କରୋନା ସ˚କ୍ରମଣର ତୀବ୍ରତାରେ ବାୟୁ ପ୍ରଦୂଷଣର ଭୂମିକା

ଅମୂଲ୍ୟ କୁମାର ପଣ୍ତା

କୋଭିଡ୍‌-୧୯ ମହାମାରୀ ବିଶ୍ବରେ ମୃତ୍ୟୁର ତାଣ୍ତବ ରଚିଥିବା ପରିପ୍ରେକ୍ଷୀରେ ବାୟୁ ପ୍ରଦୂଷଣ ଯୋଗୁଁ ଏହାର ଭୟାବହତା ବହୁଗୁଣିତ ହୋଇଯାଉଛି। ଏ ସଂପର୍କରେ ସାମାନ୍ୟ ଆଲୋଚନା ସମୀଚୀନ ମନେହୁଏ।

ସ˚ପ୍ରତି ପ୍ରଦୂଷିତ ବାୟୁ ହେଉଛି ଆମ ସ୍ବାସ୍ଥ୍ୟ ଲାଗି ବିଶ୍ବର ସବୁଠୁ ଅଧିକ ଭୟଙ୍କର ପରିବେଶ-ସମ୍ପର୍କିତ ବିପଦ। ଏଥି ଯୋଗୁଁ ବର୍ଷକୁ ପ୍ରାୟ ୭ ନିୟୁତ ଲୋକ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ଏହା ଶ୍ବାସ ରୋଗ (ଆଜ୍‌ମା), କର୍କଟ ରୋଗ, ହୃଦ୍‌ ରୋଗ, ଶ୍ବସନ ତନ୍ତ୍ର ସ˚କ୍ରମଣ, ଦୀର୍ଘ କାଳୀନ ଶ୍ବସନ-ଅବରୋଧଜନିତ ରୋଗ (କ୍ରନିକ୍‌ ଅବଷ୍ଟ୍ରକ୍ଟିଭ୍‌ ପଲ୍ମନାରୀ ଡିଜିଜ୍‌- ସିଓପିଡି), ନ୍ୟୁମୋନିଆ ଆଦିର କାରଣ। ମଧୁମେହ, ସମୟ ପୂର୍ବରୁ ପ୍ରସବ, କମ୍‌ ଓଜନର ଶିଶୁର ଜନ୍ମ ଏବ˚ ସ୍ନାୟବିକ ବିକାଶ ଆଦିର ସମ୍ପର୍କ ମଧୢ ବାୟୁ ପ୍ରଦୂଷଣ ସହିତ ରହିଛି। ତା’ଛଡ଼ା ଏହା ଦ୍ବାରା ଅଣ-ସ˚କ୍ରାମକ ରୋଗଗୁଡ଼ିକର ଭୟାବହତା ବଢ଼ି ଯାଇଥାଏ। କୋଭିଡ୍‌-୧୯ର ଉଗ୍ର, ଉତ୍କଟ ରୂପ ପଛରେ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକରେ ବାୟୁ ପ୍ରଦୂଷଣର ଭୂମିକା ରହିଛି ବୋଲି କୁହାଯାଉଛି। ପ୍ରଦୂଷିତ ବାୟୁ ବଦଳରେ ଯଦି ପରିଷ୍କାର ବାୟୁ ଉପଲବ୍‌ଧ ହୋଇଥାନ୍ତା, ତେବେ କୋଭିଡ୍‌-୧୯ ସ˚କ୍ରମଣ ଜନିତ ମୃତ୍ୟୁ ସ˚ଖ୍ୟା ହୁଏ’ତ ଏତେ ଅଧିକ ହୋଇନଥାନ୍ତା ବୋଲି ବହୁ ଆମେରିକୀୟ ବିଜ୍ଞାନୀ ବିଶାରଦମାନେ କହିଛନ୍ତି। ‘ଦ ଗାର୍ଡିଆନ୍‌’ ପତ୍ରିକାର ପରିବେଶ ସମ୍ପାଦକ ଡାମିଏନ୍‌ କ୍ୟାରିଙ୍ଗଟନ୍‌ ଗଲା ମେ ୪ ସଂଖ୍ୟାରେ ଲେଖିଛନ୍ତି ଯେ ବାୟୁ ପ୍ରଦୂଷଣଜନିତ ଫୁସ୍‌ଫୁସ୍‌ ରୋଗ ତଥା ହୃଦ୍‌ରୋଗ ଥିବା ବ୍ୟକ୍ତିଙ୍କ ଠାରେ କୋଭିଡ୍‌-୧୯ର ସ˚କ୍ରମଣ ଅଧିକ ତୀବ୍ର ହୋଇଛି। ବାୟୁ ପ୍ରଦୂଷଣ ଓ କୋଭିଡ୍‌-୧୯ ସ˚କ୍ରମଣ ଭିତରେ ଥିବା ଏଭଳି ସମ୍ପର୍କ ବିଷୟରେ ସେ ଆମେରିକା, ବ୍ରିଟେନ୍‌, ଇଟାଲି ଓ ଚୀନ୍‌ରେ ହୋଇଥିବା ଗବେଷଣା ଫଳାଫଳର ସୂଚନା ମଧ୍ୟ ଦେଇଛନ୍ତି। ବହୁ ପରିବେଶବିତ୍‌ଙ୍କ ମତରେ ବାୟୁ ପ୍ରଦୂଷଣ କରାଉଥିବା କଣିକା (ପାର୍ଟିକ୍ୟୁଲେଟ୍‌ ମ୍ୟାଟର) ବା ପିଏମ୍‌ ୨.୫ ଓ ୧୦.୦ କୋଭିଡ୍‌-୧୯ ଭୂତାଣୁର ବାହକ ଭାବେ କାର୍ଯ୍ୟ କରିଥାଏ।

