‘ପଦ୍ମ’ ପ୍ରଶ୍ନ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ ସି.ପି.ଆଇ.(ଏମ୍‌) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଦ୍ବାରା ମର୍ଯ୍ୟାଦାଜନକ ପଦ୍ମଭୂଷଣ ସମ୍ମାନ ପ୍ରତ୍ୟାଖ୍ୟାତ ହେବା ପରେ ଶୁଭେଚ୍ଛା ଜଣାଇ ବରିଷ୍ଠ କ˚ଗ୍ରେସ ନେତା ତଥା ରାଜ୍ୟସଭାରେ କ˚ଗ୍ରେସ ଦଳର ହୁଇପ୍‌ ଜୟରାମ ରମେଶ ଯେଉଁ ଦୁଇଟି ବାକ୍ୟ ସମ୍ବଳିତ ଟୁଇଟ୍‌ କରିଥିଲେ, ତା’ର ଓଡ଼ିଆ ଭାଷାନ୍ତର ହେବ: ଉଚିତ କାର୍ଯ୍ୟ। ସେ ‘ଆଜାଦ’ ହେବାକୁ ଚାହାନ୍ତି, ‘ଗୁଲାମ’ ନୁହେଁ। କହିବା ବାହୁଲ୍ୟ, ଏହି ଟୁଇଟ୍‌କୁ ପଢ଼ିଥିବା ଅଧିକା˚ଶ ବ୍ୟକ୍ତି ଏଥିରେ ନିହିତ କଟାକ୍ଷକୁ ହୃଦୟଙ୍ଗମ କରିପାରିଥିବେ; କାରଣ ବୁଦ୍ଧଦେବଙ୍କ ସହିତ କ˚ଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ମଧ୍ୟ ପଦ୍ମଭୂଷଣ ସମ୍ମାନ ଲାଗି ଚୟନ କରାଯାଇଛି, ଯାହାକୁ ସେ ବିନମ୍ରତାର ସହିତ ସ୍ୱୀକାର କରିଛନ୍ତି।

କହିବା ଅନାବଶ୍ୟକ ଯେ ଗୁଲାମ ନବୀଙ୍କୁ ଏହି ସମ୍ମାନ ପ୍ରଦାନ ଫଳରେ କ˚ଗ୍ରେସର ହାଇକମାଣ୍ତ ଏବ˚ ତାଙ୍କର ଏକାନ୍ତ ଅନୁରକ୍ତ ମହଲ ଏକ ଅସ୍ୱସ୍ତିର ସାମନା କରୁଛନ୍ତି; କାରଣ ଗୁଲାମ ନବୀ ହେଉଛନ୍ତି ସେହି ‘ଗ୍ରୁପ୍‌ ଅଫ୍‌ ୨୩’(ତେଇଶ ଜଣିଆ ଦଳ)ର ଜଣେ ସଦସ୍ୟ, ଯେଉଁ ଗୋଷ୍ଠୀ କଂଗ୍ରେସରେ ସାଂଗଠନିକ ସ˚ସ୍କାର ଲାଗି ହାଇକମାଣ୍ତଙ୍କୁ ଏକ ପତ୍ର ଲେଖି ତାଙ୍କ ବିଷ ଦୃଷ୍ଟିରେ ପଡ଼ିବା ସହିତ ତାଙ୍କ ନିକଟତମ ବଳୟରୁ ଅପସାରିତ ହୋଇଥିଲେ। ସୁତରା˚, ଗୁଲାମ ନବୀଙ୍କୁ ପଦ୍ମଭୂଷଣ ପ୍ରଦାନରେ କ˚ଗ୍ରେସ ଦଳର କେତେକ ନେତା (ହାଇକମାଣ୍ତଙ୍କ ଅନୁରକ୍ତ) ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଏକ ଦୁରଭିସନ୍ଧିକୁ ଦେଖିଥାଆନ୍ତି। ଏହି ସମ୍ମାନ ଲାଗି ଗୁଲାମ ନବୀଙ୍କ ନିକଟକୁ କ˚ଗ୍ରେସ ଦଳ ଭିତରୁ ଶୁଭେଚ୍ଛାର ସ୍ରୋତ ଛୁଟିଥିବା ପରିପ୍ରେକ୍ଷୀରେ ଏକ ଧାରଣା ମଧ୍ୟ ଦୃଢ଼ୀଭୂୂତ ହେବାରେ ଲାଗିଛି ଯେ ଦଳ ମଧୢରେ ଥିବା ବିଭାଜନକୁ ଆହୁରି ଗଭୀର କରି ଦଳକୁ ଅଧିକ ଦୁର୍ବଳ କରିବା ଏହି ସମ୍ମାନ ପ୍ରଦାନର ପ୍ରକୃତ ଉଦ୍ଦେଶ୍ୟ। ସୁତରା˚, ସେମାନଙ୍କ ପ୍ରଶ୍ନ ହେଲା ଏହା ଏକ ସୁଚିନ୍ତିତ ଚକ୍ରାନ୍ତର ଅ˚ଶ କି? ଏହି ପରିପ୍ରେକ୍ଷୀରେ ଏହାର ଉତ୍ତର ଖୋଜିବା ଲାଗି ପ୍ରସଙ୍ଗଟିକୁ ନେଇ ଏକ କ୍ଷୁଦ୍ର ଆଲୋଚନା ଜରୁରୀ ବୋଲି ମନେ ହୁଏ।

ତେବେ, ଏହି ପରିପ୍ରେକ୍ଷୀରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ୨୦୧୪ ମସିହାରେ ଭାରତୀୟ ଜନତା ପାର୍ଟି ନେତୃତ୍ବରେ କେନ୍ଦ୍ରରେ ଏନ୍‌.ଡି.ଏ. ସରକାର କ୍ଷମତାସୀନ ହେବା ପରେ ‘ପଦ୍ମ’ ପୁରସ୍କାର ପୂର୍ବ ତୁଳନାରେ ଅଧିକ ଅନ୍ତର୍ଭୁକ୍ତୀ ହୋଇଛି, ଯହିଁରେ ରାଷ୍ଟ୍ରର ନିଭୃତ କୋଣରେ ଅତ୍ୟନ୍ତ ଅନାମଧେୢୟ ଭାବେ ରହି ସମର୍ପିତ ଭାବେ ସମାଜ ବା ଜନ ମଙ୍ଗଳ ତଥା ସା˚ସ୍କୃତିକ ବିକାଶ ଲାଗି କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଏହା ପ୍ରଦାନ କରାଯାଉଛି। ୨୦୧୪ ପୂର୍ବରୁ ଏକ ଧାରଣା ବଦ୍ଧମୂଳ ହେବାରେ ଲାଗିଥିଲା ଯେ ‘ଦିଲ୍ଲୀ ଦରବାର’(କ˚ଗ୍ରେସ ଅମଳ)ର ସନ୍ନିକଟ ନ ହେଲେ ଏହି ସମ୍ମାନ ଲାଭ କରିବା ଏକ ଦୁରୂହ ବ୍ୟାପାର। ଏହିି ସ˚ଦର୍ଭରେ ଏହା ମଧୢ ଦୃଷ୍ଟିଗୋଚର ହୋଇଛି ଯେ ୨୦୧୪ ମସିହା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିରୋଧୀ ରାଜନୈତିକ ଦଳର ଯେତିକି ସ˚ଖ୍ୟକ ନେତାଙ୍କୁ ‘ପଦ୍ମ’ ସମ୍ମାନ ପ୍ରଦାନ କରାଯାଇଛି, ତାହା ପୂର୍ବରୁ କେବେ ଦେଖା ଯାଇ ନ ଥିଲା।

