ରାହୁଲ ‘ବିଷ ଦୋକାନ’ ଚଳାଉଥିଲେ, ସେ କ୍ଷମା ମାଗିବା ଉଚିତ୍, ରୋହିତ ଭେମୁଲା ମାମଲାରେ ସୀତାରମଣଙ୍କ କଡ଼ା ସମାଲୋଚନା

ପୁଣେ: ରୋହିତ ଭେମୁଲାଙ୍କ ଆତ୍ମହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସୀତାରମଣ କହିଛନ୍ତି ରାହୁଲ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିଛନ୍ତି ଏବଂ ଏଥିପାଇଁ ସେ କ୍ଷମା ମାଗିବା ଉଚିତ୍। ଅର୍ଥମନ୍ତ୍ରୀ କହିଛନ୍ତି ତେଲେଙ୍ଗାନା ପୋଲିସ ବନ୍ଦ ରିପୋର୍ଟରେ ସ୍ପଷ୍ଟ ଭାବେ କହିଛି ଏହା ଦଳିତ ପ୍ରସଙ୍ଗ ନୁହେଁ। ରୋହିତ ଆତ୍ମହତ୍ୟା କରିଥିବା ସମୟରେ ରାହୁଲ ଲୋକସଭାରେ ଦେଇଥିବା ଭାଷଣ ଭାଷଣ ଶୁଣାଯିବା ଉଚିତ। ଏନେଇ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବା ଆବଶ୍ୟକ।

ପୁଣେରେ ଗଣମାଧ୍ୟମକୁ ସୂଚନା ଦେଇ ସୀତାରମଣ କହିଛନ୍ତି ଦଳିତ ସମ୍ପ୍ରଦାୟର ଅପବ୍ୟବହାର ପାଇଁ ରାହୁଲ ଏସସି ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ୍। ଏହା ଏକ ଦଳିତ ପ୍ରସଙ୍ଗ ନୁହେଁ, କିନ୍ତୁ ରାହୁଲ ଗାନ୍ଧୀ ଏହାକୁ ଏକ ଦଳିତ ପ୍ରସଙ୍ଗ ପରି ଦେଖାଇଛନ୍ତି। ବର୍ତ୍ତମାନ ସେ ଏକ ‘ପ୍ରେମ ଦୋକାନ’ ଚଳାଉଛନ୍ତି, କିନ୍ତୁ ସେତେବେଳେ ସେ ଏକ ‘ବିଷ ଦୋକାନ’ ଚଳାଉଥିଲେ ଏବଂ ଏଥିପାଇଁ ସେ କ୍ଷମା ମାଗିବା ଆବଶ୍ୟକ।

ରୋହିତ ଭେମୁଲାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ତେଲେଙ୍ଗାନା ପୋଲିସ ନିକଟରେ କୋର୍ଟରେ ବନ୍ଦ ରିପୋର୍ଟ ଦାଖଲ କରିଛି।ରିପୋର୍ଟ ପରେ ଏହି ସମସ୍ୟା ପୁଣି ଥରେ ସରଗରମ ହୋଇଛି।

ଏହି ରିପୋର୍ଟ ବାହାରିବା ପରେ ରୋହିତ ଭେମୁଲାଙ୍କ ମା’ ଏହି ଘଟଣାର ପୁନଃଅନୁସନ୍ଧାନ କରିବାକୁ ଦାବି କରିଛନ୍ତି। ରୋହିତଙ୍କ ମା’ ତେଲେଙ୍ଗାନା ସିଏମ ରେଭନ୍ତ ରେଡ୍ଡୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ନିବେଦନ କରି ଘଟଣାର ପୁନଃଅନୁସନ୍ଧାନ କରିବାକୁ ଦାବି କରିଥିଲେ। ତେବେ ସିଏମ ରେଡ୍ଡୀ ରୋହିତଙ୍କ ମା’ଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଏହି ମାମଲାର ପୁନଃଅନୁସନ୍ଧାନ କରିବେ। ତେଲେଙ୍ଗାନା ଡିଜିପି ଏହା ମଧ୍ୟ କହିଛନ୍ତି ରୋହିତଙ୍କ ପରିବାର ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି, ତେଣୁ ମାମଲାର ପୁନଃଅନୁସନ୍ଧାନ କରାଯିବ। ୧୭ ଜାନୁଆରୀ ୨୦୧୬ରେ ରୋହିତଙ୍କର ଦେହାନ୍ତ ହୋଇଥିଲା। ସେ ଆତ୍ମହତ୍ୟା କରିଥିଲେ।

ତେଲେଙ୍ଗାନା ପୋଲିସର ବନ୍ଦ ରିପୋର୍ଟରେ ରୋହିତ ଭେମୁଲା ଦଲିତ ନୁହନ୍ତି ବୋଲି ଦାବି କରାଯାଇଛି। ତାଙ୍କ ମା’ ତାଙ୍କୁ ପାଇଁ ଏକ ଏସସି ସାର୍ଟିଫିକେଟ୍ ଯୋଗାଡ଼ କରିଥିଲେ ଏବଂ ସେ ଭୟ କରୁଥିଲେ ଯେ ତାଙ୍କର ପ୍ରକୃତ ପରିଚୟ ପ୍ରକାଶ ପାଇପାରେ। ସେ ଆହୁରି ମଧ୍ୟ ଭୟ କରୁଥିଲେ ଯେ ତାଙ୍କ ପରିଚୟ ପ୍ରକାଶ ପାଇଲେ ତାଙ୍କ ଡିଗ୍ରୀ ତାଙ୍କଠାରୁ ଛଡ଼ାଇ ନିଆଯାଇପାରେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଆତ୍ମହତ୍ୟା କରିବାକୁ କେହି ଉସୁକାଇ ନ ଥିଲେ। ସମସ୍ତ ଚେଷ୍ଟା ସତ୍ତ୍ବେ ଏହି ଘଟଣାରେ କୌଣସି ପ୍ରମାଣ ମିଳି ନ ଥିଲା।

ସମ୍ବନ୍ଧିତ ଖବର