ହାର୍ଭାର୍ଡ‌୍‌ ବିଶ୍ବବିଦ୍ୟାଳୟର ଜିଆଓ ଵୁ ଏବ˚ ଚାଚେଲ୍‌ ନେଦେରୀଙ୍କ ନେତୃତ୍ବରେ କରାଯାଇଥିବା ଅଧୢୟନରୁ ଜଣାଯାଏ ଯେ ପ୍ରତି ଘନମିଟର ୧ ମାଇକ୍ରୋଗ୍ରାମ ପିଏମ୍‌ ୨.୫ ବଢ଼ିଲେ କୋଭିଡ୍‌-୧୯ ଜନିତ ମୃତ୍ୟୁ ହାର ୧୫% ବଢ଼ିଯାଇଥାଏ। ସେହି ବିଶ୍ବବିଦ୍ୟାଳୟର ଜଳବାୟୁ, ସ୍ବାସ୍ଥ୍ୟ ଓ ବିଶ୍ବ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଆରୋନ୍‌ ବର୍ଣ୍ଣଷ୍ଟେନ୍‌ କହିଛନ୍ତି ଯେ ପ୍ରଦୂଷିତ ବାୟୁ ଗ୍ରହଣ କରୁଥିବା କରୋନା ସ˚କ୍ରମିତ ଲୋକଙ୍କ ମୃତ୍ୟୁର ଆଶଙ୍କା ଅନେକ ଅଧିକ ହେବାର ସ୍ପଷ୍ଟ ପ୍ରମାଣ ମିଳୁଛି। ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଅନୁଯାୟୀ ପିଏମ୍‌ ୨.୫ର ବାର୍ଷିକ ହାରାହାରି ନିରାପଦ ପରିମାଣ ସୀମା ହେଉଛି ଘନମିଟର‌ ପ୍ରତି ୧୦ ମାଇକ୍ରୋଗ୍ରାମ୍‌। ସେହିପରି ଯୁକ୍ତରାଷ୍ଟ ଆମେରିକାର ପରିବେଶ ସୁରକ୍ଷା ଏଜେନ୍‌ସି ଅନୁମୋଦିତ ଏହି ପରିମାଣ ହେଉଛି ୧୨ ମାଇକ୍ରୋଗ୍ରାମ୍‌/ଘନ ମିଟର। କିନ୍ତୁ ନ୍ୟୁୟର୍କରେ ଏହା ନିରାପଦ ସୀମା ଠାରୁ ଢେର‌ ଅଧିକ। ସୁତରା˚ ସେଠାକାର କୋଭିଡ୍‌-୧୯ ଜନିତ ମୃତ୍ୟୁ ସ˚ଖ୍ୟା ଅନ୍ୟ ସମସ୍ତ ଅଞ୍ଚଳ ତୁଳନାରେ ଯଥେଷ୍ଟ ଅଧିକ। ତିନିି ହଜାରରୁ ଅଧିକ ଆମେରିକୀୟ କାଉଣ୍ଟିକୁ ନେଇ ଵୁ ଓ ନେଦେରୀ ଅଧୢୟନ କରିଥିଲେ। ଏହାକୁ ଭିତ୍ତି କରି ଵୁ କହିଛନ୍ତି ଯେ ସେ ସବୁ ଅଞ୍ଚଳର ଅଧିବାସୀମାନେ ପ୍ରାୟ ୧୫-୨୦ ବର୍ଷ ଧରି ପ୍ରଦୂଷିତ ବାୟୁ ଗ୍ରହଣ କରି ଆସୁଛନ୍ତି। ସୁତରା˚ ସେସବୁ ଅଞ୍ଚଳର କୋଭିଡ୍‌-୧୯ ମୃତ୍ୟୁ ହାର ଅଧିକ ରହୁଛି। ବାୟୁ ପ୍ରଦୂଷଣ ଯୋଗୁଁ ଶରୀରର ରୋଗ ପ୍ରତିରୋଧକ ସ˚ସ୍ଥା ଦୁର୍ବଳ ହୋଇ ଯାଉଥିବାରୁ ଲୋକେ ସ˚କ୍ରମଣର ମୁକାବିଲା କରିବାର ସାମର୍ଥ୍ୟ ହରାଇଥା’ନ୍ତି ବୋଲି ‘ୟୁରୋପିଆନ୍‌ ପବ୍ଲିିକ୍‌ ହେଲ୍‌ଥ ଏଲାଏନ୍‌ସ’ ତରଫରୁ କୁହାଯାଇଛି।

