ଭାରତୀୟ ଉଦାର ଅର୍ଥ ବ୍ୟବସ୍ଥା ପରିପ୍ରେକ୍ଷୀରେ ତା’ର ଏକ ପ୍ରମୁଖ ଆସ୍ଥା କେନ୍ଦ୍ର ‘ନେସ୍‌ନାଲ ଷ୍ଟକ୍‌ ଏକ୍‌ସଚେ˚ଜ୍‌’ର ପରିଚାଳନାରେ ଜଣେ ହିମାଳୟନିବାସୀ ଅପରିଚିତ ‘ବାବା’ଙ୍କ ପ୍ରଭାବ ନେଇ ପ୍ରକାଶିତ ସମ୍ବାଦ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଚଳିତ ପଞ୍ଜାବ ନିର୍ବାଚନ ପୃଷ୍ଠଭୂମିରେ ଆଉ ଜଣେ ‘ବାବା’ଙ୍କୁ କେନ୍ଦ୍ର କରି ପ୍ରକାଶିତ ସମ୍ବାଦ ମଧୢ ଅନେକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପଞ୍ଜାବର ଏହି ବାବା ଜଣକ ହେଉଛନ୍ତି ଭୀଷଣ କୁଖ୍ୟାତି ଅର୍ଜନ କରିଥିବା ବାବା ଗୁରମିତ ସି˚ହ ରାମ ରହିମ, ଯିଏ ଧର୍ଷଣ ଏବ˚ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଦୁଇ ଦୁଇଟି ଯାବଜ୍ଜୀବନ କାରାଦଣ୍ତ ଭୋଗ କରୁଛନ୍ତି ଓ ଯାହାଙ୍କ ନାମରେ ହତ୍ୟା ଏବ˚ ଅନ୍ୟାନ୍ୟ ଆପରାଧିକ ମାମଲାମାନ ବିଚାରାଧୀନ ରହିଛି। ତେବେ ଶ˚ସିତ ବିବାଦୀୟ ବିଷୟଟି ହେଉଛି ହରିଆଣାର ରୋହତକ ଜେଲ୍‌ରୁ ଅଚାନକ ବାବା ରାମ ରହିମଙ୍କୁ ୨୧ ଦିନ ଲାଗି ‘ପାରୋଲ’ ମିଳିବା। ଏହା ପରେ ଏକ ସନ୍ଦେହ ମୁଣ୍ତ ଟେକିବାରେ ଲାଗିଲାଣି ଯେ ବାବା ହୁଏ’ତ ତାଙ୍କର ପ୍ରଭାବ ବିସ୍ତାର କରି ଜେଲ୍‌କୁ ଆଉ ପ୍ରତ୍ୟାବର୍ତ୍ତନ କରି ନ ପାରନ୍ତି ବା ତାକୁ ଅନେକ ଦିନ ଯାଏ ଟାଳି ଦେଇ ପାରନ୍ତି। ଏହାର କାରଣ ତାଙ୍କ ‘ପାରୋଲ’ ପଛରେ ରହିଥିବା ରାଜନୈତିକ ସମର୍ଥନ। ରାମ ରହିମ ପାରୋଲରେ ସାମୟିକ ମୁକ୍ତି ପାଇବା ପଛରେ ବିଜେପିର ଭୂମିକା ରହିଥିବା ବିଷୟରେ ଏକ ସନ୍ଦେହ ପ୍ରକଟିତ ହୋଇଥାଏ, କାରଣ ଏଭଳି ସା˚ଘାତିକ ଅପରାଧ ଲାଗି ବନ୍ଦୀ ଥିବା କୌଣସି ବ୍ୟକ୍ତି ମାତ୍ର ପାଞ୍ଚ ବର୍ଷର କାରାବାସ ପରେ ବିନା କୌଣସି ଜରୁରୀ କାରଣରେ ‘ପାରୋଲ’ ପାଇବା ଏକ ଦୁଷ୍କର ବ୍ୟାପାର, ଯାହା ହରିଆଣାରେ ଶାସନ କରୁଥିବା ବିଜେପି ସରକାର କାରଣରୁ ସମ୍ଭବ ହୋଇ ପାରିଛି! ଏବ˚ ପଞ୍ଜାବ ନିର୍ବାଚନର ସମୟ ଏବ˚ ରାମ ରହିମଙ୍କ ‘ପାରୋଲ୍‌’ର ଅବଧିକୁ ବିଚାରକୁ ନେଲେ ଏହା ସ୍ପଷ୍ଟ ହୋଇଥାଏ ଯେ ତାଙ୍କ ଦ୍ବାରା ପରିଚାଳିତ ‘ଡେରା ସଚ୍ଚା ସଉଦା’ର ଲକ୍ଷ ଲକ୍ଷ ଅନୁଗାମୀଙ୍କ ଭୋଟ ହାସଲ କରିବା ହେଉଛି ଦଳର ଏକ ମୁଖ୍ୟ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ଭାରତୀୟ ରାଜନୀତିରେ ‘ବାବା’ମାନଙ୍କ ଏକ ବିବର୍ତ୍ତିତ ଭୂମିକା ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ ଭଳି ମନେ ହୋଇଥାଏ।

Advertisment

କହିବା ଅନାବଶ୍ୟକ ଯେ ଭାରତୀୟ ଜନ-ଜୀବନ ଉପରେ ଆଧୢାତ୍ମିକ ଗୁରୁ ବା ‘ବାବା’ମାନଙ୍କ ପ୍ରଭାବର ବ୍ୟାପକତା ଓ ଗଭୀରତା ଏକ କି˚ବଦନ୍ତୀୟ ରୂପ ଧାରଣ କରିଥାଏ ଏବ˚ ଜାତି, ଧର୍ମ, ଲିଙ୍ଗ, ବିଦ୍ୟା, ବୁଦ୍ଧି ଓ ପ୍ରତିଷ୍ଠା ନିର୍ବିଶେଷରେ କୋଟି କୋଟି ଭାରତୀୟଙ୍କ ଠାରୁ ଏହି ‘ବାବା’ମାନେ ପ୍ରଶ୍ନାତୀତ ଭକ୍ତି ତଥା ଆନୁଗତ୍ୟ ହାସଲ କରି ଥାଆନ୍ତି। ସେହି ଦୃଷ୍ଟିରୁ ବିଭିନ୍ନ ସମୟରେ ଭାରତୀୟ ରାଜନେତାଗଣ ବିଭିନ୍ନ ‘ବାବା’ମାନଙ୍କ ପ୍ରତି ଆକୃଷ୍ଟ ହେବା ଏବ˚ ସେମାନଙ୍କ ଦ୍ବାରା ପ୍ରଭାବିତ, ଏପରିକି ପରିଚାଳିତ ହେବାର ଅନେକ ଦୃଷ୍ଟାନ୍ତ ମଧୢ ରହିଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜଵାହରଲାଲ ନେହରୁଙ୍କ ଭଳି ଜଣେ ଅତ୍ୟନ୍ତ ବିଜ୍ଞ, ପ୍ରଗତିଶୀଳ ତଥା ବୈଜ୍ଞାନିକ ଦୃଷ୍ଟିକୋଣସ˚ପନ୍ନ ବ୍ୟକ୍ତି ଶ୍ରଦ୍ଧାମାତାଙ୍କ ଦ୍ବାରା ପ୍ରଭାବିତ ହୋଇଥିବା ବିଷୟ ଚର୍ଚ୍ଚାରେ ରହିଥିଲା। ସେହି ଭଳି ଅଷ୍ଟମ ଦଶକରେ ଧୀରେନ୍ଦ୍ର ବ୍ରହ୍ମଚାରୀ ବା ନବମ ଦଶକରେ ଚନ୍ଦ୍ରସ୍ବାମୀ ଅତ୍ୟନ୍ତ ପ୍ରଭାବଶାଳୀ ହୋଇ ଉଠିବା ପଛରେ ଯଥାକ୍ରମେ ଇନ୍ଦିରା ଗାନ୍ଧୀ ଏବ˚ ପି.ଭି. ନରସି˚ହ ରାଓଙ୍କ ଭୂମିକା ରହିଥିବା ସର୍ବଜନବିଦିତ। ଏକ ବିଡ଼ମ୍ବନା ସ୍ବରୂପ ପରବର୍ତ୍ତୀ କାଳରେ ଏହି ତଥାକଥିତ ଆଧୢାତ୍ମିକ ଗୁରୁମାନେ ବିଭିନ୍ନ ‘ଲୌକିକ’ ବିବାଦରେ ଛନ୍ଦି ହୋଇ ଆପଣା ଭାବମୂର୍ତ୍ତିକୁ ଚୂର୍ଣ୍ଣ କରି ଅପରିଚିତିର ଅନ୍ଧକାର ମଧୢକୁ ଅପସରି ଯିବା ସହିତ ସେମାନଙ୍କ ପୃଷ୍ଠପୋଷକମାନଙ୍କ ଲାଗି ଘୋର ଅସ୍ବସ୍ତିର କାରଣ ମଧୢ ହୋଇଥିଲେ। ତେବେ ଉପର ବର୍ଣ୍ଣିତ ‘ବାବା’ମାନଙ୍କ ବ୍ୟକ୍ତିଗତ ଚୁମ୍ବକୀୟ କ୍ଷେତ୍ର ଦ୍ବାରା ରାଜନେତାମାନେ ଆକର୍ଷିତ ହେଉଥିବା ବେଳେ ସ˚ପ୍ରତି (ପଞ୍ଜାବ ନିର୍ବାଚନ ପରିପ୍ରେକ୍ଷୀରେ) ପରିଦୃଷ୍ଟ ହୋଇଥିବା ‘ବାବା’ଗଣଙ୍କ ଆକର୍ଷଣ ପଛରେ ରହିଛି ସେମାନେ ସୃଷ୍ଟି କରି ପାରିଥିବା ‘ଭୋଟ୍‌ର ଭଣ୍ତାର’, ଯହିଁରେ ସେମାନଙ୍କର ଗୋଟିଏ ଇଙ୍ଗିତ ସେମାନଙ୍କ ଅନୁଗାମୀମାନଙ୍କ ରାଜନୈତିକ ଅାନୁଗତ୍ୟକୁ ନିମିଷକେ ବଦଳାଇ ଦେବାର ସମ୍ଭାବନା ବହନ କରିଥାଏ। ଏହି ପଞ୍ଜାବ ନିର୍ବାଚନରେ ଏହି ଧାରା ଅତ୍ୟନ୍ତ ସ୍ପଷ୍ଟ ବୋଲି ରାଜନୈତିକ ସମୀକ୍ଷକମାନେ କହିଥାଆନ୍ତି। ତେବେ, କ୍ରମେ ଏହା ଭାରତର ସର୍ବତ୍ର ଏବ˚ ସମସ୍ତ ନିର୍ବାଚନ କାଳରେ ପରିଦୃଶ୍ୟ ହୋଇପାରେ ବୋଲି ସେମାନେ ଅନ୍ଦାଜ ମଧ୍ୟ ଲଗାନ୍ତି।

୨୦୧୭ ମସିହାରେ ପ୍ରଖ୍ୟାତ ସ˚ପାଦକ ଏବ˚ ସାମ୍ବାଦିକ ଶେଖର ଗୁପ୍ତାଙ୍କ ଦ୍ବାରା ଲିଖିତ ଏକ ଆଲେଖ୍ୟ ପଞ୍ଜାବକୁ ‘ବାବା ଲ୍ୟାଣ୍ତ୍‌’ ବା ‘ବାବାଙ୍କ ଭୂମି’ ବୋଲି ଅଭିହିତ କରିଥିଲା। ଏହି ରାଜ୍ୟର ୧୩,୦୦୦ ସରିକି ଗାଁରେ ବିଦ୍ୟମାନ ଅଛି ପ୍ରାୟ ୯୦୦୦ ‘ଡେରା’; ଯାହାକୁ ଆଶ୍ରମ ବା ‘କମ୍ୟୁନ’ ବୋଲି କୁହାଯାଇପାରେ, ଯେଉଁଗୁଡ଼ିକ ଭିନ୍ନ ଭିନ୍ନ ‘ପନ୍ଥୀ’ ଦ୍ବାରା ସ୍ଥାପିତ। ଏହି ‘ପନ୍ଥୀ’ଗୁଡ଼ିକର ମୁଖ୍ୟମାନେ ଯଦିଓ ଜଣେ ଆଧୢାତ୍ମିକ ଦିଗ୍‌ଦର୍ଶକ ରୂପେ ଜନ ଆନୁଗତ୍ୟର ପାତ୍ର ହୁଅନ୍ତି, ଅଧିକାଂଶ ସ୍ଥଳେ ସେମାନେ ନିଜର ଏହି ପାର˚ପରିକ ପରିଚୟକୁ ଅତିକ୍ରମ କରି ଅନ୍ୟାନ୍ୟ ପରିଚୟ ଧାରଣ କରିଥିବା ମଧୢ ଦେଖିବାକୁ ମିଳିଥାଏ, ଯେମିତି ରାମ ରହିମ ଯିଏ ଚଳଚ୍ଚିତ୍ରର ନାୟକ ଠାରୁ ଆରମ୍ଭ କରି ଯୁବତୀ ପରିବେଷ୍ଟିତ ଉଦ୍ଦଣ୍ତ ଆଧୁନିକ ନର୍ତ୍ତକ ରୂପରେ ମଧୢ ଦୃଶ୍ୟମାନ ହେଉଥିଲେ, ଯହିଁରେ ଆଧୢାତ୍ମିକତାର ଲେଶ ମାତ୍ର ଚିହ୍ନବର୍ଣ୍ଣ ଦିଶି ନ ଥାଏ। ଏବ˚ ଏହା କହିବା ନିଷ୍ପ୍ରୟୋଜନ ଯେ ସା˚ଘାତିକ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ସତ୍ତ୍ବେ ତାଙ୍କର ଅନୁଗାମୀଙ୍କ ସ˚ଖ୍ୟାରେ ବିଶେଷ ହ୍ରାସ ଘଟିନାହିଁ, ଯାହା ତାଙ୍କର ରାଜନୈତିକ ଉପଯୋଗର କାରଣ ହୋଇଛି।

ଉଲ୍ଲେଖନୀୟ ଯେ ପଞ୍ଜାବର ଅଧିକାଂଶ ଡେରା ମୁଖ୍ୟତଃ ଦରିଦ୍ର ଏବ˚ ସୀମାନ୍ତରିତ ଦଳିତ ବର୍ଗର ଆସ୍ଥା କେନ୍ଦ୍ର ହୋଇ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସଚସଙ୍ଗ ବଲନ’ ନାମକ ଡେରାରେ ଆୟୋଜିତ ଏକ ସ˚କୀର୍ତ୍ତନରେ ଅ˚ଶ ଗ୍ରହଣ କରିବା ବା ପ୍ରିୟଙ୍କା ଗାନ୍ଧୀ ଏବ˚ ରାହୁଳ ଗାନ୍ଧୀ ସେହି ଡେରାର ଲଙ୍ଗରରେ ଖାଦ୍ୟ ପରଷିବା ଅଥବା ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ସେହି ଡେରାରେ ଗୋଟିଏ ରାତ୍ରି ଯାପନ କରିବା ପଛରେ ଯେଉଁ ରାଜନୈତିକ ଉଦ୍ଦେଶ୍ୟ ବାରି ହୋଇଥାଏ, ତାହା ହେଲା ଏହା ଜରିଆରେ ଏହାର ଅନୁଗାମୀ ଅତ୍ୟନ୍ତ ବିଶାଳ ‘ରବି ଦାସିଆ ଦଳିତ’ ବର୍ଗର ସମର୍ଥନ ହାସଲ। ପ୍ରକାଶ ଥାଉ କି ପଞ୍ଜାବରେ ନାନକପନ୍ଥୀ, ସେବାପନ୍ଥୀ, ଭକ୍ତିପନ୍ଥୀ, ଗୁଲାବଦାସୀ, ନିହାଙ୍ଗ, ରାଧାସୁଆମି, ସଚ୍ଚାସୌଦା, ନାମଧାରୀ, ନିରଙ୍କରୀ, ଦିବ୍ୟଜ୍ୟୋତି ଇତ୍ୟାଦି ଭଳି ଅନେକ ଶିଖ୍‌ ଓ ଅଣ ଶିଖ୍‌ ଆଧୢାତ୍ମିକ ସ˚ଗଠନ ବା ଡେରା ରହିଛି, ଯାହା ମଧୢରୁ ଅନେକ ପୂର୍ବରୁ ବିଭିନ୍ନ ସମୟରେ ରାଜନୈତିକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଦେଖା ଯାଇଛି। ସେହି ଦୃଷ୍ଟିରୁ ଚଳିତ ପଞ୍ଜାବ ନିର୍ବାଚନରେ ‘ଡେରା’ମାନଙ୍କୁ ଲୋଡ଼ା ଯିବାରେ ହୁଏ’ତ ଅନେ‌େକ ବିସ୍ମୟ ପ୍ରକଟ କରି ନ ପାରନ୍ତି। କିନ୍ତୁ ନିର୍ବାଚନରେ ନିଜର ପ୍ରଭାବ ବିସ୍ତାର କରିବା ଲାଗି ରାମ ରହିମ ଭଳି ଅପରାଧୀକୁ ପାରୋଲ ପ୍ରଦାନ କରାଯିବା ଏକ ନୂଆ ଏବ˚ କୁତ୍ସିତ ଦୃଷ୍ଟାନ୍ତ ସ୍ଥାପନ କରିଛି ବୋଲି କହିଲେ ଭୁଲ୍‌ ହେବ ନାହିଁ। ଏହା ସମସ୍ତେ ଜାଣନ୍ତି ଯେ ଧର୍ମଭୀରୁ ଭାବେ ଜଣାଶୁଣା ଭାରତୀୟମାନଙ୍କ ବିଚାରକୁ ବନ୍ଦୀ କରିବାରେ ‘ବାବା’ମାନେ ସର୍ବଦା ସିଦ୍ଧହସ୍ତ ହୋଇ ରହିଛନ୍ତି। ଏବେ କିନ୍ତୁ ସେମାନଙ୍କୁ ରାଜନୈତିକ ଚେସ୍‌ ବୋର୍ଡ‌୍‌ର ପିଆଦା ଭାବେ ବ୍ୟବହାର କରିବାର ରାଜନୈତିକ ବିଚକ୍ଷଣତା ଦେଖିବାକୁ ମିଳିଛି। କହିବା ବାହୁଲ୍ୟ ଏହାଦ୍ବାରା ଜନସାଧାରଣଙ୍କ ଆସ୍ଥା ଓ ଆନୁଗତ୍ୟର ଦୁରୁପଯୋଗ କରାଯିବ ଏବ˚ ଏହା ବି ହୋଇପାରେ ଯେ ଚେସ୍‌ ବୋର୍ଡ‌୍‌ର ପିଆଦା ଭଳି ଲାଗୁଥିବା ଏହି ‘ବାବା’ମାନଙ୍କ ମଧୢରୁ ରାମ ରହିମ ତୁଲ୍ୟ କେତେକ ‘ଶଠ ବାବା’ ଅମିତ ରାଜନୈତିକ କ୍ଷମତାର ଅଧିକାରୀ ହୋଇ ଅବଲୀଳା କ୍ରମେ ଚେସ୍‌ ବୋର୍ଡ‌୍‌ର ରାଜାରେ ବି ପରିଣତ ହୋଇଯାଇପାରନ୍ତି।