ପଶ୍ଚିମବଙ୍ଗରେ କଡା ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୩୦୩ କଂପାନୀ ସିଏପିଏଫ ଫୋର୍ସ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଗତକାଲି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା । ପଶ୍ଚିମବଂଗରେ ସର୍ବାଧିକ ୭୭.୫୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବା ବେଳେ ତାମିଲନାଡୁରେ ୬୨ ପ୍ରତିଶତ, ତ୍ରିପୁରାରେ ୭୯.୯୦ ପ୍ରତିଶତ, ଆସାମରେ ୭୧ ପ୍ରତିଶତ ମତଦାନ ରେକର୍ଡ଼ କରାଯାଇଛି। ତେବେ ପଶ୍ଚିମବଂଗର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟିଥିଲା । କୁଚବିହାର ଜିଲ୍ଲାର ଶୀତଳକୁଚିରେ ବିଜେପି ଓ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ପ୍ରବଳ ପଥର ମାଡ଼ ହୋଇଥିଲା | ତେବେ ଏସବୁକୁ ନଜରରେ ରଖି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଏବେ ନିର୍ବାଚନ ଆୟୋଗ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି | ନିର୍ବାଚନ ଆୟୋଗ ବର୍ତ୍ତମାନ ରାଜ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (CAPF) ର ନିୟୋଜନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୨୬ ଏପ୍ରିଲରେ ଅନୁଷ୍ଠିତ ହେବ |

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆରିଜ ଆଫ୍ଟାବ କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟରେ ରାଇଗଂଜ, ଦାର୍ଜିଲିଂ ଏବଂ ବାଲୁରଗାଟ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ ଆୟୋଗ ଏହି ଜିଲ୍ଲାଗୁଡିକରେ ୩୦୩ କମ୍ପାନୀ ଫୋର୍ସ ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଫଳରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିବ ଏବଂ ରାଜ୍ୟରେ କୌଣସି ଅଘଟଣ ପରିସ୍ଥିତି ଉପୁଜିବ ନାହିଁ | ବର୍ତ୍ତମାନ ପଶ୍ଚିମବଙ୍ଗରେ ୨୭୩ କମ୍ପାନୀ ସିଏପିଏଫ ଯବାନ ମୁତୟନ ଥିବାବେଳେ ଆଉ ୩୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ରବିବାର ସୁଦ୍ଧା ପହଞ୍ଚିବେ। ଏହିପରି ରାଜ୍ୟରେ ୩୦୩ ଟି କମ୍ପାନୀ ନିୟୋଜିତ ହେବେ।

ସିକ୍କିମ ଏବଂ ମେଘାଳୟରୁ ୩୦ଟି ଅତିରିକ୍ତ କମ୍ପାନୀ ଆସିବେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅସନ୍ତୋଷ ମଧ୍ୟରେ ରାଜ୍ୟରେ କେନ୍ଦ୍ରୀୟ ବାହିନୀର ଅତିରିକ୍ତ କମ୍ପାନୀ ନିୟୋଜିତ ହେଉଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦିନ ମମତା ସିଏପିଏଫ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଥିଲେ। ଏକ ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି ଯେ ଆପଣ ରାଜ୍ୟ ପୁଲିସକୁ ଏଡାଇ ଦେଇ କିପରି ନିର୍ବାଚନ କରିପାରିବେ?

ସମ୍ବନ୍ଧିତ ଖବର