ଚଳିତ ବର୍ଷ ଆଜି ସୁଦ୍ଧା ବିଶ୍ବରେ ୩ ଲକ୍ଷ ୭୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ କୋଭିଡ୍‌-୧୯ ସ˚କ୍ରମଣ ଯୋଗୁଁ ହେଲାଣି। ଏଥି ମଧୢରୁ ଯୁକ୍ତରାଷ୍ଟ୍ର ଆମେରିକାର ମୃତ୍ୟୁ ସ˚ଖ୍ୟା ହେଉଛି ସର୍ବାଧିକ ୧୦୬,୧୯୫। ଲଣ୍ଡନରେ ମୃତ୍ୟୁ ସଂଖ୍ୟା ହେଉଛି ୩୮,୪୮୯ ଓ ଇଟାଲିରେ ତାହା ୩୩,୪୧୫। କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ମିଗୁଏଲ୍‌ ମାର୍ଟିନ୍‌ସ କରିଥିବା ଏକ ବିଶ୍ଳେଷଣରୁ ଜଣାଯାଏ ଯେ ବ୍ରିଟେନ୍‌ର ଲଣ୍ତନ, ମଧୢାଞ୍ଚଳ ଓ ଉତ୍ତର-ପଶ୍ଚିମ ଅଞ୍ଚଳର ବାୟୁରେ ‘ନାଇଟ୍ରୋଜେନ୍‌ ଅକ୍ସାଇଡ୍‌’ର ଉଚ୍ଚ ପରିମାଣ ଏବ˚ କୋଭିଡ୍‌-୧୯ ମୃତ୍ୟୁହାର ଭିତରେ ନିଶ୍ଚିତ ଏକ ସମ୍ବନ୍ଧ ରହିଛି। ସେ କହିଛନ୍ତି ଯେ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ତଥା କୋଭିଡ୍‌-୧୯ ମହାମାରୀର ନିୟନ୍ତ୍ରଣ ପାଇଁ ବାୟୁ ପ୍ରଦୂଷଣ ହ୍ରାସ କରାଯିବା ଜରୁରୀ। ଇଟାଲିର ଲୋମ୍ବାର୍ଡି ପ୍ରଦେଶରେ ଦେଶର ସର୍ବାଧିକ ଲୋକଙ୍କ ପ୍ରାଣହାନି ଘଟିଛି ଓ ତା’ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ଏମିଲିଆ ରୋମାଗ୍‌। ଏ ଦୁଇ ଅଞ୍ଚଳର ବାୟୁର ଗୁଣାତ୍ମକ ମାନକୁ ନେଇ କରାଯାଇଥିବା ଅନୁଧୢାନରୁ ଜଣାଯାଇଛି ଯେ ବାୟୁ ପ୍ରଦୂଷଣ ଓ କୋଭିଡ୍‌-୧୯ ମୃତ୍ୟୁ ହାର ଭିତରେ ଏକ ସ୍ପଷ୍ଟ ସମ୍ବନ୍ଧ ରହିଛି। ଏହି କାରଣରୁ ବିଶ୍ବର ପ୍ରାୟ ସବୁ ବଡ଼ ବଡ଼ ସହରରେ ଏହିପରି ଅବସ୍ଥା ଦେଖିବାକୁ ମିଳୁଛି। ୨୦୦୩ ମସିହାର ସାର୍ସ (SARS- ଏହା କୋଭିଡ୍‌-୧୯ ପରି ଏକ ଭୂତାଣୁ ଜନିତ ରୋଗ) ସମ୍ପର୍କିତ ଏକ ଅଧୢୟନ ଅନୁଯାୟୀ ବାୟୁ ପ୍ରଦୂଷଣପ୍ରବଣ ଅଞ୍ଚଳରେ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁ ହାର ୮୪% ଅଧିକ ଥିଲା।

