ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଆମେରିକା

ଓ୍ଵାସିଂଟନ:     ପରମାଣୁ ଅସ୍ତ୍ରରେ ବଳୀୟାନ ଉତ୍ତର କୋରିଆର ମୁକାବିଲା ନିମନ୍ତେ ବଡ଼ ଧରଣର ଯୁଦ୍ଧ ପାଇଁ  ଆମେରିକା ଏବେ ପ୍ରସ୍ତୁତ ହେଉଛି। ଉତ୍ତର କୋରିଆର ତୁହାକୁ ତୁହା ଧମକର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ ମଧ୍ୟ ଏହି ଅବାଧ୍ୟ ରାଷ୍ଟ୍ରକୁ ଉଚିତ ଶିକ୍ଷା ଦିଆଯିବ ବୋଲି କହିଛନ୍ତି। ଟ୍ରମ୍ପ୍‌ ଜାତିସଂଘରେ ଉଦ୍‌୍‌ବୋଧନ ଦେଇ ଉତ୍ତର କୋରିଆକୁ ସମୂଳେ ବିନାଶ କରାଯିବ ବୋଲି ଚେତାବନୀ ଦେବାପରେ ଚୁପ୍‌ ହୋଇ ବସିନାହାନ୍ତି। ସାମରିକ ବାହିନୀର ଶୀର୍ଷ କମାଣ୍ଡରମାନଙ୍କ ସହିତ ଟ୍ରମ୍ପ୍‌ଙ୍କ ବହୁବାର ବୈଠକ ଅନୁଷ୍ଠିତ ହୋଇଛି। ଆମେରିକାର ବି-୧ବି ବୋମାବର୍ଷୀ ବିମାନ କୋରିଆ ଉପଦ୍ୱୀପରେ ଲଗତାର ଉଡ଼ାଣ ଜାରି ରଖିଛି।  ଦକ୍ଷିଣ କୋରଆ ଏବଂ ଜାପାନକୁ ଉତ୍ତର କୋରିଆର ଆକ୍ରମଣର ମୁକାବିଲା ପାଇଁ ତୟାର ରଖାଯାଇଛି । ଜାପାନ ଥାଡ କ୍ଷେପଣାସ୍ତ୍ର ମୁତୟନ କରିଥିବା ବେଳେ ଦକ୍ଷିଣ କୋରିଆରେ ଆମେରିକାର ସୈନ୍ୟ ମୁତୟନ ବଢ଼ିଛି।  ଉତ୍ତର କୋରିଆର ଶାସକ କିମ୍‌୍‌୍‌ ଜଙ୍ଗ୍‌ ଉନ୍‌ ଏକପ୍ରକାର ଆତ୍ମଘାତୀ ମିସନରେ ଥିବା ସେ ଅତର୍କିତ ଭାବେ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଦକ୍ଷିଣ କୋରିଆ ଏବଂ ଜାପାନ ଆଶଙ୍କା କରୁଛନ୍ତି।  ଏହାକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛି ।  ଉତ୍ତର କୋରିଆର ପରମାଣୁ କ୍ଷେପଣାସ୍ତ୍ରର ମୁକାବିଲା ପାଇଁ ଆମେରିକାରେ ଜୋର୍‌ସୋର ପ୍ରସ୍ତୁତି ଚାଲିଛି । ଆମେରିକା  ଏହାର ଅନ୍ୟତମ ପ୍ରମୁଖ ବାୟୁସେନା ଘାଟିଥିବା ଗୁଆମ୍‌ ଦ୍ୱୀପର ନାଗରିକଙ୍କୁ ସତର୍କ କରାଇଦେଇଛି। ଦକ୍ଷିଣ କୋରିଆ ଆବଶ୍ୟକସ୍ଥଳେ ତତ୍‌କ୍ଷଣାତ ନାଗରିକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇପାରେ ବୋଲି ମଧ୍ୟ ଜଣାପଡ଼ିଛି ।  ଦକ୍ଷିଣ କୋରିଆରେ ଲକ୍ଷାଧିକ ଆମେରିକୀୟ ଥିବା ବେଳେ ସେମାନଙ୍କ ମଧ୍ୟରେ ୨୮୫୦୦ ହେଉଛନ୍ତି ଆମେରିକୀୟ ସୈନ୍ୟ।  ଦକ୍ଷିଣ ଚୀନ୍‌ ସାଗରରେ ଥିବା ବିବାଦୀୟ ଦ୍ୱୀପ ଅଂଚଳରେ  ଆମେରିକା ନୌସେନାର ଅତି ଶକ୍ତିଶାଳୀ କ୍ଷେପଣାସ୍ତ୍ର ବିଧ୍ୱଂସୀ ଯୁଦ୍ଧ ଜାହାଜ ୟୁଏସ୍‌ଏସ୍‌ ସେଫି-ଡିଡିଜି ୯୦ ମୁତୟନ କରି ଚୀନ୍‌କୁ କଡ଼ା ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଆମେରିକା। ଚୀନ୍‌ ଏହାର ତୀବ୍ର ବିରୋଧ କରିଥିଲେ ମଧ୍ୟ ଆମେରିକା ଏଥିପ୍ରତି ଭୃକ୍ଷେପ କରିନାହିଁ। ଆମେରିକାର ଯୁଦ୍ଧ ଜାହାଜ ଚୀନ୍‌ର ଆଇନ  ଏବଂ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରି ଦକ୍ଷିଣ ଚୀନ୍‌ ସାଗରରେ ପହଞ୍ଚିଛି ବୋଲି ଚୀନ୍‌ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର