ! ମଞ୍ଚସ୍ଥ ହେଉଥିଲା ନାଟକ ଆଉ ଶେଷ ଗୀତ ଉପସ୍ଥାପନ କରୁଥିଲେ ଯାତ୍ରା କଳାକାର। ଏହି ସମୟରେ ସେ ଟଳିପଡ଼ିଲେ ଆଉ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ନାଟକର ଶେଷ ଗୀତ ଗାଉଥିବା ସେଇ କଳାକାରଙ୍କ ଜୀବନରେ ତାହା ଯେ ‌ଶେଷ ଗୀତ ହେବ, କିଏ ବା ଭାବିଥିଲା!! ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ।

ଉଦଳାରେ ଗତକାଲି ରାତିରେ ତୁଳସୀ ଗଣନାଟ୍ୟ ପକ୍ଷରୁ ନାଟକ ‘ବରଷା ରାତିକୁ ଭରସା ନାହିଁ’ ମଞ୍ଚସ୍ଥ ହେଉଥିଲା। ନାଟକରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣକୋଠା ଅଞ୍ଚଳର ସଞ୍ଜୟ କୁମାର ପାତ୍ର କଣ୍ଠଦାନ କରୁଥିଲେ। ନାଟକ ସରିବା ସମୟ ଆସିଯାଇଥାଏ। ସେ ନାଟକର ଶେଷ ଟାଇଟଲ୍ ଗୀତ ଗାଉଥା’ନ୍ତି। ଏପରି ସମୟରେ ସଞ୍ଜୟଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ଟଳିପଡ଼ିଥିଲେ। ତାଙ୍କୁ ସଂଗେ ସଂଗେ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଉଦଳା ଥାନାରେ ୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଯାତ୍ରା ମାଲିକଙ୍କ ସହାୟତାରେ ସଞ୍ଜୟଙ୍କ ମରଶରୀର ତାଙ୍କ ଘରକୁ ପଠାଯାଇଥିବା ଜଣାପଡ଼ିଛି ।

ସୂଚନା ଥାଉକି ସଞ୍ଜୟଙ୍କ ପତ୍ନୀ ସହ ୩ ପୁଅ ଓ ଜଣେ ଝିଅ ଅଛନ୍ତି। ସେ ଯାତ୍ରାପାର୍ଟିରେ ଗୀତ ଗାଇ ପରିବାର ପ୍ରତିପୋଷଣ କରିଥା’ନ୍ତି। ମାସକୁ ୧୮, ୦୦୦ ଟଙ୍କା ଦରମାରେ ୫ ମାସ ତଳେ ତୁଳସୀ ଗଣନାଟ୍ୟରେ ଯୋଗ ଦେଇଥିଲେ। ଦିନ କେଇଟା ପରେ ସଞ୍ଜୟ ଝିଅ ବାହାଘର କରିଥାନ୍ତେ।

ସମ୍ବନ୍ଧିତ ଖବର