କୋଭିଡ୍‌-୧୯ ମହାମାରୀକୁ ପ୍ରତିହତ କରିବା ଲକ୍ଷ୍ୟରେ ଏବେ ଭାରତ ସମେତ ବିଭିନ୍ନ ଦେଶର ଲକ୍‌ଡାଉନ୍‌ ବଳବତ୍ତର ରହିଛି, ଯଦିଓ ପୂର୍ବାପେକ୍ଷା ଏବେ ଏହା କୋହଳ ହୋଇଛି। ଲକ୍‌ଡାଉନ୍‌ର ପ୍ରଥମ ଦୁଇ ଚରଣରେ କଳକାରଖାନା, ପରିବହନ ଆଦି ବନ୍ଦ ଥିଲା। ତେଣୁ ବାୟୁ ପ୍ରଦୂଷଣର ମାତ୍ରା ବିଶେଷ ଭାବେ ହ୍ରାସ ପାଇଥିଲା। କିନ୍ତୁ ତାହା ଏବେ କୋହଳ ହେବା ପରେ ସ୍ଥିତି ‘ଯଥା ପୂର୍ବଂ ତଥା ପରମ୍’କୁ ଆସିବା ଭଳି ଲାଗିଲାଣି। ତେଣୁ ଏଭଳି ସ୍ଥଳେ କୋଭିଡ୍‌-୧୯ ସ˚କ୍ରମଣର ପ୍ରାବଲ୍ୟ ଅଧିକ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ତେଣୁ ଏବେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରହିଥିବା ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବା ଏକାନ୍ତ ଆବଶ୍ୟକ।

ଲକ୍‌ଡାଉନ୍‌ କାରଣରୁ ପ୍ରଦୂଷଣ ହ୍ରାସକୁ ‘ସବୁଜ ପୁନରୁଦ୍ଧାର’ ବୋଲି ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନର ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶିକା ମାରିଆ ନେଇରା କହିଛନ୍ତି। ଏହା ଆମ ପାଇଁ ଏକ ଦୃଷ୍ଟାନ୍ତ ହେବା ଉଚିତ। ବାୟୁ ପ୍ରଦୂଷଣର ଜନସ୍ବାସ୍ଥ୍ୟ ସହିତ ଗଭୀର ସଂପର୍କ ରହିଛି ଏବ˚ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ୁଛି। ସୁତରା˚ ବାୟୁ ପ୍ରଦୂଷଣ ହ୍ରାସ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମଧୢ ଆବଶ୍ୟକ।

ପେଟ୍ରୋଲ ବା ଡି‌େଜଲ ଭଳି ଜୀବାଣୁ ଇନ୍ଧନ ଆଦିର ବହୁଳ ବ୍ୟବହାର ଦ୍ବାରା ବାୟୁ ପ୍ରଦୂଷଣ ଅଧିକ ହେଉଥିବାରୁ ବିଶ୍ବର ବହୁ ସହରରେ ସବୁଜ, ପରିଷ୍କାର ପରିବହନକୁ ଗୁରୁତ୍ବ ଦେବାର ଯୋଜନା କରାଯାଇଛି। ମିଲାନ୍‌ ସହରରେ ମେଟ୍ରୋ ରେଳସେବା ତା’ର ସାମର୍ଥ୍ୟର ମାତ୍ର ୩୦% ବିନିଯୋଗ କରିବ; ୧୪ ଲକ୍ଷ ଯାତ୍ରୀ ସ୍ଥାନରେ ମାତ୍ର ୪ ଲକ୍ଷ ଯାତ୍ରୀ ହିଁ ଯାତାୟତ କରିପାରିବେ। ଏହା ଦ୍ବାରା ବାୟୁ ପ୍ରଦୂଷଣ ହ୍ରାସ ପାଇବ। ‘ଵାର୍କ ଫ୍ରମ୍‌ ହୋମ୍‌’ ଏବେ ଏକ ସର୍ବକାଳୀନ ବାଞ୍ଛିତ ବିକଳ୍ପ ହେବା ଉଚିତ। କାରଣ ଏହାଦ୍ବାରା ଗାଡ଼ି ମଟର ଚଳାଚଳ କମି ପ୍ରଦୂଷଣ ହ୍ରାସ କରିବ। ମଣିଷ ପ୍ରକୃତି ଉପରେ ଆଧିପତ୍ୟ ବିସ୍ତାର ନ କରି ତା’ସହ ସୁସମ୍ପର୍କ ସ୍ଥାପନ କରିବା ହେଉଛି ଆଜିର ଆହ୍ବାନ। ସେହି କ୍ରମରେ ବାୟୁ ମଣ୍ଡଳକୁ ନିର୍ମଳ ରଖିବା ଲାଗି ଆମେ ସଚେତନ ଉଦ୍ୟମ କରିବା ଦରକାର।

ମୋ- ୮୨୮୦୨୩୯୯୫୭

ସମ୍ବନ୍ଧିତ ଖବର