ଉଦାହରଣ ସ୍ବରୂପ ୨୦୧୭ ମସିହାରେ ଏନ୍‌.ସି.ପି. ନେତା ଶରଦ ପାଵାର ଏବ˚ ପିଏନ୍‌ ସଙ୍ଗମା, ୨୦୨୦ ମସିହାରେ ଜାମ୍ମୁ କାଶ୍ମୀରର ‘ପିଡିପି’ ଦଳର ନେତା ମୁଜାଫର ହୁସେନ ବେଗ ଏବ˚ ନାଗାଲାଣ୍ତର କ˚ଗ୍ରେସ ନେତା ତଥା ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏସ୍‌.ସି. ଜମିର, ୨୦୨୧ ମସିହାରେ ଆସାମର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା କ˚ଗ୍ରେସ ନେତା ତରୁଣ ଗୋଗୋଇଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ୨୦୧୬ରେ ନାଗାଲାଣ୍ତର ବୟୋବୃଦ୍ଧ କ˚ଗ୍ରେସ ନେତା ଟଖେଲୋ ସେମା ଏବ˚ ୨୦୧୮ରେ ପ୍ରବୀଣ କ˚ଗ୍ରେସ ନେତା ଭବାନୀ ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। କେବଳ ସେତିକି ନୁହେଁ, ୨୦୧୯ ମସିହାରେ ବରିଷ୍ଠ କ˚ଗ୍ରେସ ନେତା ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଏହି ସରକାର ଅମଳରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ଦ୍ବାରା ଭୂଷିତ କରାଯାଇଥିଲା। ଏହା ଅନସ୍ବୀକାର୍ଯ୍ୟ ଯେ ଏହାର ପୂର୍ବବର୍ତ୍ତୀ ୟୁପିଏ ସରକାରଙ୍କ ଅମଳରେ ଏଭଳି ଦୃଶ୍ୟପଟ ଦେଖିବାକୁ ମିଳି ନ ଥାଏ। ଅବଶ୍ୟ, ୧୯୯୨ରେ କ˚ଗ୍ରେସ ନେତୃତ୍ବାଧୀନ ମେଣ୍ଟ ସରକାରର ଶାସନ କାଳରେ ପ୍ରବୃଦ୍ଧ କମ୍ୟୁନିଷ୍ଟ ନେତା ଇ.ଏମ୍‌.ଏସ୍‌. ନମ୍ବୁଦିରିପଦ ଏବ˚ ଭାରତୀୟ ଜନତା ପାର୍ଟିର ନେତା ଅଟଳ ବିହାରୀ ବାଜପେୟୀଙ୍କୁ ପଦ୍ମବିଭୂଷଣ ଦ୍ବାରା ସମ୍ମାନିତ କରାଯାଇଥିଲା। କିନ୍ତୁ ସେହି ସମୟରେ ପ୍ରଧାନମନ୍ତ୍ରୀ ଥିଲେ ପି.ଭି. ନରସି˚ହ ରାଓ, ଯାହାଙ୍କୁ କଂଗ୍ରେସରେ ଗାନ୍ଧୀ ପରିବାରର ପାର˚ପରିକ ପ୍ରଭାବ ବଳୟ ବାହାରେ ଥିବା ବ୍ୟକ୍ତି ଭାବେ ଦେଖାଯାଇଥାଏ। ତେଣୁ ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟମାନ ରେକର୍ଡ ଦୃଷ୍ଟିରୁ ଗୁଲାମ ନବୀଙ୍କୁ ଏହି ସମ୍ମାନ ପ୍ରଦାନ ପଛରେ ଏକ ଚକ୍ରାନ୍ତ ଥିବାର କଳ୍ପନା ଉଦ୍ଭଟ ବୋଲି ଅନେକ ମତ ପ୍ରଦାନ କରିଥାଆନ୍ତି।

ତେବେ, ଏଠାରେ ଯାହା ସ୍ମରଣଯୋଗ୍ୟ, ତାହା ହେଲା ପ୍ରଣବ ମୁଖାର୍ଜୀଙ୍କୁ ‘ଭାରତ ରତ୍ନ’ ଦ୍ବାରା ସମ୍ମାନିତ କରାଯିବା ସମୟରେ ଏକ ମୃଦୁ ଗୁ˚ଜରଣ ସୃଷ୍ଟି ହୋଇଥିଲା ଯେ ଗାନ୍ଧୀ ପରିବାର-ରାଜନୀତି ଦ୍ବାରା ପୀଡ଼ିତ ବ୍ୟକ୍ତିିତ୍ବମାନଙ୍କୁ ଆପଣା ଚୁମ୍ବକୀୟ କ୍ଷେତ୍ର ମଧୢକୁ ଟାଣି ଆଣିବା ଲାଗି ବିଜେପି ପକ୍ଷରୁ ସମ୍ଭବତଃ ଏଭଳି ଉଦ୍ୟମ କରାଯାଉଛି। ସେହି ଦୃଷ୍ଟିରୁ ଗୁଲାମ ନବୀଙ୍କ ସମସ୍ତ ଯୋଗ୍ୟତା ସତ୍ତ୍ବେ ଗାନ୍ଧୀ ପରିବାର ଠାରୁ ତାଙ୍କର ଦୂରତ୍ବ ବୃଦ୍ଧିକୁ ଏହି ସମ୍ମାନ ଲାଗି ଏକ ଅତିରିକ୍ତ ଯୋଗ୍ୟତା ରୂପେ ଅନେକ ଦେଖୁଥାଇ ପାରନ୍ତି। ସେହି ବିଚାରରେ ଏକ ଧାରା ଅବଶ୍ୟ ସ୍ପଷ୍ଟ ହୋଇଥାଏ ଯେ ଯେଉଁ କ˚ଗ୍ରେସ ନେତାମାନେ ଏକଦା ଗାନ୍ଧୀ ପରିବାରର ନିକଟତର ଥିଲେ ଓ ପରବର୍ତ୍ତୀ କାଳରେ ପରିତ୍ୟକ୍ତ ବା ଉପେକ୍ଷିତ ହୋଇ ଦଳ ପରିତ୍ୟାଗ କରିଛନ୍ତି ଏବ˚ କ˚ଗ୍ରେସ ବିରୋଧୀ ହୋଇଛନ୍ତି, ସେହିମାନଙ୍କୁ ଅଥବା ରାଜନୀତିରୁ ଅବସର ନେଇ ସାରିଥିବା ବା ଅବସର ନେବାକୁ ବସିଥିବା ପ୍ରାୟ ନିଷ୍କ୍ରିୟ କ˚ଗ୍ରେସୀମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗାନ୍ଧୀ ପରିବାରର ନିକଟବର୍ତ୍ତୀ ଏବ˚ ସକ୍ରିୟ କ˚ଗ୍ରେସ ନେତାଙ୍କୁ ଏଭଳି ସମ୍ମାନ ଏ ଯାବତ୍‌ ପ୍ରଦାନ କରାଯାଇନାହିଁ। ତେଣୁ ଗୁଲାମ ନବୀଙ୍କୁ ପଦ୍ମଭୂଷଣ ପ୍ରଦାନକୁ ଏକ ରାଜନୈତିକ ‘ଖେଳ’ ବୋଲି ସୃଷ୍ଟ ଧାରଣାରେ ମଧ୍ୟ ବିସ୍ମିତ ହେବାର କାରଣ ନାହିଁ।

ତେବେ, ଏହା ମଧୢ ସତ ଯେ କ˚ଗ୍ରେସ ନେତୃତ୍ବ ଟିକିଏ ଅଧିକ ରାଜନୈତିକ ଦୂରଦୃଷ୍ଟି ସ˚ପନ୍ନ ବିଚାର ପୋଷଣ କଲେ ଏହି ‘ଖେଳ’କୁ ଅଚିରେ ନିଜ ପକ୍ଷକୁ ଆଣି ପାରିବ। ପ୍ରକାଶିତ ଖବର ଅନୁସାରେ ଗୁଲାମ ନବୀଙ୍କ ଲାଗି ‘ପଦ୍ମ’ ସମ୍ମାନର ଘୋଷଣା ପରେ କ˚ଗ୍ରେସ ଦଳ ପକ୍ଷରୁ ଏକ କଠିନ ନିରବତା ଅବଲମ୍ବନ କରାଯାଇଛି। କିନ୍ତୁ, ଅପର ପକ୍ଷେ ଗୁଲାମ ନବୀଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଔପଚାରିକ ଶୁଭେଚ୍ଛା ବାର୍ତ୍ତା ଏ କ୍ଷେତ୍ରରେ ଏକ କିମିଆ କରନ୍ତା। ପ୍ରକାଶ ଥାଉ କି ‘ଗ୍ରୁପ୍‌ ଅଫ୍‌ ୨୩’ ଘଟଣା ପରେ ଗୁଲାମ ନବୀ ଏଭଳି ସୀମାନ୍ତରିତ ହୋଇ ଯାଇଥିଲେ ଯେ ସେ ନିଜ ରାଜ୍ୟ ଜାମ୍ମୁ ଓ କାଶ୍ମୀର ଚାଲିଯାଇ ସେଠାରେ ବିଶାଳ ସଭା ଓ ସମାବେଶ ମାନର ଆୟୋଜନ କରି ନିଜ ରାଜନୈତିକ ପ୍ରଭାବ ପ୍ରମାଣ କରିବାର ଉଦ୍ୟମ କରିଥିଲେ। ସମ୍ଭବତଃ, ସେହି କାରଣରୁ କ˚ଗ୍ରେସ ପକ୍ଷରୁ ତାଙ୍କୁ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ଆହୁରି ଭଲ ହୁଅନ୍ତା ଯଦି କ˚ଗ୍ରେସ ହାଇକମାଣ୍ତ ଗୁଲାମ ନବୀଙ୍କୁ ଅଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରି ଦଳର ତୁଙ୍ଗ ନେତୃତ୍ବରେ ଅନ୍ତର୍ଭୁକ୍ତ କରନ୍ତେ; ‘ଗ୍ରୁପ୍‌ ଅଫ୍‌ ୨୩’ ଦ୍ବାରା ପ୍ରଦତ୍ତ ମତକୁ ସମ୍ମାନର ସହିତ ବିଚାର କରନ୍ତେ ଏବଂ କଂଗ୍ରେସକୁ ଅଧିକ ଅନ୍ତର୍ଭୁକ୍ତୀ କରନ୍ତେ। କହିବା ଅନାବଶ୍ୟକ ଯେ ଗୁଲାମ ନବୀ ଜଣେ ନିଷ୍ଠାପର ଏବ˚ ଆଜୀବନ କ˚ଗ୍ରେସୀ ହୋଇଥିବାରୁ ଦଳ ପକ୍ଷରୁ ଏଭଳି ଆଭିମୁଖ୍ୟ ପ୍ରଦର୍ଶନରେ ନିଶ୍ଚିତ ଭାବେ ସେ କଂଗ୍ରେସ ଲାଗି ଅଧିକ ଉତ୍ସାହର ସହିତ କର୍ତ୍ତବ୍ୟ ନିର୍ବାହ କରନ୍ତେ ଓ ତା ସହିତ ଏଭଳି ସମ୍ମାନ ପ୍ରଦାନ ପଛରେ ଯଦି ବିଜେପିର କିଛି ଦୁରଭିସନ୍ଧି ଥାଏ, ତେବେ ତାକୁ ବ୍ୟର୍ଥ କରନ୍ତେ।

ସମ୍ବନ୍ଧିତ ଖବର